ଭଦ୍ରକ : ଚାରିବାଟିଆ ଗାଁ ସୁରକ୍ଷା ମନ୍ତେଇ ନଈକୂଳେ ତିଆରି ହେବ ଆଡିବନ୍ଧ

ଭଦ୍ରକ, ୨୪ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଏହି ଜିଲାର ବାସୁଦେବପୁର ବ୍ଲକ ବାଲିମେଦ ପଞ୍ଚାୟତ ଚାରିବାଟିଆ ଗାଁ ସୁରକ୍ଷା ପାଇଁ ତିଆରି ହେବ ପଥର ପ୍ୟାକିଂ ଆଡିବନ୍ଧ । ନଈ ଅବବାହିକାରେ ଥିବା ମହାନ୍ତି ସାହିଠାରେ ଏହି ବନ୍ଧ ତିଆରି ହେବ । ଏଥିପାଇଁ ଜଳସେଚନ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଠିକାଦାର ଜରିଆରେ ଆବଶ୍ୟକ ସାମଗ୍ରୀ ସଂଗ୍ରହକୁ ତ୍ୱରାନ୍ନିତ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ୪୫ ମିଟରରୁ ଊଦ୍ଧ୍ୱର୍ ପଥର ବନ୍ଧ ତିଆରି ହେବ । ୪୫ଲକ୍ଷ ୧୩ହଜାର  ୩୮୩ ଟଙ୍କା ବ୍ୟୟରେ ଏହି ବନ୍ଧ ତିଆରି ହେବାର ଯୋଜନା କରାଯାଇଛି ବୋଲି ବିଭାଗୀୟ ଏସଡିଓଙ୍କ ସୂଚନାରୁ ଜଣାପଡିଛି । ଅଳ୍ପ ଦିନ ମଧ୍ୟରେ କାମ ଆରମ୍ଭ ହେବ । ନଈ କୂଳକୁ ପଥର ବୋହି ନେବା ପାଇଁ ସାମାନ୍ୟ ପ୍ରତିବନ୍ଧକ ରହିଛି । ଏହାକୁ ଦୂର କରିବା ପାଇଁ ଅବବାହିକାରେ ଥିବା ବ୍ୟକ୍ତି ବିଶେଷଙ୍କୁ ଅବଗତ କରାଯାଇଛି । ଲୋକଙ୍କ ସହଯୋଗ ରହିଲେ ତୁରନ୍ତ ଏହି କାମ କରାଯାଇପାରିବ ବୋଲି ଶ୍ରୀ ସାହୁ କହିଛନ୍ତି । ସୂଚନାଥାଉକି; ୨୦୧୫ ଫେବୃଆରୀରେ ନଈ ଅବବାହିକାରେ ଥିବା ପ୍ରଶାନ୍ତ ମହାନ୍ତିଙ୍କ ଦୁଇ ବଖରା ଚାଳଛପର ଘର ଜୁଆର ମାଡରେ ନଈ ଗର୍ଭରେ ମିଶିଯାଇଥିଲା । ଏହି ଘଟଣା ଘଟିବା ପରେ ଚାରିବାଟିଆ ଗାଁବାସୀ ଭୟଭିତ ହୋଇପଡିଥିଲେ । ବିଶେଷକରି ନଈ କୂଳରେ ଥିବା ମଲିକସାହି ଓ ମହାନ୍ତିସାହି ବାସିନ୍ଦା ଆତଙ୍କିତ ହୋଇପଡିଥିଲେ । ଖବରପାଇ ସ୍ଥାନୀୟ ପ୍ରଶାସନ ସହିତ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଚାରିବାଟିଆରେ ପହଞ୍ଚô ସ୍ଥିତି ସମୀକ୍ଷା କରିଥିଲେ । ଏହି କ୍ଷୟକ୍ଷତିକୁ ନେଇ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଥିଲେ । କାରଣ; ମନ୍ତେଇର ଜୁଆର ଗାଁ ପ୍ରତି ବିପଦ ସୃଷ୍ଟି କରୁଛି । ସୁରକ୍ଷା ବନ୍ଧ ତିଆରି ପାଇଁ ବାରମ୍ବାର ଗ୍ରାମବାସୀ ଦାବି କରିଆସୁଥିଲେ । ହେଲେ କିଛି ଲାଭ ମିଳି ନ ଥିଲା; ଶେଷରେ ଜୁଆର ମାଡରେ ଶ୍ରୀ ମହାନ୍ତିଙ୍କ ଦୁଇବଖରା ଘର ନଈଗର୍ଭକୁ ଧସି ଡିଥିଲା । ଏହି ଘଟଣା ଘଟିବା ପରେ ବିଭାଗୀୟ ଅଧିକାରୀଙ୍କ ତତ୍ପରତା ଦେଖାଦେଇଥିଲା । ନଈର ଚାରିବାଟିଆ ଗାଁ ସୁରକ୍ଷାର ଆଡିବନ୍ଧ ନିର୍ମାଣ ପାଇଁ ନକ୍ସା ପ୍ରସ୍ତୁତ ହୋଇଥିଲା । ଏବେ ଆଡିବନ୍ଧ ବାନ୍ଧିବାକୁ ଜଳସେଚନ ବିଭାଗ ଯୋରଦାର ଉଦ୍ୟମ ଚଳାଇଛି । ୪୫ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ବ୍ୟୟରେ ଏହି ବନ୍ଧ ନିର୍ମାଣ କରିବ । ହେଲେ ଦିନରେ ଦୁଇଥର ଜୁଆର ଆସୁଥିବା ମନ୍ତେଇ ନଈରେ ଏହି ବନ୍ଧ ନିର୍ମାଣ କେତେଦୂର ସଫଳ ହେଉଛି ଆଗାମୀ ଦିନରେ ଜଣାପଡିବ ।

Leave a Reply

Your email address will not be published. Required fields are marked *