ଭଦ୍ରକ : କୋର୍ଟଙ୍କ ନିର୍ଦେଶକୁ ଅବମାନନା, ଭରଣପୋଷଣ ଅର୍ଥ ପାଇବାରୁ ବଞ୍ଚିତ ନାବାଳିକା

ଭଦ୍ରକ, ତା୧୪ା୭ (ଓଡ଼ିଆପୁଅ/ ପ୍ରମୋଦ ରାୟ) : କୋର୍ଟଙ୍କ ନିର୍ଦେଶ ସତ୍ତ୍ୱେ ଜନୈକା ନାବାଳିକା ଭରଣପୋଷଣ ଅର୍ଥ ନ ପାଇ ନାନାଦି ହଇରାଣ ହରକତ ହେଉଛନ୍ତି ବୋଲି ଗଣମାଧ୍ୟମ ପ୍ରତିନିଧିମାନଙ୍କ ଆଗରେ ଆଖି ଛଳ ଛଳ କରି ନିଜର ଦୁଃଖ ବ୍ୟକ୍ତ କରିଛନ୍ତି। ଅଭିଯୋଗ ଅନୁଯାୟୀ; ଏହି ଜିଲାର ବନ୍ତ ବ୍ଲକ ଆଗରପଡା ଥାନା ଅଧୀନ ନୂଆପୋଖରୀ ଗ୍ରାମର ମନ୍ମଥ ନାୟକଙ୍କ ଝିଅ ମାନସୀ ସୋସୋ ଥାନା ଅନ୍ତର୍ଗତ ବଣିଆପଙ୍କ ଗ୍ରାମର ହୃଷିକେଶ ମଲ୍ଲିକଙ୍କ ପୁଅ ସୁଭ୍ରାଂଶୁଙ୍କୁ ବିବାହ କରିଥିଲେ। ବିବାହ ସମୟରେ ଆବଶ୍ୟକୀୟ ଯୌତୁକ ସାମଗ୍ରୀ କନ୍ୟା ପକ୍ଷ ଦେଇଥିଲେ। ବିବାହର ଗୋଟିଏ ବର୍ଷ ପରେ ଅଧିକ ଯୌତୁକ ଦାବିକରି ଶ୍ୱଶୁର ଘର ପକ୍ଷରୁ ମାନସୀଙ୍କୁ ନିର୍ଯାତନା ଦିଆଯାଇ ଆସୁଥିଲା। ଗତ ୨୦୧୦ ମଇ ମାସରେ ତାଙ୍କୁ ଅତି ନିର୍ମମଭାବେ ଜୀବନରୁ ମାରିଦେଇଥିଲେ ବୋଲି ସୋସୋ ଥାନାରେ ଅଭିଯୋଗ ହେବା ପରେ ମାମଲା ଋଜୁ ହୋଇଥିଲା। ମୃତ  ମାନସୀଙ୍କ ଝିଅ ମୌସୁମୀ(୯) ନିଜର ଭରଣପୋଷଣ ଅର୍ଥ ଦାବିକରି ଭଦ୍ରକ ପରିବାର ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ସିଆରପି ନଂ-୫୧/ ୧୬ରେ ଏକ ମାମଲା ଏ ସଂପର୍କରେ ଋଜୁ ହୋଇଥିଲା। ଏହାକୁ ବିଚାର କରି ମୌସୁମୀଙ୍କ ଭରଣପୋଷଣ ପାଇଁ ମାସିକ ୧୫୦୦ଟଙ୍କା ଏହି ନାବାଳିକାଙ୍କ ବାପା ସୁଭ୍ରାଂଶୁଙ୍କୁ ପୈଠ ପାଇଁ କୋର୍ଟ ନିର୍ଦେଶ ଦେଇଥିଲେ। ତହିଁ ପରଠାରୁ ସୁଭ୍ରାଂଶୁ ଏହି ଅର୍ଥ ଦେଇଆସୁଥିଲେ ସୁଦ୍ଧା ଗତ ୫ମାସ ହେଲା ଉକ୍ତ ଅର୍ଥ ପୈଠ କରୁନାହାନ୍ତି ବୋଲି ମୌସୁମୀ ଅଭିଯୋଗ କରିଛନ୍ତି। ଅଦାଲତଙ୍କ ନିର୍ଦେଶକୁ ଖିଲାପ କରୁଥିବାରୁ ସୁଭ୍ରାଂଶୁ ମଲ୍ଲିକଙ୍କ ନାମରେ ୱାରେଣ୍ଟ ଜାରି ହୋଇଛି। ମାତ୍ର ସୋସୋ ପୁଲିସ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ନାବାଳିକାଙ୍କ ଅଜା ମନ୍ମଥ ନାୟକ ଅଭିଯୋଗ କରିଛନ୍ତି। ଏପଟେ ଅଜା ଘରେ ରହି ପାଠ ପଢୁଥିବା ମୌସୁମୀ ନିୟମିତ ଭରଣପୋଷଣ ଅର୍ଥ ନ ପାଇ ନାନାଦି ହଇରାଣ ହରକତ ହେଉଛନ୍ତି। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *