ଭଦ୍ରକ : କୋଚିଳା ବ୍ୟାରେଜରେ ଖର୍ଚ୍ଚ ହେବ ୧୮୬.୭୯ କୋଟି ଟଙ୍କା ଖୁବ୍ଶୀଘ୍ର ଆରମ୍ଭ ହେବ ନିର୍ମାଣ କାର୍ଯ୍ୟ

ଭଦ୍ରକ, ୧୮ା୪  (ଓଡ଼ିଆପୁଅ / ପ୍ରମୋଦ ରାୟ) : ଏହି ଜିଲାର ଧାମନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଚିଳା ନଦୀ ମୁହାଣ ଦାସପାରିଠାରେ ଏବଂ ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୈତରଣୀ ନଦୀର ଅର୍ଦାଳୁଆଠାରେ ବ୍ୟାରେଜ ନିର୍ମାଣ ପାଇଁ ୧୮୬ କୋଟି ୭୯ ଲକ୍ଷ ଟଙ୍କା ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ଦୁଇଟି ପ୍ରକଳ୍ପ ନିର୍ମାଣ ନିମନ୍ତେ ଡ୍ରଇଂ ଓ ଡିଜାଇନିଂ ପାଇଁ ଆବଶ୍ୟକ ସର୍ଭେ ପରେ ଖୁବ୍ଶୀଘ୍ର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ ବୋଲି ଚଳିତ ବିଧାନସଭାର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଜଳସଂପଦ ମନ୍ତ୍ରୀ ନିରଞ୍ଜନ ପୁଜାରୀ ସୂଚନା ଦେଇଛନ୍ତି । ଏହି ଦୁଇ ପ୍ରକଳ୍ପ ନିର୍ମାଣ ବାବଦରେ ସୋମବାର ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ବିଧାନସଭାରେ ଲିଖିତ ପ୍ରଶ୍ନ କରିଥିଲେ । ସୂଚନା ଥାଉକି ଧାମନଗର ବନ୍ୟା ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ବୈତରଣୀ ଓ କୋଚିଳା ନଦୀର ମୁହାଣ ଦାସପାରିଠାରେ ଏକ ବ୍ୟାରେଜ ନିର୍ମାଣ ପାଇଁ ଦାବି ହୋଇଆସୁଥିଲା । ବିଭିନ୍ନ ସମୟରେ ବିଶେଷ କରି ବନ୍ୟା ସମୟରେ ରାଜନୈତିକ ଦଳର ନେତୃମଣ୍ଡଳୀ, ମନ୍ତ୍ରୀ, ଯନ୍ତ୍ରୀ ପ୍ରମୁଖ କ୍ଷେତ୍ର ପରିଦର୍ଶନ କରିବା ସହ ବ୍ୟାରେଜ ନିର୍ମାଣ ନିମନ୍ତେ ପ୍ରତିଶ୍ରୁତି ଦେଇଆସୁଥିଲେ । ଶେଷରେ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ବିଧାନସଭା ଷ୍ଟାଣ୍ଡିଂ କମିଟି-୨ ଏବଂ ପରବର୍ତ୍ତୀ ସମୟରେ ପ୍ରଭାତ ବିଶ୍ୱାଳଙ୍କ ନେତୃତ୍ୱରେ ବିଧାନସଭା କମିଶନ କମିଟି କ୍ଷେତ୍ର ପରିଦର୍ଶନ କରି ବ୍ୟାରେଜ ନିର୍ମାଣ ନିମନ୍ତେ ସରକାରଙ୍କୁ ରିପୋର୍ଟ ଦେଇଥିଲେ । ଦାସପାରିଠାରେ ବ୍ୟାରେଜ ନିର୍ମାଣ ହେଲେ ଧାମନଗର ଅଞ୍ଚଳରେ ବନ୍ୟା ସମସ୍ୟାର ସମାଧାନ ହୋଇପାରିବ ବୋଲି ମତ ରଖିଥିଲେ । ତେବେ ବୈତରଣୀ, କୋଚିଳା ଓ ଗେଙ୍ଗୁଟି ନଦୀରେ ଅଧିକ ବନ୍ୟା ଆସିଲେ ଧାମନଗର ଅଞ୍ଚଳକୁ ଥିବା ବିଭିନ୍ନ ଏସକେପରେ ବନ୍ୟାଜଳ ପ୍ରଭାବିତ ହେଉ ଥିବାରୁ ସେହି  ସମସ୍ୟାର କିରି ସମାଧାନ କରାଯିବ ସେଥିପାଇଁ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି ।

Leave a Reply

Your email address will not be published. Required fields are marked *