ଭଦ୍ରକ କୃଷି ବିଜ୍ଞାନ କେନ୍ଦ୍ର ଜାତୀୟ ସ୍ତରରେ ପୁରସ୍କୃତ

ଭଦ୍ରକ, ୫ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ କୃଷି ବିଜ୍ଞାନ କେନ୍ଦ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ପୂର୍ବାଞ୍ଚଳର ଶ୍ରେଷ୍ଠ କୃଷି ବିଜ୍ଞାନ କେନ୍ଦ୍ର ଭାବେ “ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ କୃଷି ବିଜ୍ଞାନ ପ୍ରୋତ୍ସାହନ ପୁରସ୍କାର” ଲାଭ କରିଛି। ଏଠାରେ ସୂଚନାଯୋଗ୍ୟ ରାଣୀତାଲସ୍ଥିତ ଏହି ଭଦ୍ରକ କୃଷିବିଜ୍ଞାନ କେନ୍ଦ୍ର ୨୦୦୪ ମସିହାରେ ପ୍ରତିଷ୍ଠିତ ହୋଇଥିଲେ ମଧ୍ୟ ବିଗତ ୧୪ ବର୍ଷରେ ଜିଲ୍ଲାର ଅନେକ ବେକାର ଯୁବକ/ଯୁବତୀଙ୍କୁ କୃଷିଭିତ୍ତିକ ଧନ୍ଦାମୂଳକ ତାଲିମ ପ୍ରଦାନ କରି ସ୍ୱାବଲମ୍ବୀ କରାଇବାରେ ଏକ ବିରଳ ଉଦାହରଣ ସୃଷ୍ଟିକରିପାରିଛି। ଏହି କେନ୍ଦ୍ର କୃଷି ଓ ଆନୁସଂଗିକ କୃଷିରେ ନୂତନ ତଥା ଯୁଗପୋଯୋଗୀ ଆଧୁନିକ ଜ୍ଞାନକୌଶଳ ଜିଲାର ଚାଷୀମାନଙ୍କୁ ଯୋଗାଇ ଦେଇ ସେମାନଙ୍କ ଉତ୍ପାଦନ ବୃଦ୍ଧିରେ ସହାୟକ ହୋଇପାରିଛି। ଏଥିମଧ୍ୟରୁ ବିନା ହଳରେ ସୋରିଷ ଚାଷ, ଧାଡିରେ ଧାନବୁଣା ଯନ୍ତ୍ରର ବ୍ୟବହାର, ପୌନଃପୁନିକ ଅମଳ ପଦ୍ଧତିରେ ମାସକୁ ମାସ ମାଛ ଉତ୍ପାଦନ, ବର୍ଷସାରା ମୁଣ୍ଡା ଜାଆଁଳ ଉତ୍ପାଦନ, ଅଦିନିଆ ବା ଶୀତଋତୁରେ ପାଳଛତୁ ଉତ୍ପାଦନ କରି ଏହି ଜିଲ୍ଲା ସମେତ ପଡୋଶୀ ଜିଲ୍ଲାର ଚାଷୀମାନଙ୍କ ବାର୍ଷିକ ଆୟରେ ଆଖିଦୃଶିଆ ଅଭିବୃଦ୍ଧି ଘଟାଇପାରିଛି। ଏହି କୃଷି ବିଜ୍ଞାନ କେନ୍ଦ୍ର ସର୍ବଦା ଜିଲ୍ଲାର କୃଷି ଓ ଆନୁସଙ୍ଗିକ ବିଭାଗ ଗୁଡିକ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିଆସୁଥିବାରୁ ଜିଲ୍ଲାର ବାର୍ଷିକ ମାଛ ଉତ୍ପାଦନ ୨୦୦୫ ମସିହାରେ ହାରାହାରି ହେକ୍ଟର ପିଛା ମାତ୍ର ଦେଢ କ୍ୱିଣ୍ଟାଲ ଥିବାବେଳେ ଏବେ ଏହା ୨୦ କ୍ୱିଣ୍ଟାଲରୁ ଉଦ୍ଧ୍ୱର୍ରେ ପହଞ୍ଚିଛି। ଅନୁରୂପ ଜିଲ୍ଲାରେ ଛତୁ ଉତ୍ପାଦନ ୨୦୦୭ ମସିହାରେ ଦୈନିକ ମାତ୍ର ୩୦ କିଗ୍ରା ଥିବାବେଳେ ଏବେ ଏହା ୪୨ କ୍ୱିଣ୍ଟାଲରେ ପହଞ୍ଚିପାରିଛି। ରବିଋତୁରେ ଜଳସେଚନ ଅଭାବ ହେତୁ କୌଣସି ଫସଲ କରାଯାଉନଥିବାରୁ ଆଦ୍ରତା ଅବଶେଷାଂଶରେ ଛଟା ବିରି ଚାଷକୁ ଏହି କେନ୍ଦ୍ର ଅଧିକ ଲୋକପ୍ରିୟ କରାଇପାରିଛି। ରବି ଋତୁରେ ଜଳସେଚିତ ଜମିରେ ମୁଗ, ବିରି ଭଳି ଡାଲି ଜାତୀୟ ଫସଲ ଓ ସୋରିଷ, ସୂର୍ଯ୍ୟମୁଖୀ ଭଳି ତୈଳବୀଜ ଚାଷରେ ସମନ୍ୱିତ ଖତସାର ଓ ରୋଗ ପୋକ ପରିଚାଳନା କରାଯିବା ଦ୍ୱାରା ଏହାର ଉତ୍ପାଦନ ଏକକ ଜମିରୁ ଉର୍ଦ୍ଧ୍ୱ ହୋଇପାରିଛି। ସେହିଭଳି ୨୦୧୬-୧୭ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ଡାଲି ଜାତୀୟ ଫସଲ ବିହନ ଉତ୍ପାଦନ ପ୍ରକଳ୍ପ ମାଧ୍ୟମରେ ମୋଟ ୨୧୫ କ୍ୱିଣ୍ଟାଲ ମୁଗ, ବିରିର ଫାଉଣ୍ଡେସନ ବିହନ ଉତ୍ପାଦନ କରି ରାଜ୍ୟ ଓ ରାଜ୍ୟ ବାହାରର କୃଷି ବିଜ୍ଞାନ କେନ୍ଦ୍ରଗୁଡିକୁ ଯୋଗାଇ ଦେଇଛି। ଭଦ୍ରକର ଏହି କୃଷି ବିଜ୍ଞାନ କେନ୍ଦ୍ର ତାର ରାଣୀତାଲସ୍ଥିତ ନିଜସ୍ୱ ଫାର୍ମରେ ପ୍ରତିବର୍ଷ ହାରାହାରି ୨୮୦ କ୍ୱିଣ୍ଟାଲ ଫାଉଣ୍ଡେସନ ଧାନବିହନ, ୪୫ ଲକ୍ଷ ମିଶ୍ରିତ ମାଛଗୁଣ୍ଡ ଜାଆଁଳ, ୭୦ ହଜାର ମୁଣ୍ଡା ଜାଆଁଳ, ୫ ହଜାର ରଂଗିନ୍ ମାଛ, ୩୦ ହଜାର ପନିପରିବା ଚାରା, ୧୦ ହଜାର ଫଳଗଛ ଚାରା, ୩ ହଜାର ଜଂଗଲ ବୃକ୍ଷ ଚାରା, ୨୪ ଶହ ବୋତଲ ଛତୁ ମଂଜି ଓ ଏକ ହଜାରରୁ ଉନ୍ନତ ଉପଜାତିର ୨୧ ଦିନିଆ କୁକୁଡା ଚିଆଁ ଉତ୍ପାଦନ କରି ସୁଲଭ ମୂଲ୍ୟରେ ଜିଲ୍ଲାର ଚାଷୀ ଓ କୃଷିଜୀବୀ ମହିଳାମାନଙ୍କୁ ଯୋଗାଇ ଦେଇଆସୁଛି। ଜୈବିକ କୃଷିକୁ ଜିଲାରେ ଅଧିକରୁ ଅଧିକ ଲୋକାଭିମୁଖୀ ଓ ଆଦୃତ କରାଇବା ଲକ୍ଷ୍ୟରେ ଏହି କୃଷି ବିଜ୍ଞାନ କେନ୍ଦ୍ର ଜିଆଖତ ପ୍ରସ୍ତୁତି, ନାଦେପ୍ କମ୍ପୋଷ୍ଟ ଉତ୍ପାଦନ, ଆଜୋଲା ଚାଷ ଉପରେ ନିୟମିତ ତାଲିମ୍ ଓ କ୍ଷେତ୍ର ପ୍ରଦର୍ଶନ କରିଆସୁଛି। ପ୍ରତିବର୍ଷ ଏହି କେନ୍ଦ୍ର ୩୦ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଜିଆଖତ, ୨୦ କିଗ୍ରା ଉନ୍ନତମାନର ଜିଆ ଓ ଇଚ୍ଛୁକ ଚାଷୀଙ୍କୁ ଆବଶ୍ୟକ ମୁତାବକ ଅଜୋଲା ଉତ୍ପାଦନ କରି ସୁଲଭ ମୂଲ୍ୟରେ ଯୋଗାଇ ଦେଇଆସୁଛି। କେନ୍ଦ୍ରରେ ରହିଥିବା ମୃତ୍ତିକା ଓ ଜଳ ପରୀକ୍ଷା ଗାରରେ ମାଟି ଓ ପାଣିର ନମୁନା ପିଛା ୫ଟଙ୍କା ନିଆଯାଇ ପରୀକ୍ଷା କରାଯାଉଛି। ପ୍ରତିବର୍ଷ ପ୍ରାୟ ୭ ଶହରୁ ଉର୍ଦ୍ଧ୍ୱ ମୃତ୍ତିକା ନମୁନା ପରୀକ୍ଷା କରାଯାଇ ଜିଲ୍ଲାର ଚାଷୀଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଉଛି। ଫଳରେ ଚାଷୀଟିଏ ଜମିରେ ଆବଶ୍ୟକ ମୁତାବକ ଖତସାର ପ୍ରୟୋଗ କରି ଲାଭବାନ ହୋଇପାରୁଛି। ଏହି ଜିଲ୍ଲାରେ ରହିଥିବା ୩ ଗୋଟି ଭିନ୍ନ ଭିନ୍ନ ଜଳବାୟୁ ଭିତ୍ତିକ କୃଷି ପରିବେଶରେ ୫ ଗୋଟି ଗ୍ରାମକୁ ଚୟନ କରାଯାଇ କେନ୍ଦ୍ରର ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରାଯାଇଛି। ପ୍ରତ୍ୟେକ ଗ୍ରାମ ପାଇଁ ସ୍ୱତନ୍ତ୍ର ଭାବେ ବୈଷୟିକ ଖସଡା ପ୍ରସ୍ତୁତ କରାଯାଇ ୨୦୧୭ ରୁ ୨୦୨୨ ମଧ୍ୟରେ କୃଷକମାନଙ୍କ ଆୟ ଯେଭଳି ୨ ଗୁଣା ହୋଇପାରିବ, ସେଥିପାଇଁ କେନ୍ଦ୍ର ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିଆସୁଛି। ଗତ ୨୦୧୬ ମସିହାରେ ଭଦ୍ରକ କୃଷି ବିଜ୍ଞାନ କେନ୍ଦ୍ର ଜିଲ୍ଲାରେ କୃଷି ଓ କୃଷକମାନଙ୍କ ଉନ୍ନତି ପାଇଁ କାର୍ଯ୍ୟ ଶୈଳୀରେ ଉତ୍କର୍ଷତା ଆଣି ଥିବାରୁ ଓୟୁଏଟି ଅଧୀନସ୍ଥ ମୋଟ ୩୧ ଗୋଟି କୃଷି ବିଜ୍ଞାନ କେନ୍ଦ୍ରମାନଙ୍କ ମଧ୍ୟରୁ ଶ୍ରେଷ୍ଠ ବିବେଚିତ ହୋଇ ପୁରସ୍କୃତ ହୋଇଥିଲା। ଏହି କେନ୍ଦ୍ରର ଉପରୋକ୍ତ ସଫଳତା ପାଇଁ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଡଃ ଅରବିନ୍ଦ ଦାସ, ଓୟୁଏଟି ଆଇସିଏଆର ଉପଦେଷ୍ଟା ମଣ୍ଡଳୀର ସମସ୍ତ ସଭ୍ୟ, ଜିଲ୍ଲା ପ୍ରଶାସନ ତଥା କେନ୍ଦ୍ର ଉପରେ ଆସ୍ଥା ପ୍ରକଟ କରିଥିବା ସମସ୍ତ କୃଷକ ଓ କର୍ମଜୀବୀ ମହିଳାଙ୍କୁ ଏହି ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଧନ୍ୟବାଦ ଜ୍ଞାପନ କରିଛନ୍ତି।

Leave a Reply

Your email address will not be published. Required fields are marked *