ଭଦ୍ରକ-ଚାନ୍ଦବାଲି ରାସ୍ତାର ଦୋହରିକରଣର ଗୁମର କାମ ସାରି ନ ଥିବା କଂପାନୀକୁ ଉପହାର

ଭଦ୍ରକ, ୧୩/୫ (ଓଡ଼ିଆ ପୁଅ/ପ୍ରମୋଦ ରାୟ): ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ପୂର୍ତ୍ତ ବିଭାଗରେ ଚାଲିଛି ଅଫିସର ରାଜ। ସେମାନଙ୍କ ଭିତରେ ଚାଲିଛି ଯାବତିୟ କାଇଦା କଟକଣା; ଯାହାର ଜ୍ୱଳନ୍ତ ଉଦାହରଣ ଭଦ୍ରକ-ଚାନ୍ଦବାଲି ରାସ୍ତା ଦୋହରି କରଣର କାର୍ଯ୍ୟ। ୧୨୦ କୋଟି ଟଙ୍କା ବ୍ୟୟରେ ମହୁଲିଆଠାରୁ କେନ୍ଦ୍ରାପଡାର ଦୋହରିଆ ଛକ ପର୍ଯ୍ୟନ୍ତ ଏକ ପ୍ୟାକେଜ୍ ରେ ଘରୋଇ କଂପାନୀ ଏନ୍ ଜେସିକୁ କାମ ଦିଆଯାଇଥିଲା। ହେଲେ ଚାନ୍ଦବାଲି ସହର ଦେଇ ଯାଇଥିବା ଏହି ରାସ୍ତା କାମକୁ କଂପାନୀ ଏପର୍ଯ୍ୟନ୍ତ ସାରିାରିଲା ନାହିଁ। କାର୍ଯ୍ୟ ଅବଧି, ଅନୁଦାନ ସଂପର୍କରେ ମଧ୍ୟ କୌଣସି ସ୍ୱଚ୍ଛତା ଫଳକା ଲଗାଯାଇନାହିଁ। କାର୍ଯ୍ୟ ଆରମ୍ଭର ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ କଂପାନୀ ଉକ୍ତ ରାସ୍ତା କାମ ସାରିାରିଲା ନାହିଁ। ଫଳରେ କଂପାନୀ ଜୋରିମାନା ଦେବା କଥା; ମାତ୍ର କଂପାନୀକୁ ବିଭାଗ ପୁରସ୍କୃତ କରାଯାଇଛି। କଂପାନୀକୁ ପୁରଷ୍କାର ସ୍ୱରୁପ ମିଳିଛି ପୀରହାଟ ଠାରୁ ମହୁଲିଆ ପର୍ଯ୍ୟନ୍ତ ୧୦୦ କୋଟି ଟଙ୍କାର ଆଉ ଏକ ପ୍ୟାକେଜ୍ କାମ। ଏଣୁ ସ୍ୱତଃ ପ୍ରଶ୍ନ ଉଠେ ଏଭଳି ଅହେତୁକ ଅନୁକମ୍ପା ପଛରେ ପୂର୍ତ୍ତ ବିଭାଗର କେଉଁ ଉଦେଶ୍ୟ ରହିଛି। ବିଭାଗର ଜଣେ ବରିଷ୍ଟ ପଦାଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି ୨୪ ମାସ ହେଲା କଂପାନୀ ଉକ୍ତ ରାସ୍ତା କାମ ସାରିାରିନି। ଯେଉଁଭଳି ଗତିରେ ରାସ୍ତା କାମ ହେଉଛି, ୪୪୦ ମାସ ବିତିଗଲେ ମଧ୍ୟ ଉକ୍ତ କାମ ସରିବନି। କାହିଁକିନା ୬ ମାସ ମଧ୍ୟରେ ମାତ୍ର ୧୭୫୦ମିଟର କାମ ସାରିଥିବା ଏହି ମନ୍ଥର ଗତିର ଜ୍ୱଳନ୍ତ ଉଦାହରଣ। କାମ ଧିରେ ଚାଲିଥିବାରୁ ଶାସକ ବିଜେଡି ଠାରୁ ଆରମ୍ଭ କରି ବିରୋଧୀ ବିଜେପି ପର୍ଯ୍ୟନ୍ତ ସମସ୍ତେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଜେପି ଏହି ପ୍ରସଙ୍ଗରେ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଧମକ ମଧ୍ୟ ଦେଇଛି। ହେଲେ କଂପାନୀର କାର୍ଯ୍ୟଧାରା ସନ୍ତୁଷ୍ଟଜନକ କହି ସାର୍ଟିଫିକେଟ ଦେଉଥିବା ପଦାଧିକାରୀଙ୍କ ଭୂମିକା ରହସ୍ୟମୟ ବୋଲି ଆଲୋଚନା ହେଉଛି। ବର୍ତ୍ତମାନ ସୁଦ୍ଧା କଂପାନୀ ଯେତକ ପୋଲ କାମ ଆରମ୍ଭ କରିଛି ସେଶବୁ କାମ ନ ସରିଲେ ଆଗାମୀ ବର୍ଷା ଦିନରେ ଭଦ୍ରକରୁ ଚାନ୍ଦବାଲି ବିଚ୍ଛିନ୍ନ ହେବ ନିଶ୍ଚିତ। ଅପରପକ୍ଷରେ କଙ୍କ୍ରିଟି ରାସ୍ତାରେ ଫାଟ ଦେଖାଦେବା ନେଇ ଖବର ପ୍ରକାଶ ପରେ ଭଦ୍ରକ ପୂର୍ତ୍ତ ବିଭାଗର ନିର୍ବାହି ଯନ୍ତ୍ରୀ ଅମୀୟ ନାୟକଙ୍କ ସମେତ ବହୁ ପଦାଧିକାରୀ ଘଟଣାର କ୍ଷେତ୍ରୀୟ ତଦନ୍ତ କରିଛନ୍ତି। ଏ ସମ୍ବନ୍ଧରେ ନିର୍ବାହୀ ଯନ୍ତ୍ରୀଙ୍କ ମତାମତ ହେଉଛି; ୨ମିମି ପର୍ଯ୍ୟନ୍ତ ଫାଟ ହେଲେ ବି କିଛି ଅସୁବଧା ନାହିଁ, ଆମେ ଘଟଣା ଉପରେ ନଜର ରଖିଛୁ, ଯଦି ଅଧିକ କିଛି ଫାଟ ଦେଖା ହୁଏ ତେବେ ସେସବୁ ଅଂଶକୁ କାଢି ନୂଆ କରିବାକୁ କଂପାନୀକୁ କୁହାଯିବ ବୋଲି କହିଛନ୍ତି। ଏଥିପ୍ରତି ମୁଖ୍ୟମନ୍ତ୍ରୀ ଦୃଷ୍ଟିଦେଇ ତାଙ୍କ ବିଭାଗରେ କିଭଳି ସ୍ୱଚ୍ଛତର ସହ କାର୍ଯ୍ୟ ହେଉଛି ତାହାକୁ ତଦାରଖ କରିବାକୁ ସାଧାରଣରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *