ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ନିର୍ମାଣରେ ଅନିୟମିତତା ଅଭିଯୋଗ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବେ ଦୁଇ ଗ୍ରାମର ଗ୍ରାମବାସୀ

ଭଦ୍ରକ, ୧୪ା୨ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ବିଶ୍ୱବ୍ୟାଙ୍କ ସହାୟତାରେ ଭଦ୍ରକ-ଚାନ୍ଦବାଲି ରାସ୍ତା କାର୍ଯ୍ୟ ଚାଲୁ ରହିଛି। ସଂପ୍ରତି ଦୋଳସାହି ଗୋରୁହାଟ ନିକଟରୁ ହଳଧରବିନ୍ଧା ବଳସାହି ପର୍ଯ୍ୟନ୍ତ ରାସ୍ତାକାର୍ଯ୍ୟ ଚାଲିଥିବା ବେଳେ ଏହି କାର୍ଯ୍ୟରେ ଅନିୟମିତତା ହେଉଥିବା ନେଇ ବୁଡଙ୍ଗ ଓ ହଳଧରବିନ୍ଧା ଗ୍ରାମର ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଆଡ୍ଭୋକେଟ ମାନଭଞ୍ଜନ ବଳ, ଦାଶରଥି ବେହେରା, ବିଜୟ ନାୟକ, ରବୀନ୍ଦ୍ର ନାଥ ବଳ, ଗଙ୍ଗାଧର ସାମଲ, ବିଭୂତିଭୂଷଣ ନାୟକ, ଧରଣୀଧର ନାୟକ, ମନୋଜ କୁମାର ନାୟକ, ସୟଦ ଅକ୍ତର ଅଲି, ପ୍ରତାପ କୁମାର ଦାସ ପ୍ରମୁଖ ବହୁ ଗ୍ରାମବାସୀ କରିଥିବା ଅଭିଯୋଗ ଅନୁଯାୟୀ; ନିର୍ମାଣାଧୀନ ଦୋଳସାହି ଗୋରୁହାଟ-ହଳଧରବିନ୍ଧା ଅଂଶରେ ଅନେକ ବାଙ୍କ ରହିଥିବା ଯୋଗୁ ଏହା ଏକ ଦୁର୍ଘଟଣାପ୍ରବଣ ଅଞ୍ଚଳଭାବେ ବେଶ ଜଣାଶୁଣା। ରାସ୍ତାକୁ ସିଧା କରାଯିବା ପାଇଁ ସରକାରଙ୍କ ପକ୍ଷରୁ ଜମି ଅଧିଗ୍ରହଣ କରାଯାଇ ଜମି ହରାଇଥିବା ବ୍ୟକ୍ତିଙ୍କୁ କ୍ଷତିପୂରଣ ଦିଆଯାଇଛି। ତେବେ ଯେଉଁ ଉଦେଶ୍ୟ ନେଇ କ୍ଷତିପୂରଣ ଦିଆଗଲା ରାସ୍ତା ନିର୍ମାଣରେ ତ୍ରୁଟି ରହୁଥିବାରୁ ସେହି ଉଦେଶ୍ୟ ପୂରଣ ହେଉନାହିଁ ବୋଲି ଅଭିଯୋଗ କରାଯାଇଛି। ରାସ୍ତାକୁ ସିଧା କରା ନ ଯାଇ ନୂତନ ରାସ୍ତା ମଧ୍ୟ ଅଙ୍କାବଙ୍କା ହୋଇ ନିର୍ମାଣ କରାଯାଉଛି। ଫଳରେ ଭବିଷ୍ୟତରେ ଦୁର୍ଘଟଣା ଘଟିବା ସହ ଧନଜୀବନ ନଷ୍ଟ ହେବାର ମଧ୍ୟ ଆଶଙ୍କା ରହିଛି। କ୍ଷତିପୂରଣ ପାଇଥିବା ବ୍ୟକ୍ତିମାନେ ହରାଇଥିବା ଜାଗା ଉପରେ ଯୋରଜରବଦସ୍ତ ମାଲିକାନା ସାବ୍ୟସ୍ତ କରି ଅଧିଗୃହୀତ ଜାଗା ଉପରେ ଘର କରି ବିଭିନ୍ନ ଲାଭଜନକ ବ୍ୟବସାୟ ଚଳାଇ ଆସୁଛନ୍ତି। ଏଥିପ୍ରତି ରାଜପଥ ବିଭାଗର କୌଣସି ଦୃଷ୍ଟି ପରିଲକ୍ଷିତ ହେଉନାହିଁ। ସରକାରଙ୍କ ରୋଡମ୍ୟାପ୍ ଅନୁଯାୟୀ ରାସ୍ତାକୁ ସଳଖଭାବେ ନିଆଯିବାକୁ ଏହି ଗ୍ରାମବାସୀ ଅନୁରୋଧ କରିବା ସହ ଏହା କରା ନ ଗଲେ ଦୁଇଗ୍ରାମର ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏହି ଦାବିପତ୍ରର ନକଲ ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗ ସଚିବ, ଭଦ୍ରକ ଜିଲାପାଳ, ଭୂ-ଅର୍ଜନ ଅଧିକାରୀ, ବିଶ୍ୱବ୍ୟାଙ୍କ ଅଧିକାରୀ ଓ ତିହିଡି ଥାନା ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ଏନେଇ ହାଇୱେ ଇଂଜିନିୟର ସୁରେଶ କୁହନ୍ତି; ପୂର୍ବ ନିର୍ଦ୍ଧାରିତ ମ୍ୟାପ ଅନୁଯାୟୀ କାର୍ଯ୍ୟ ହେଉଛି। ତେବେ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ଏସଡିଓଙ୍କ ସହ ଯୋଗାଯୋଗ କରାଯାଇଥିବା ବେଳେ ଏପରି କିଛି ଅନିୟମିତତା ହେଉନାହିଁ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *