ଜିଲ୍ଲା ପରିକ୍ରମା

ଭଦ୍ରକ କଲେଜ ପଡିଆ ଏବେ ଅସାମାଜିକଙ୍କ ଆଡ୍ଡାସ୍ଥଳୀ

ଭଦ୍ରକ, ୬ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ରାଜ୍ୟର ଦ୍ୱିତୀୟ ସର୍ବବୃହତ୍ତମ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳ ପଡିଆ ଏବେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଚତୁର୍ପାଶ୍ୱର୍ରେ ପୁରୁଣା କାଳିଆ ଆମ୍ବଗଛ ସାଙ୍ଗକୁ ସବୁଜ ଘାସ ଏହି ପଡିଆକୁ ବେଶ୍ ଆକର୍ଷଣୀୟ କରି ଗଢି ତୋଳିଛି। ସହର ମଧ୍ୟରେ କେବଳ ନେହେରୁ ଷ୍ଟାଡିୟମ୍କୁ ଛାଡି ଦେଲେ ଅନ୍ୟ କୌଣସି ସ୍ଥାନରେ ଏପରି ଖେଳ ପଡିଆ ଦେଖିବାକୁ ମିଳେ ନାହିଁ। ଏହି ପଡିଆର ଭୌଗୌଳିକ ଅବସ୍ଥିତି ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ଶତାଧିକ କ୍ରୀଡାପ୍ରେମୀଙ୍କୁ ଆକର୍ଷିତ କରିଥାଏ। ପ୍ରାତଃ ସମୟରେ ଏଠାରେ ଛୋଟ ଛୋଟ ପିଲାଙ୍କ ଭିଡ ଜମିଥାଏ। ସେମାନେ ଶାରୀରିକ ଅଭ୍ୟାସ କରିଥାନ୍ତି। ସେହିପରି ବହୁ ସଂଖ୍ୟକ ବୟସ୍କ ଲୋକ ମଧ୍ୟ ପଡିଆ ଚାରିକଡରେ ପ୍ରାତଃ ଭ୍ରମଣ କରିଥାନ୍ତି। ଅନୁରୂପ ଅପରାହ୍ନରେ ମଧ୍ୟ ଏଠାରେ ଫୁଟବଲ୍, କ୍ରିକେଟ୍, ବାସ୍କେଟବଲ, ରୋଲବୋଲ୍ ଖେଳାଳିଙ୍କ ଭିଡ ଜମିଥାଏ। ସରକାରଙ୍କ ଜାତୀୟ ଦିବସ ପାଳନ ସମେତ ବିଭିନ୍ନ କାର୍ଯ୍ୟକ୍ରମ, ଏନ୍ସିସି କ୍ୟାଡେଟଙ୍କ ଅଭ୍ୟାସ, ବିଭିନ୍ନ କ୍ରୀଡାହ ପ୍ରତିଯୋଗିତା ମଧ୍ୟ ଏଠାରେ ଅନୁଷ୍ଠିତ ହୁଏ। ଏହି ପଡିଆ ଏବେ ନିଜର ସ୍ୱତନ୍ତ୍ରତା ହରାଇବାକୁ ବସିଛି। ସନ୍ଧ୍ୟା ପରେ ଏହି ପଡିଆ କେତେକ ଅସାମାଜିକ ତତ୍ୱଙ୍କ ଆଡ୍ଡାସ୍ଥଳୀ ପାଲଟୁଛି। ସଂଜ ନଇଁବା ପରେ ଅନ୍ଧାରର ସୁଯୋଗରେ ଏହି ପଡିଆରେ ବହୁ ଆସାମାଜିକ ଯୁବକଙ୍କ ଭିଡ ଜମୁଛି। ରାତ୍ରୀକାଳୀନ ଡ୍ୟୁଟି ପାଇଁ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ୩ ଜଣ ନିରାପତ୍ତା ରକ୍ଷୀଙ୍କୁ ନିୟୋଜିତ କରିଥିଲେ ମଦ୍ୟ ଏହାର କୌଣସି ପ୍ରଭାବ ସେମାନଙ୍କ ଉପରେ ପଡୁନାହିଁ। ନିୟମିତ ଭାବରେ ଏହି ଯୁବକ ଦଳ ବଳ ହୋଇ ପଡିଆରେ ବସି ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ସେବନ କରୁଛନ୍ତି। ନିଶା ସେବନ ପରେ ସେମାନେ ବ୍ୟବହାର କରିଥିବା ମଦ ବେତାଲ, ପାଣି ପାଉଚ, ପ୍ଲାଷ୍ଟିକ୍ ଗ୍ଲାସ୍ ସେଇ ପଡିଆରେ ପକାଇ ପଳାଉଛନ୍ତି। ପଡିଆର ବିଭିନ୍ନ ସ୍ଥାନରେ ଏହି ପରିତ୍ୟକ୍ତ ନିଶା ସାମଗ୍ରୀର ଦୃଶ୍ୟ ଦେଖିବାକୁ ମିଳୁଛି। ସକାଳ ହେଲେ ପଡିଆକୁ ଶାରୀରିକ ବ୍ୟାୟାମ୍ ପାଇଁ ଆସୁଥିବା ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଏହି ଦୃଶ୍ୟ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରୁଛି। ମହାବିଦ୍ୟାଳୟ ଚତୁଃପାର୍ଶ୍ୱରେ ଏବେ ପାଚେରୀ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇନାହିଁ। ତେଣୁ ମୁଖ୍ୟ ଫାଟକ ଦେଇ ଏହି ଆସାମାଜିକ ଯୁବକମାନେ ପଡିଆକୁ ନଆସି ଅନ୍ୟ ବାଟ ଦେଇ ପ୍ରବେଶ କରୁଛନ୍ତି। ସେମାନଙ୍କ ପାଇଁ ମହାବିଦ୍ୟାଳୟ ପରିସର ମଧ୍ୟରେ ଥିବା ଛାତ୍ରବାସର ଅନ୍ତେବାସୀମାନେ ସବୁବେଳେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ତେଣୁ ଏହି ସୁନ୍ଦର ପଡିଆର ସ୍ୱତନ୍ତ୍ରତା କିପରି ରକ୍ଷା ହୋଇପାରିବ, ସେଥିପ୍ରତି କଲେଜ କର୍ତ୍ତୃପକ୍ଷ ଓ ପ୍ରଶାସନ ଦୃଷ୍ଟି ଦେବାକୁ ବହୁ କ୍ରୀଡାପ୍ରେମୀ ଦାବି କରିଛନ୍ତି ଏ ସଂପର୍କରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ପୂର୍ଣ୍ଣଚନ୍ଦ୍ର ନାୟକ କହିଛନ୍ତି ଯେ କେତେକ ଆଇନଗତ ପ୍ରତିବନ୍ଧକ ପାଇଁ ପାଚେରୀ ନିର୍ମାଣ ସରିପାରୁନାହିଁ। ଏତେ ବଡ କ୍ୟାମ୍ପସକୁ ୩ ଜଣ ସିକ୍ୟୁରିଯି ଗାର୍ଡ ଜଗିବା ସମ୍ଭବ ହୋଇପାରୁନି। ତଥାପି ମୁଁ ଏଥିପ୍ରତି ଦୃଷ୍ଟି ଦେବି ବୋଲି ଶ୍ରୀ ନାୟକ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top