ଭଦ୍ରକ : କ୍ଷେତରେ ଗଛକୁ ଦେଖି ଚାଷୀର ମନ ଭାଙ୍ଗୁଛି ମାଗଣା ସୂର୍ଯ୍ୟମୁଖୀ ମଞ୍ଜିରେ ଭଲ ଗଛ ହେଉନି

ଭଦ୍ରକ, ୨୪ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଏହି ଜିଲାର ବାସୁଦେବପୁର ବ୍ଲକର ସୂର୍ଯ୍ୟମୁଖୀ ଚାଷର ସ୍ୱତନ୍ତ୍ର ପରିଚୟ ରହିଛି । ରବି ଋତୁରେ ସ୍ଥାନୀୟ ବହୁ ଅଞ୍ଚଳରେ ଶହଶହ ଏକର ସୂର୍ଯ୍ୟମୁଖୀ ଚାଷ କରାଯାଉଛି । ସରକାରୀ ପ୍ରୋତ୍ସ ।ହନ ମିଳୁ କି ନ ମିଳୁ ଭଲ ଲାଭ ମିଳୁଥିବାରୁ ବହୁ ଚାଷୀ କିଛି ବର୍ଷଧରି ଏହି ଚାଷକୁ ଆପଣାର କରିଛନ୍ତି । ହେଲେ ବ୍ୟତିକ୍ରମ ଏହିକି; ଏଥର ବ୍ଲକ କୃଷି ବିଭାଗରୁ ମିଳିଥିବା ମାଗଣା ସୂର୍ଯ୍ୟମୁଖୀ ବିହନରେ ଭଲ ଗଛ ଉଠୁ ନ ଥିବା ଚାଷୀ ଅଭିଯୋଗ କରୁଛନ୍ତି । କ୍ଷେତରେ ଯେଉଁ ଗଛ ଉଠୁଛି ସ୍ୱୟଂସଂପୂର୍ଣ୍ଣ  ଗଛ ପରି ଦେଖାଯାଉନି । ତା’ସହିତ ସବୁ ମନ୍ଦାରେ ମଧ୍ୟ ଗଛ ଉଠୁନି । କିଏ କହୁଛି ଏଥର ମଞ୍ଜି ଭଲ ମିଳିଲାନି ଆଉ କିଏ ମାଗଣା ଦିଆଯାଇଥିବାରୁ ଭଲ ବିହନ ଦେଲେନି! ଚାଷ ଆରମ୍ଭରୁ କ୍ଷେତର ଏହି ଅବସ୍ଥା ଚାଷୀ ମନ ଭାଙ୍ଗିଦେଉଛି । ବ୍ଲକ କୃଷି ବିଭାଗର ତଥ୍ୟ ଆଧାରରେ; ବାସୁଦେବପୁର ବ୍ଲକରେ ଏଥର ୧୮୦ ହେକ୍ଟର ଜମିରେ ସୂର୍ଯ୍ୟମୁଖୀ ଚାଷ କରାଯାଇଛି । କେବିଏସଏଚ୍ ୪୧ ଓ ୫୩ କିସମର ୯ କ୍ୱିଣ୍ଟାଲ ୪୦କେଜି ବିହନ ଚାଷୀଙ୍କୁ ମାଗଣାରେ ଦିଆଯାଇଛି । ବ୍ଲକର ନୂଆଗାଁ, ଇରମ, ଭାତପଡା, ସଦେଇପଡା, ଜଗନ୍ନାଥପୁର, ପଢୁଆଁ, ଚୂଡାମଣୀ ଆଦି ଅଞ୍ଚଳରେ ଏହି ଚାଷ ବ୍ୟାପକ କରାଯାଇଛି । ନିୟମ ଅନୁସାରେ ଚାଷୀ କ୍ଷେତରେ ମଞ୍ଜି ପକାଇଥିଲେ ବି ଭଲ ଗଛ ଉଠୁ ନ ଥିବା ଅଭିଯୋଗ ହେଉଛି । କାହାର ଗଛ ଭଲ ଉଠୁନାହିଁ ଆଉ କାହର ଉଠୁଥିବା ଗଛ ରୁଗ୍ଣ ଦେଖାଯାଉଛି । ଏହି ଗଛକୁ ଦେଖି ଚାଷୀର ଚିନ୍ତାରେ ପଡିଛି । ଚାଷୀ ହରେକୃଷ୍ଣ ବେହେରା କହନ୍ତି; ଆମେ ମଞ୍ଜି କିଣି ଚାଷକରୁ । ନିୟମ ଅନୁସାରେ କ୍ଷେତରେ ମଞ୍ଜି ପକାଉ; ମଞ୍ଜି ମାଡପାଏ ନାହିଁ, ଯାହାକି ଭଲ ଗଛ ଉଠେ । ଏଥର କୃଷି ବିଭାଗରୁ ମଞ୍ଜି ମିଳିଥିଲା; ନିୟମ ଅନୁସାରେ କ୍ଷେତରେ ପକାଇଥିଲୁ । ଗଛ ଉଠିଛି; ହେଲେ ଗଛ ଆଖିକୁ ରୁଚୁନି । କେତେକ ସ୍ଥାନରେ ଗଛ ମାଡ ପାଇଯାଇଛି । ଉଠାଇ ଲଗାଇବାକୁ ପଡୁଛି । ଚାଷ କାମ ଆରମ୍ଭରେ ଗଛର ଏହି ଅବସ୍ଥା ଳ କ’ଣ ହେବ ଅମଳ ବେଳେ ଜଣାପଡିବ । ଖାଲିଯେ ଚାଷୀ ବେହେରାଙ୍କ ଏହି ଅଭିଯୋଗ ତାହା ନୁହେଁ; ରାଧାଶ୍ୟାମ ବେହେରା, ଅମର ନାୟକ ପ୍ରମୁଖ ଚାଷୀ ଏହି ଅଭିଯୋଗ ଉଠାଇଛନ୍ତି । ଯେଉଁମାନେ ବାହାରୁ ମଞ୍ଜି କିଣି ପକାଇଛନ୍ତି ସେମାନଙ୍କ ଭଲ ଗଛ ଉଠିଛି ବୋଲି ଚାଷୀ କହୁଛନ୍ତି । ମଞ୍ଜି ଖରାପ ନୁହେଁ; କେବିଏସଏଚ୍ ୪୧ ଓ ୫୩ କିସମର ମଞ୍ଜି ଦିଆଯାଇଥିଲା । କିଆରୀର ତିନିଭାଗ ପାଣି ମଡାଇବାକୁ ପରାମର୍ଶ ଦିଆଯାଇଥିଲା । ତିନିଭାଗ ପାଣି ମଡାଇଦେଲେ ବାକିଥିବା ଜମିକୁ ପାଣି ମାଡିଯାଏ । ଯେଉଁ ମାନେ ତିନିଭାଗ ପାଣି ମଡାଇ ପାଗକରି ମଞ୍ଜି ପକାଇଛନ୍ତି ସେମାନଙ୍କର ଭଲ ଗଛ ଉଠିଛି । ଯେଉଁ ଚାଷୀ କିଆରୀକୁ ସଂପୂର୍ଣ୍ଣ ପାଣି ମଡାଇଦେଇଛି; ଗଛଟିକେ ଆଗପଛ ହୋଇ ଉଠିଛି ବୋଲି ବ୍ଲକ କୃଷି ଅଧିକାରୀ ଲଷ୍ମୀଧର ସାହୁ କହିଛନ୍ତି ।

Leave a Reply

Your email address will not be published. Required fields are marked *