ଜିଲ୍ଲା ପରିକ୍ରମା

ଭଦ୍ରକ : ଚାନ୍ଦବାଲି ବ୍ଲକରେ ନିମ୍ନମାନର ପିଡିଏସ ଚାଉଳ ବଣ୍ଟନ ଅନ୍ଧାରରେ ଯୋଗାଣ ଅଧିକାରୀଙ୍କ ତଦନ୍ତ

ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ରାଜ୍ୟର ଗରିବ ହଟାଇବା ପାଇଁ ସରକାରଙ୍କ ପକ୍ଷରୁ ନାନାବିଧ ଯୋଜନା କରାଯିବା ସହ ଗରିବ ଓ ଖଟିଖିଆ ଲୋକଙ୍କୁ ୧ଟଙ୍କା ଦରରେ ଯୋଗାଇଦିଆଯାଉଛି ଚାଉଳ ଓ ଗହମ। ହିତାଧିକାରୀ ଯେପରି ସଠିକ୍ ସମୟରେ ଓ ଉଚ୍ଚମାନର ସାମଗ୍ରୀ ପାଇବେ ସେଥିପାଇଁ ଜିଲାଠାରୁ ପଞ୍ଚାୟତ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା କରାଯାଇଛି। ହେଲେ କେତେକ ଅଧିକାରୀଙ୍କ ମଧ୍ୟରେ ଅସାଧୁ ମେଣ୍ଟ ଯୋଗୁଁ ଉଚ୍ଚମାନର ଚାଉଳ ଓ ଗହମ ପାଇବାରୁ ବଞ୍ଚିତ ହେଉଛନ୍ତି ହିତାଧିକାରୀ। ଏପରି ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଲକରେ। ଏହି ବ୍ଲକରେ ଗୋଟିଏ ମାସରେ ଶହଶହ କ୍ୱିଣ୍ଟାଲ ନିମ୍ନମାନର ପିଡିଏସ ଚାଉଳ ବଣ୍ଟନ କରାଯାଇଥିବା ଏବେ ପଦାକୁ ଆସିଛି। ବିଶେଷକରି ଉକ୍ତ ବ୍ଲକର ନାନ୍ଦପୁର ପଞ୍ଚାୟତରେ ଗତ କିଛିଦନ ତଳେ ହିତାଧିକାରୀଙ୍କୁ ପୋକରା, ଖୁଦ ଓ ଗୋଡି ମିଶା ଚାଉଳ ବଣ୍ଟନ କରାଯିବାରୁ ହିତାଧିକାରୀ ହୋହଲା କରିବା ସହ ନିମ୍ନମାନର ଚାଉଳକୁ ନେଇ ପଞ୍ଚାୟତ କାର୍ଯ୍ୟାଳୟ ସମୁଖରେ ଢାଳିଥିଲେ। ଏପରି ବାରମ୍ବାର ନିମ୍ନମାନର ଚାଉଳ ବଣ୍ଟନକୁ ନେଇ ମଧ୍ୟ ସାଧାରଣରେ ଉଠିଛି ଅନେକ ପ୍ରଶ୍ନ। ଚାଉଳ ଯୋଗାଣ ନିମନ୍ତେ ଠିକା ନେଇଥିବା କଣ୍ଟ୍ରାକ୍ଟର କେତେକ ଡିଲରଙ୍କ ସହ ଅସାଧୁମେଣ୍ଟ କରି ଏହି ନିମ୍ନମାନର ଚାଉଳ ଆଣି ଯୋଗାଉଥିବା କେତେକ ଡିଲର ତାଙ୍କ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ଏପରିକି ପିଡିଏସ ବଣ୍ଟନ ନିମନ୍ତେ ଦାୟିତ୍ୱ ନେଇଥିବା ଡିଲରଙ୍କ ନିକଟରେ ନିମ୍ନମାନର ସାମଗ୍ରୀ ବାବଦରେ ଖାଉଟି ଅଭିଯୋଗ କଲେ ତାଙ୍କ ନାମ ଖାତାରୁ କାଟିଦେବା ପାଇଁ ମଧ୍ୟ ଧମକ ଦିଆଯାଉଥିବା କେତେକ ହିତାଧିକାରୀ ଅଭିଯୋଗ କରିଛନ୍ତି। ଏପରି ବିଭିନ୍ନ ସମସ୍ୟା ନେଇ ଯୋଗାଣ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଖାଉଟି ପ୍ରକାଶ କରିଛନ୍ତି। ଏପରିକି ନାନ୍ଦପୁର ପଞ୍ଚାୟତରେ ବଣ୍ଟନ ହୋଇଥିବା ଖୁଦ ଓ ଗୋଡି ମିଶା ଚାଉଳ ସମସ୍ୟା ବାବଦରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହାର ତଦନ୍ତ ନିମନ୍ତେ ବ୍ଲକ ଯୋଗାଣ ଅଧିକାରୀ ଉକ୍ତ ପଞ୍ଚାୟତକୁ ଆସିଥିଲେ ମଧ୍ୟ ସାଧାରଣ ଲୋକଙ୍କୁ ଅନ୍ଧାରରେ ରଖାଯାଇଥିଲା। ଗୋଡି ଓ ଖୁଦ ମିଶା ଚାଉଳ ପାଇବା ସମ୍ବନ୍ଧରେ ଖାଉଟିଙ୍କ ସହ କୌଣସି ଆଲୋଚନା କରି ନ ଥିଲେ ଯୋଗାଣ ଅଧିକାରୀ। ଏ ସମ୍ବନ୍ଧରେ ବ୍ଲକ ଯୋଗାଣ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରୟା ମିଳିପାରି ନାହିଁ। ଏନେଇ ଚାନ୍ଦବାଲି ବିଡିଓ ମନୋଜ ପାତ୍ରଙ୍କୁ ଯୋଗାଯୋଗ କରିବାରୁ ସେ କୁହନ୍ତି; କଣ୍ଟ୍ରାକ୍ଟର ଯେଉଁ ମିଲ୍ରୁ ଚାଉଳ ଆଣିଥାନ୍ତି ଆଗେ ତାର ମାନ ଯାଞ୍ଚ କରାଯିବା ପରେ ହିତାଧିକାରୀଙ୍କୁ ବଣ୍ଟନ କରାଯାଏ। ଚଳିତ ମାସରେ କଣ୍ଟ୍ରାକ୍ଟର ମିଲରୁ ଯେଉଁ ଚାଉଳ ଉଠାଇଥିଲା ତାହା ସିଧାସଳଖ ବଣ୍ଟନ କରିଥିବାରୁ ଏପରି ସମସ୍ୟା ଦେଖାଦେଇଥିବା ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି। ଏପରି ସମସ୍ୟା ବାବଦରେ ଯୋଗାଣ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ଶ୍ରୀ ପାତ୍ର କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top