ଭଦ୍ରକ : ଚୋରା ମଦ ବେପାରୀଙ୍କ ଦାଦାଗିରିରେ ଅତିଷ୍ଠ ଓରଡାବାସୀ କାର୍ଯ୍ୟାନୁଷ୍ଠାନ ନ ହେଲେ ଭଦ୍ରକ-ଚାନ୍ଦବାଲି ରାସ୍ତା ଅବରୋଧ

ଭଦ୍ରକ, ୩୦/୫ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଏହି ଜିଲାର ତିହିଡି ଥାନା ଅଧୀନସ୍ଥ କୋହ୍ଲା ପଞ୍ଚାୟତ ଓରଡା ଗ୍ରାମରେ ଦୁଇ ଚୋରା ମଦ ବେପାରୀଙ୍କ ଦାଦାଗିରିରେ ଗ୍ରାମବାସୀ ଅତିଷ୍ଠ। ଏ ସଂପର୍କରେ ଥାନାରେ ଅଭିଯୋଗ କଲା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ନବଗ୍ରହ ମହିଳା ମହାସଂଘର ସଦସ୍ୟ ଭଦ୍ରକ-ଚାନ୍ଦବାଲି ରାସ୍ତା ଅବରୋଧ କରିବାକୁ ଧମକ ଦେଇଛନ୍ତି। ମହାସଂଘର ସଭାନେତ୍ରୀ ଅନସୂୟା ନାୟକ, ସଂପାଦିକା ଦ୍ରୌପଦୀ ଜେନା, କୋଷାଧ୍ୟକ୍ଷ ଶାନ୍ତିଲତା ବାରିକଙ୍କ ନେତୃତ୍ୱରେ ବହୁ ମହିଳା ତିହିଡି ଥାନାରେ ପହଞ୍ଚି ଗତ ୧୫ ତାରିଖରେ ସେମାନଙ୍କ ଅଭିଯୋଗ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସଂପର୍କରେ ପଚାରିଥିଲେ। ତେବେ ତିହିଡି ଥାନା ଅଧିକାରୀ ଛୁଟିରେ ଥିବାରୁ ସେ ଆସିଲେ ଯାହାକିଛି କହିବେ ବୋଲି ଥାନାର ସେକେଣ୍ଡ ଅଫିସର କହିବା ପରେ ମହିଳାମାନେ ତିହିଡି ତହସିଲଦାରଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅଭିଯୋଗ କରିଥିଲେ। ସେମାନଙ୍କ ଗ୍ରାମର ଦୁଇ ଜଣ ଚୋରା ମଦ ବିକ୍ରେତା ଗତ ୧୩ ତାରିଖରେ ଗାଳିଗୁଲଜ କରିଥିଲେ। ମହିଳାମାନେ ଏହାର ବିରୋଧ କରିବାରୁ ମହାସଂଘକୁ ଗାଳିଗୁଲଜ କରିବା ସହ ବିରୋଧ କରୁଥିବା ମହିଳାଙ୍କୁ ମାରିବାକୁ ସେମାନେ ଉଦ୍ୟତ ହୋଇଥିଲେ। ଏହାକୁ ନେଇ ମହିଳାମାନେ ଥାନାରେ ଅଭିଯୋଗ କରିଥିଲେ ହେଁ ୧୫ ଦିନ ପରେ ବି କିଛି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ସେମାନଙ୍କ ଗ୍ରାମରେ ଚୋରା ମଦ ବିକ୍ରିକୁ ବନ୍ଦ କରିବା ସହ ଏଥିରେ ସଂପୃକ୍ତ ଦୁଇ ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମହିଳାମାନେ ତିହିଡି ତହସିଲଦାର ଅଜିତକୁମାର ପ୍ରଧାନଙ୍କ ନିକଟରେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *