ଜିଲ୍ଲା ପରିକ୍ରମା

ଭଦ୍ରକ କାଳୀପୂଜା ପାଇଁ ଚଳଚଞ୍ଚଳ ମା’ଙ୍କ ପୀଠ

ଭଦ୍ରକ, ୪ା୧୧ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଆଉ ଦୁଇଦିନ ପରେ ଭଦ୍ରକରେ ପ୍ରସିଦ୍ଧ କାଳୀପୂଜା। ଏଥିପାଇଁ ଚରମ୍ପା ଅଂଚଳ ହୋଇଛି ଚଳଚଞ୍ଚଳ। ସଜେଇ ହେଉଛି ମା’ କାଳୀଙ୍କର ମେଢ। ବିଭିନ୍ନ ପୀଠ ଚଳଚଞ୍ଚଳ ହେଲାଣି। ସହରର ପ୍ରତି ମେଢ ଓ ଛକ ଜାଗା ମାନଙ୍କରେ ଆକର୍ଷଣୀୟ ତୋରଣ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ବିଭିନ୍ନ ମେଢରେ ମା’ କାଳୀଙ୍କର ମୂର୍ତ୍ତିଗଢା କାମ ଶେଷ ହୋଇ ଏବେ ଖଡି ବୋଳା କାମ ଆରମ୍ଭ ହୋଇଛି। ସେମିତି ପ୍ରତି ମେଢ ଓ ମଣ୍ଡପରେ ମାଆଙ୍କର ମୁଖ୍ୟ ମୂର୍ତ୍ତି ହେବା ସହ ପାର୍ଶ୍ୱ ମୂର୍ତ୍ତି ମଧ୍ୟ ଗଢା ଚାଲିଛି। ଭଦ୍ରକରେ କାଳୀ ପୂଜାର ମାହୋଲ ବିଶେଷ କରି ଭଦ୍ରକର ଚରମ୍ପା ଅଂଚଳରେ ଦେଖିବାକୁ ମିଳେ। ଭଦ୍ରକରେ ମା’ ଭଦ୍ରକାଳୀଙ୍କର ଆଦି ଶକ୍ତିପୀଠ ଆହାରପଦାସ୍ଥିତ ମା’ ଭଦ୍ରକାଳୀ ପୀଠରେ ମାଙ୍କର ସପ୍ତଦିନ ବ୍ୟାପୀ ସପ୍ତମାତୃକା ବେଶରେ ପୂଜା କାର୍ଯ୍ୟ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପର୍ବ ଆଗେଇ ଚାଲିଛି। ଦେବୋତ୍ତର ବିଭାଗର ମୁଖ୍ୟ ଭଦ୍ରକ ଉପଜିଲାପାଳ ସୂଚାରୁ ବଳ ମା’ଙ୍କର ଏଇ ପ୍ରସିଦ୍ଧ ପୂଜା କାର୍ଯ୍ୟ ପାଇଁ ମନ୍ଦିର କମିଟି ସହ ବୈଠକ କରି ପୂଜା କାର୍ଯ୍ୟ କିଭଳି ସୂଚାରୁ ରୂପେ ସଂପାଦନ ହେବ, ତାହାକୁ ନେଇ ଆଲୋଚନା ହୋଇଛି। ଭଦ୍ରକର ଚରମ୍ପା ବଜାରରେ ପ୍ରସିଦ୍ଧ କାଳୀପୂଜା ପାଇଁ ଜିଲାପାଳ ଜ୍ଞାନ ରଂଜନ ଦାସଙ୍କ ସହ ଶାନ୍ତି କମିଟି ବୈଠକ ହୋଇଛି। ଶାନ୍ତି ଶୃଙ୍ଖଳାର ସହ କିଭଳି ପୂଜା କାର୍ଯ୍ୟ ଶେଷ ହେବ, ସେଥିପାଇଁ ଏସ୍ପି ରାଜେଶ ପଣ୍ଡିତ ଜିଲାରେ ପୁଲିସ୍ ବ୍ୟବସ୍ଥାକୁ କଡା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସହରରେ ୯ଟି କାଳୀ ମେଢ ହେଉଥିବାବେଳେ ଏହି ୯ଟି ମେଢରେ ମୂର୍ତ୍ତି ଗଢା ଓ ତୋରଣ କାମ ପ୍ରସ୍ତୁତି ଜୋରଦାର ଚାଲିଛି। ଭଦ୍ରକର ଭଦ୍ରକାଳୀ ପୀଠ, ପଥରକାଳୀ ପୀଠ, ଦକ୍ଷିଣ କାଳୀଙ୍କ ପୀଠ, କୁଣ୍ଡିକାଳୀ ପୀଠରେ ପୂଜା ଅର୍ଚ୍ଚନା ଯଥାରୀତି ହେବ ବୋଲି ମନ୍ଦିର କମିଟି ପକ୍ଷରୁ ସୂଚନା ଦିଆଯାଇଥିବାବେଳେ ରାଜଘାଟ କାଳୀ ମେଢ, ଏରେଇଁ କାଳୀ ମେଢ, ଷ୍ଟେସନ କାଳୀ ମେଢ, ଆରସିବିଏଲ୍ ହାଇସ୍କୁଲ କାଳୀ ମେଢ, ପିଡବ୍ଳୁ୍ୟଡି କାଳୀ ମେଢ ଓ ଓଏସ୍ଆରଟିସି କାଳୀ ମେଢରେ ପୂଜା ପାଇଁ ମୂର୍ତ୍ତି ଗଢା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କାଳୀପୂଜାରେ ଯେଉଁ ସବୁ ଯାନିଯାତ୍ରା ପଡିବ। ସେମାନେ ଏବେଠାରୁ ସେମାନଙ୍କର ଜାଗା ଚିହ୍ନଟ କରିବା ସହ ଟେଣ୍ଡ ନିର୍ମାଣ କାମ ଆରମ୍ଭ କରି ଦେଇଛନ୍ତି। ସେହିପରି ଭଦ୍ରକ କାଳୀପୂଜାରେ ମୁଖ୍ୟ ଆକର୍ଷଣ ହେଉଛି ଅପେରା ପାର୍ଟି। ଏଥର କାଳୀପୂଜା ପାଇଁ ମଧ୍ୟ କିଛି ପୂଜା କମିଟି ପକ୍ଷରୁ ଜିଲା ପ୍ରଶାସନ ନିକଟରେ ଅପେରା ପାର୍ଟି ପାଇଁ ଅନୁମତି ନେବାକୁ ଆବେଦନ କରିଛନ୍ତି। ପରମ୍ପରାକୁ ଦୃଷ୍ଟିରେ ରଖି ସବୁ ଧର୍ମୀୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ବୋଲି ଜିଲାପାଳ ଜ୍ଞାନ ଦାସ ସବୁଜ ସଂକେତ ଦେଇଥିବାବେଳେ ଜିଲାରେ ହେଉଥିବା ପ୍ରସିଦ୍ଧ କାଳୀପୂଜା ପରି ଗଣପର୍ବକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବାକୁ ଜିଲାବାସୀଙ୍କୁ ଓ ପୂଜା କମିଟିର ଆୟୋଜକମାନଙ୍କୁ ସେ ପରାମର୍ଶ ଦେଇଛନ୍ତି। ସବୁ ପୂଜା କମିଟିର କର୍ମକର୍ତ୍ତାମାନେ ମଧ୍ୟ ଶାନ୍ତି-ଶୃଙ୍ଖଳା ରକ୍ଷା କରିବା ଦିଗରେ ସହଯୋଗ କରିବେ ବୋଲି ଆୟୋଜିତ ଶାନ୍ତି କମିଟି ବୈଠକରେ ପ୍ରକାଶ କରିଛନ୍ତି। ଭଦ୍ରକରେ ପ୍ରସିଦ୍ଧ କାଳୀପୂଜା ପାଇଁ ଏବେ ସବୁ ମହଲରେ ଉତ୍ସାହ ପରିଲକ୍ଷିତ ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top