ଭଦ୍ରକ : କାମ ଦେଉନି ସରକାରଙ୍କ ଘୋଷଣା ବାଟମାରଣା ହେଉଛି କିରୋସିନି

ଭଦ୍ରକ, ୨୭ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏପି୍ରଲ ଓ ମେ’ ମାସର ରାସନ ସାମଗ୍ରୀ ସହିତ ହିତାଧିକାରୀ ମୁଣ୍ଡପିଛା ଦୁଇ ମାସର କିରୋସିନି ୧୩ ଶହ ମିଲିଲିଟର ପାଇବେ ବୋଲି ଯୋଗାଣ ବିଭାଗ କହୁଛି । ମାତ୍ର ଏହି ଜିଲାର ବାସୁଦେବପୁର ବ୍ଲକ ହିତାଧିକାରୀଙ୍କ କ୍ଷେତ୍ରରେ ଏହି ନିୟମରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଦୁଇ ମାସର ୧୩୦୦ ମିଲି ଲିଟର ବଦଳରେ ହିତାଧିକାରୀଙ୍କୁ ମିଳୁଛି ୮ରୁ ୯ ଶହ । ପ୍ରତିବାଦ କଲେ ଖାଉଟିଙ୍କୁ କିରୋସିନି ମିଳିବା ତ ଦୂରର କଥା ସାମଗ୍ରୀ ବି ମିଳୁନି । ସରକାରୀ ନିୟମର ବାରମ୍ବାର ବ୍ୟତିକ୍ରମ ଦେଖାଦେଉ ଥିଲେ ବି ଅଭିଯୋଗ ଆସିଲେ ତଦନ୍ତ କରାଯିବ ବୋଲି ସ୍ଥାନୀୟ ଯୋଗାଣ ନିରୀକ୍ଷକ କହୁଛନ୍ତି । ସୂଚନା ଅନୁସାରେ ବ୍ଲକରେ ୪୨ ହଜାର ୬୮୫ ଜଣ କାର୍ଡଧାରୀ ଅଛନ୍ତି । ଏହି କାର୍ଡଧାରୀଙ୍କ ପାଇଁ ୧ ଲକ୍ଷ ୮ ହଜାର ୯ ଶହ ଲିଟର କିରାସିନି ଆସୁଛି । କାର୍ଡଧାରୀଙ୍କୁ ୬୫୦ ମିଲି ଲିଟର ହିସାବରେ ଦୁଇ ମାସର ୧୩୦୦ ମିଲି ଲିଟର ଦେବାକୁ ନିୟମ ରହିଛି । ହେଲେ ଏହି ନିୟମର ବ୍ୟତିକ୍ରମ ହେଉଛି । କାର୍ଡଧାରୀଙ୍କୁ ମିଳୁଛି ମାତ୍ର ଦୁଇ ମାସରେ ୮ରୁ ୯ ଶହ ମିଲି ଲିଟର କିରୋସିନି । ତା’ ପୁଣି ରିଟେଲର ପଏଣ୍ଟକୁ ଯିବାରେ ବିଳମ୍ବ ହେଲେ କିରୋସିନି ମିଳୁନି । ଅନ୍ୟପକ୍ଷରେ ଅଧିକାଂଶ ଡିଲରଙ୍କ ମନ୍ତବ୍ୟ ହେଲା ‘ଯାହା ଆସୁଛି ସେଇଆ ଦେଉଛି । ଯଦି ନେବତ ନିଅ, ନହେଲେ ଫେରିଯାଅ’ । କାନମୁଣ୍ଡ ଆଉଁସି ଖାଉଟି ଯାହା ମିଳୁଛି ଆଣିବାକୁ ବାଧ୍ୟ ହେଉଛି । ସେହିପରି ପୌରପାଳିକାରେ ୪ ହଜାର ୯୦୪ ଜଣ କାର୍ଡଧାରୀ ରହିଛନ୍ତି । ଏମାନଙ୍କ ପାଇଁ ୧୨ ହଜାର ଲିଟର କିରାସିନି ଆସୁଛି । ହେଲେ କାର୍ଡଧାରୀଙ୍କୁ ସରକାରୀ ନିୟମରେ ତେଲ ମିଳୁନି । ସବୁଠାରୁ ବଡକଥା; ଆଗରୁ ମେସିନରେ ଟିଚିହ୍ନ ନିଆଯାଉଥିବା ବେଳେ ଏବେ ଖାତାରେ ନା’ ଲେଖି ଦେଉଛନ୍ତି । କାର୍ଡଧାରୀଙ୍କ ପାଇଁ ତେଲ ଆସୁଛି, ପୁଣି ତେଲର ଅଭାବ ଦେଖାଦେଉଛି କେମିତି । ଏହି ସମସ୍ୟା ଉପରେ ଯୋଗାଣ ବିଭାଗ ନଜର ଦେଉ ନଥିବା ଅଭିଯୋଗ ହେଉଛି । କେବଳ ଅଭିଯୋଗ ଆସିଲେ ତଦନ୍ତ କରାଯିବ କହି ଯୋଗାଣ ନିରୀକ୍ଷକ ନିଜର ଦାୟିତ୍ୱ ଶେଷ କରିଦେଉଛନ୍ତି । ଅନ୍ୟପକ୍ଷରେ ପଞ୍ଚାୟତ ହେଉ ଅବା ପୌରପାଳିକା, କାର୍ଡ ନଥିବା ଲୋକଙ୍କୁ କାର୍ଡଧାରୀଙ୍କ ତେଲରୁ କାଟି ଦିଆଯାଉଛି ବୋଲି ଅଲିଖିତ ନିଷ୍ପତି ହୋଇଛି । ବାସ୍ତବରେ କାର୍ଡ ନଥିବା ଲୋକଙ୍କ ପାଖରେ ଏହି ତେଲ ପହଞ୍ଚୁଛି ନା ଅଧବାଟରୁ ହଡପ ହେଉଛି ବୋଲି ପ୍ରଶ୍ୱବାଚୀ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *