ଭଦ୍ରକ : କାର୍ଯ୍ୟରେ ଅବହେଳା ନେଇ କାର୍ଯ୍ୟାନୁଷ୍ଠାନ ତିହିଡି ବ୍ଲକର ୧୩ କର୍ମଚାରୀଙ୍କ ଦରମା ବନ୍ଦ

ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : କାର୍ଯ୍ୟରେ ଅବହେଳା ଓ ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଥିବା ତିହିଡି ବ୍ଲକର ୧୩ ଜଣ କର୍ମଚାରୀଙ୍କର ଦରମା ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ଜିଲା ଗ୍ରାମ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ (ପିଡି) ତିହିଡି ବ୍ଲକରେ ଅନୁଷ୍ଠିତ କ୍ୟାମ୍ପରେ କର୍ମଚାରୀଙ୍କ କାର୍ଯ୍ୟର ସମୀକ୍ଷା କରିବା ସହ ଏହି ପଦକ୍ଷେପ ନେଇଛନ୍ତି। ଏହି କର୍ମଚାରୀ ସେମାନଙ୍କର ସାପ୍ତାହିକ ଓ ମାସିକ ଲକ୍ଷ୍ୟ ହାସଲ କରିପାରିନାହାନ୍ତି କି ସେମାନେ ସେମାନଙ୍କର କାର୍ଯ୍ୟ ଶୃଙ୍ଖଳାର ସହ କରିନାହାନ୍ତି। ଯେଉଁମାନଙ୍କର ଦରମା ବନ୍ଦ କରାଯାଇଛି ସେମାନେ ହେଲେ ରାଜନଗର ଜିଆରଏସ ଅଜୟ କୁମାର ବିଶ୍ୱାଳ, ଶ୍ୟାମସୁନ୍ଦରପୁର ଜିପିଟିଏ ଅଲେଖ ତିର୍କି, ଭାଟପଡା, ଆଇସି ବିପିଏମ ରଶ୍ମିତା ପଣ୍ଡା, ଗୋବିନ୍ଦପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ବନମାଳି ତ୍ରିପାଠୀ, ସୟା ଜିପିଟିଏ ପ୍ରଜ୍ଞାପାରମିତା ମହାନ୍ତି, ବାହାବଳପୁର ଜିଆରଏସ ଜତିନ କୁମାର ଦାସ, ରାଜନଗର ପଞ୍ଚାୟତ ନିର୍ବାହୀ ଅଧିକାରୀ ରବିନାରାୟଣ ନାଥ, ସୟା ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁରଥ ଦାସ, ନରେନ୍ଦ୍ରପୁର ଜେଇ ସୁକାନ୍ତ ମିଶ୍ର, ବାମନବିନ୍ଧା ପଞ୍ଚାୟତ ନିର୍ବାହୀ ଅଧିକାରୀ ରତିକାନ୍ତ ମହାଳିକ, ପାଳିଆବିନ୍ଧା ଜିପିଟିଏ ତନୁଜା ମିଶ୍ର, କୁବେରା ଜିଆରଏସ ହିମାଂଶୁ ଶେଖର ନାୟକ ଓ ହରିସିଂହପୁର ପଞ୍ଚାୟତ ଜିପିଟିଏ ଅବଳା ନାୟକ। ସେମାନଙ୍କର ସାପ୍ତାହିକ କାର୍ଯ୍ୟର ମୂଲ୍ୟାଙ୍କନ ପିଡିଙ୍କ ନିକଟକୁ ପଠାଇବାକୁ ବିଡିଓଙ୍କୁ ନିର୍ଦେଶ ଦିଆଯାଇଛି। ସେହିପରି ବିଡିଓ ସମ୍ମତି ନ ଦେବା ପର୍ଯ୍ୟନ୍ତ ସେମାନଙ୍କ ଦରମା ବନ୍ଦ ରହିବ ଏବଂ କାର୍ଯ୍ୟରେ ଉନ୍ନତି ନ ହେଲେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ପିଡିଙ୍କ ନିକଟରେ ସେମାନଙ୍କ ବିରୋଧରେ ଡ୍ରାଫ୍ଟଚାର୍ଯ ବିଡିଓ ଦାଖଲ କରିବାକୁ କୁହାଯାଇଛି। ଏହି ଚିଠିର ନକଲ ସଂପୃକ୍ତ କର୍ମଚାରୀଙ୍କ ନିକଟକୁ ପଠାଯିବା ସହ କାର୍ଯ୍ୟରେ ଅବହେଳାର କାରଣ ଦର୍ଶାଇବା ପାଇଁ ସେମାନଙ୍କୁ କୁହାଯାଇଥିବା ବେଳେ ଜିଲାପାଳ ଓ ବିଡିଓଙ୍କୁ ମଧ୍ୟ ଏହି କାର୍ଯ୍ୟାନୁଷ୍ଠାନ ସଂପର୍କରେ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *