ଜିଲ୍ଲା ପରିକ୍ରମା

ଭଦ୍ରକ : ଚାନ୍ଦବାଲି ତହସିଲରେ ମିଳୁନି ସେବା ମାସମାସ ଧରି ମିଳୁନି ଜାତିଗତ ପ୍ରମାଣପତ୍ର, କର୍ମଚାରୀଙ୍କ ଶୋଷଣରେ ଶିକାର ସାଧାରଣ ଲୋକ

ଭଦ୍ରକ, ୭ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲା ଚାନ୍ଦବାଲି ଅଞ୍ଚଳର ୩୬ ପଞ୍ଚାୟତବାସୀଙ୍କୁ ତହସିଲ କାର୍ଯ୍ୟାଳୟରୁ ସେବା ମିଳୁ ନଥିବା ଅଭିଯୋଗ ହୋଇଛି। ତହସିଲରେ ଜାତିଗତ ପ୍ରମାଣପତ୍ର ସହ ଆୟ ଓ ଘରୋଇ ପ୍ରମାଣପତ୍ର, ଜମିବାଡି ନାମଜାରି ପାଇଁ ମାସ ମାସ ଧରି ଅପେକ୍ଷା କରୁଥିଲେ ମଧ୍ୟ ଠିକ ସମୟରେ ମିଳିପାରୁ ନଥିବା କେତେକ ଅଭିଯୋଗ ଆଣିଛନ୍ତି। ଏହି ତହସିଲ ଅଧୀନରେ ଥିବା ଆରଡି, ନାନ୍ଦପୁର, ସୁନ୍ଦରପୁର, ଓଳଗ, କଇଥିକୋଲ, ଚରଦିଆ, ଧାମରା, କରଞ୍ଜମାଳ ଆଦି ପଞ୍ଚାୟତର ଲୋକମାନେ ତହିସିଲ କାମ ପାଇଁ ନଈ ପାରି ହୋଇ ଆସିଥାନ୍ତି। ମାତ୍ର କର୍ମଚାରୀଙ୍କ ଖାମଖିଆଲି ମନଭାବ ସାଙ୍ଗକୁ ବିଭିନ୍ନ ପ୍ରକାର ଶୋଷଣରେ ଶିକାର ହେଉଛନ୍ତି। ଏପରିକି ଅର୍ଥ ନହେଲେ ଫାଇଲ ଅଟକି ଯାଏ ବୋଲି ଆର୍ତ୍ତବନ୍ଧୁ ଜେନା, ଅଲେଖ ଜେନା, ସୁକାନ୍ତି ମଲିକ, ଲକ୍ଷ୍ମୀପ୍ରିୟା ସାହୁ, ଦେବବ୍ରତ ମଲିକ, ଅଶୋକ ମାଝୀ, ଅନ୍ନପୂର୍ଣ୍ଣା ନାୟକ ପ୍ରମୁଖ ଏପରି ଅଭିଯୋଗ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂଣ୍ଣ ର୍ କଥା ହେଲା ରାଜ୍ୟ ଶିକ୍ଷା ବିଭାଗ ଜୁନ ୫ରୁ ୧୭ ମଧ୍ୟରେ ଉଚ୍ଚଶିକ୍ଷା ଅଧ୍ୟୟନ ନିମନ୍ତେ ନାମଲେଖା ବିଜ୍ଞପ୍ତି ଜାରି କରିଛନ୍ତି। ଏହି ନାମ ଲେଖା ପାଇଁ ଜାତିଗତ ପ୍ରମାଣପତ୍ର ଆବଶ୍ୟକ ଥିବାରୁ ଏପ୍ରିଲ ମାସରୁ ଲୋକମାନେ ତହସିଲରେ ଅନଲାଇନ ମାଧ୍ୟମରେ ଆବେଦନ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ମିଳିନାହିଁ। ଫଳରେ ଚାନ୍ଦବାଲି ତହସିଲର ଶତାଧିକ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷାରେ ନାମ ଲେଖାରୁ ବଞ୍ଚିତ ହେବେ ବୋଲି ଅଭିବାବକ ମହଲରେ ଆଶଙ୍କା ପ୍ରକାଶ ପାଇଛି। ଏ ସଂପର୍କରେ ଚାନ୍ଦବାଲି ତହସିଲିଦାର ପ୍ରେମାଂଶୁ ଚାନ୍ଦଙ୍କୁ ପଚାରିବାରୁ ଜାତିଗତ ପ୍ରମାଣପତ୍ର ମାସକ ମଧ୍ୟରେ ଓ ଘରୋଇ ପ୍ରମାଣପତ୍ର ୧୫ ଦିନ ମଧ୍ୟରେ ଅନଲାଇନ ଦ୍ୱାରା କରାଯାଉଛି। ତେବେ ଜନସେବାକେନ୍ଦ୍ର ଓ ଆରଆଇଙ୍କ ଅଧୀନରେ ଥିବା କାର୍ଯ୍ୟ ପାଇଁ ଏପରି ସମସ୍ୟା ଦେଖାଦେଇଛି ବୋଲି ଶ୍ରୀ ଚାନ୍ଦ ପ୍ରକାଶ କରିଥିଲେ। ହେଲେ ଏପଟେ ଆରଡି ରାଜ୍ୱସ ଅଧିକାରୀଙ୍କୁ ପଚାରିବାରୁ କୌଣସି ପ୍ରମାଣପତ୍ର କିମ୍ବା ଫାଇଲ ଅଟକି ନାହିଁ ବୋଲି ସେ କହିଛନ୍ତି। ଜନସେବାକେନ୍ଦ୍ରର ପରିଚାଳକମାନେ ତହସିଲିଦାରଙ୍କ ପ୍ରତିକ୍ରିୟାକୁ ଖଣ୍ଡନ କରିବା ସହ ଆମ ପକ୍ଷରୁ ସାଧାରଣ ଲୋକମାନଙ୍କର ବିଭିନ୍ନ କାର୍ଯ୍ୟ ଅନଲାଇନ ଦ୍ୱାରା ତହସିଲକୁ ପଠାଉଥିଲେ ମଧ୍ୟ ତାହା ଠିକ୍ ସମୟରେ କାର୍ଯ୍ୟକାରୀ ନହେବା ସହ ଲୋକମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ବିଭିନ୍ନ ପ୍ରମାଣପତ୍ର ପାଇପାରୁ ନାହାନ୍ତି ବୋଲି କହିଛନ୍ତି। ଏ ସଂପର୍କରେ ଜିଲା ପ୍ରଶାସନ ଏକ ନିରପେକ୍ଷ ତଦନ୍ତ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top