ଜିଲ୍ଲା ପରିକ୍ରମା

ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ କାଟିଛନ୍ତି ୯ ହଜାର ଗଛ, ପୋତିନାହାଁନ୍ତି ଗୋଟିଏ

ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ୯ ବର୍ଷ ପାରି ହୋଇଗଲା। ତଥାପି ମଧ୍ୟ ଭଦ୍ରକ-ଚାନ୍ଦବାଲି ୯ନଂ ରାଜ୍ୟ ରାଜପଥ ନବ ନିର୍ମାଣ ଶେଷ ହେଲାନାହିଁ। ଏହି ରାଜପଥର ଲମ୍ବ ୫୨ କିଲୋମିଟର। ଏଥିରୁ ୪୫ କିଲୋମିଟର ରାଜପଥକୁ ପ୍ରଥମେ ବିଶ୍ୱ ବ୍ୟାଙ୍କ ୧୦୬ କୋଟି ଟଙ୍କାରେ ନବ ନିର୍ମାଣ କରିବା ପାଇଁଏଆରଏସ୍ଏସ୍ କଂପାନୀକୁ ଦେଇଥିଲା। ଏହା ପରେ ଠିକାଦାର ବଦଳିଲେ ଯେ, ତୃତୀୟ ଠିକାଦାର ଯାଇ ପୁଣି ଚତୁର୍ଥ ଥର ଏହି ରାସ୍ତାକୁ ଦୁଇଜଣ ଠିକାଦାରଙ୍କୁ ୨୦୦ କୋଟି ଟଙ୍କା ଦିଆଗଲା ନବ ନିର୍ମାଣ ପାଇଁ। ଏହା ମଧ୍ୟରେ ଏଆରଏସ୍ଏସ୍ ୩୭ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ବିଦେଶୀ ଠିକାଦାର କର୍ସନ କଂପାନୀ ୨୨ କୋଟି ଖର୍ଚ୍ଚ କରି ପଳାଇଥିଲେ। ପରେ ଫର୍ଚୁନ ଓ ଏନକେସିକ୍ଟ ୮୦ ଓ ୧୦୪ କୋଟି ଟଙ୍କାରେ ଦୁଇଟି ଟେଣ୍ଡର ଡାକି ରାସ୍ତା କାମ ନିର୍ମାଣ କରିବାକୁ ଧରାଇଥିଲେ ସରକାର। ୨୦୦୮-୦୯ ମସିହାରୁ ୨୦୧୮ ମସିହା ହେଲା ତଥାପି ମଧ୍ୟ ଏହି ରାସ୍ତା ନିର୍ମାଣ ଶେଷ ହେଲା ନାହିଁ। ଏହି ରାସ୍ତା ନିର୍ମାଣ ପାଇଁ ୯ ହଜାର ପୁରୁଣା ଗଛ କାଟିଦେଲେ ଯେ ୯ ବର୍ଷ ମଧ୍ୟରେ ୯ଟି ଗଛ ପୋତିବାକୁ ସକ୍ଷମ ହୋଇନାହାଁନ୍ତି ଜଂଗଲ ବିଭାଗ କି ସରକାର। ରାସ୍ତାକୁ ଛାଇ ଯୋଗାଉଥିବା ଏହି ଶହ ଶହ ବର୍ଷର ପୁରୁଣା ଗଛକୁ ସଂପ୍ରସାରଣ ଆଳରେ କଟାଗଲା ଯେ, ୯ ବର୍ଷ ପରେ ବି ଗୋଟିଏ ଗଛ ଲଗାଇବାକୁ ମନ ବଳାଉନାହାଁନ୍ତି ପ୍ରଶାସନ। ଭଗବାନକୁ ଭରସା କରି ରାସ୍ତାରେ ଯାଉଛି ବାବୁମାନେ ଖରାଦିନରେ ଗଛ କାଟ ନାହିଁ। ଆମେ ହାଟକୁ ଗଲାବେଳେ ଓ ବିଲରୁ ଆସିଲାବେଳେ ଏହାର ଛାଇରେ ହାଲିଆ ମାରୁଛୁ। ଯଦି କାଟିବା ଅତି ଦରକାର ଖରାଦିନ ଯାଉ ବର୍ଷାଦିନ ବେଳକୁ କାଟିବା। ଏହି କଥା ମତୋ ଠାରୁ ଚଷାଖଣ୍ଡ ଓ ଉଗ୍ରତରା ଦେଇ ଚାନ୍ଦବାଲି ଯାଏଁ ରାସ୍ତାକଡ ଗ୍ରାମର ପୁରୁଖା ଲୋକମାନେ ଭଦ୍ରକ-ଚାନ୍ଦବାଲି ରାଜପଥ ଉପରେ ଗଛ କାଟୁଥିବା ଜଂଗଲ ବିଭାଗ କର୍ମଚାରୀଙ୍କୁ ନେହୁରା ହୋଇ କହୁଛନ୍ତି। ୨୦୦୯ ମସିହାରୁ ଭଦ୍ରକ-ଚାନ୍ଦବାଲି ରାଜପଥ ଉପରୁ ଚାଲିଛି ଯେ ଗଛକଟା ଶେଷ ହେଉନାହିଁ। ଭଦ୍ରକ ବାଇପାସ୍ର ଚାନ୍ଦବାଲି ଯାଏ ରାଜପଥ ନିର୍ମାଣ ନାମରେ ୯ ବର୍ଷ ହେଲା ହଜାର ହଜାର ପୁରୁଖା ଗଛ କଟାଯାଇ ଜାଳେଣି କାଠ ନାମରେ ଦଲାଲଙ୍କୁ ବିକ୍ରି କରାଯାଉଛି। ୯ ବର୍ଷ ହେଲା ହଜାର ହଜାର ଗଛ କଟା ଯାଉଥିଲେ ମଧ୍ୟ ଗୋଟିଏ ଗଛ ପ୍ରଶାସନ କିମ୍ବା ବିଭାଗ ଲଗାଇବାକୁ ସକ୍ଷମ ହୋଇନାହିଁ। ଭଦ୍ରକରୁ ଆଖଣ୍ଡଳମଣି ପୀଠ ଟାଏ ଯାଇଥିବା ରାଜପଥ ଉପରେ ଗଛ ଛାଇରେ ଯାତ୍ରୀ ଶାନ୍ତିରେ ନିଶ୍ୱାସ ମାରି ଯାଉଥିବାବେଳେ ଭଦ୍ରକ-ଚାନ୍ଦବାଲି ୯ନଂ ରାଜ୍ୟପଥ ଉପରେ ମରୁଭୂମିରେ ଚାଲିଲା ଭଳି ଲାଗୁଛି। ଭଦ୍ରକରୁ ତିହିଡି ଯାଏ ରାଜପଥ କିଛିଟା ନିର୍ମାଣ ହୋଇଥିଲେ ମଧ୍ୟ ଏହା କଡରେ ଗୋଟିଏ ହେଲେ ଗଛ ସରକାର ଲଗାଇ ପାରିନାହିଁ। ୨୦୧୦ ସୁଧା ପ୍ରଥମ ଠିକା କଂପାନୀ ଏଆରଏସ୍ଏସ୍ ଭଦ୍ରକରୁ ତିହିଡି ଯାଏ ଯେଉଁ ୧୭ କିଲୋମିଟର ରାସ୍ତା ନିର୍ମାଣ ଶେଷ କରିଥିଲେ, ସେହି ରାସ୍ତାରେ ୭ ବର୍ଷ ପରେ ବି ଗୋଟିଏ ଗଛ କୌଣସି ବିଭାଗ ଲଗାଇ ପାରିଲା ନାହିଁ। ଜଂଗଲ ବିଭାଗର ଗଛକଟା ନିଗମ ଭଦ୍ରକ ପୁରୁଣା ବଜାରର କିଛି ଠିକାଦାରଙ୍କୁ ଏହି ଗଛକଟା ଦାୟିତ୍ୱ ଦେଇ ୯ ବର୍ଷ ହେଲା ନିଶ୍ୱାସ ମାରିଥିବାବେଳେ ବିଶାଳକାୟ ଏହି ଦ୍ରୁମକୁ ଜାଳେଣି କାଠର ନାଁ ଦେଇ ଲକ୍ଷ ଲକ୍ଷ ଟଙ୍କା ତୋଷରପାତ ହେଉଛି। ବିଗିଡି ଯାଉଛି ପରିବେଶ, ବଢୁଛି ତାତି, ଠିକାଦାର ହେଉଛନ୍ତି ମାଲାମାଲ, ସାଧାରଣ ଜନତା ଭୋଗୁଛନ୍ତି ହିନସ୍ଥା। ୨୦୧୮ ଅଧା ହେଲା ତଥାପି ମଧ୍ୟ ଛୋଟିଆ ଗଛଟିଏ ପୂର୍ଣ୍ଣ ହୋଇଥିବା ରାସ୍ତାରେ ଲଗାଯାଇପାରିଲା ନାହିଁ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top