ଜିଲ୍ଲା ପରିକ୍ରମା

ଭଦ୍ରକ କରଣ ମହାସଭାର ଉଦ୍ଘାଟନ ଉତ୍ସବ

ଭଦ୍ରକ, ୧୩ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଅନ୍ତ୍ୟେଷ୍ଟିକ୍ରିୟା ସମୟରେ ଆର୍ଥିକ ଓ ଶାରୀରିକ ସହଯୋଗ, ଜରୁରୀ ରକ୍ତ ଆବଶ୍ୟକତା ପୂରଣ, ଦୁର୍ଘଟଣା ସମୟରେ ସହାୟତା, ଧନ୍ଦାମୂଳକ ପ୍ରଶିକ୍ଷଣ, ବୃତ୍ତିଗତ ତାଲିମ ଓ ପାରସ୍ପରିକ ସହଯୋଗ ବୃଦ୍ଧି ଆଦି ଲକ୍ଷ୍ୟ ଓ ଆଭିମୁଖ୍ୟ ନେଇ ଏକ ସାମାଜିକ ସେବା ଅନୁଷ୍ଠାନ ‘କରଣ ମହାସଭା, ଭଦ୍ରକ’ଗଠନ କରାଯାଇଛି। ଭଦ୍ରକ ସାଳନ୍ଦୀ ହସ୍ପିଟାଲ ପରିସରରେ ଅନୁଷ୍ଠିତ ଏହି ଅନୁଷ୍ଠାନର ବିଶାଳ ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ବଡ଼ସାଆନ୍ତ ରୂପେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ବୟୋଶ୍ରେଷ୍ଠ ଅବସରପ୍ରାପ୍ତ ପ୍ରଫେସର ସନାତନ ମହାନ୍ତି ଯୋଗଦେଇ ଏହି ଅନୁଷ୍ଠାନ ଉଦ୍ଘାଟନ ସମାରୋହକୁ ଆରମ୍ଭ କରିବାକୁ ଆଜ୍ଞା ଦେଇଥିଲେ। ଭେରିତୁରୀ, ଶଙ୍ଖ, ହୁଳହୁଳୀ ଶବ୍ଦ ସହିତ ସଂକୀର୍ତ୍ତନ ଶୋଭାଯାତ୍ରାରେ ବଡ଼ସାଆନ୍ତ ସନାତନ ମହାନ୍ତି, ଉତ୍କଳ ସମ୍ମିଳନୀର ସଭାପତି ତଥା ଉତ୍କଳ ସାମନ୍ତ ପରିଷଦର ସଭାପତି ସାଆନ୍ତ ଡ. ଗୁରୁପ୍ରସାଦ ମହାନ୍ତି, ଉତ୍କଳ ସମ୍ମିଳନୀ ଓ ଉତ୍କଳ ସାମନ୍ତ ପରିଷଦର ସଂପାଦକ ଆଡ଼ଭୋକେଟ ସାଆନ୍ତ ଜଗଦିଶ ମହାନ୍ତି ଓ ସିନେତାରକା ତଥା କଣ୍ଠଶିଳ୍ପୀ ସାଆନ୍ତମା ଇଷା ବେବର୍ତ୍ତାଙ୍କୁ ସମାରୋହ ମଣ୍ଡପକୁ ପାଛୋଟି ଅଣାଯାଇଥିଲା। ସାତ ଅହିୟ ସ୍ତ୍ରୀମାନେ ସାଆନ୍ତ ସାଆନ୍ତମାଙ୍କୁ ମଂଚରେ ବନ୍ଦାପନା କଲାପରେ ତୁଳସୀଗଛ ମୂଳରେ ପବିତ୍ର ଜଳଦେଇ ବଡ଼ ସାଆନ୍ତ ସନାତନ ମହାନ୍ତି ଏହି ଉତ୍ସବ ଉଦ୍ଘାଟନ କରିଥିଲେ। କଣ୍ଠଶିଳ୍ପୀ ସଂଗୀତଜ୍ଞ ରାମନାରାୟଣ ମହାନ୍ତି ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ଡ. ମନୀନ୍ଦ୍ର ମହାନ୍ତିଙ୍କ ଦ୍ୱାରା ସାଆନ୍ତମାନଙ୍କୁ ସାଆନ୍ତ ମର୍ଯ୍ୟାଦା ପ୍ରଦାନ ପରେ ଅତିଥିମାନେ ତାଙ୍କ ବକ୍ତବ୍ୟରେ ଏହି ଅନୁଷ୍ଠାନର ଆଭିମୁଖ୍ୟକୁ ଉଚ୍ଛସିତ ପ୍ରଶଂସା କରି ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ସାଧୁବାଦ ସହିତ ଏହାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। କରଣ ମହାସଭା, ଭଦ୍ରକର ସାଧାରଣ ସଂପାଦକ ରୂପେ ଡ଼ା. ପ୍ରଭାସ କୁମାର ମହାନ୍ତି ଓ ସଭାପତି ରୂପେ ଶ୍ରୀଯୁକ୍ତ ସୀତାକାନ୍ତ ଦାସ ସାଆନ୍ତମାନଙ୍କ ଦ୍ୱାରା ଅଧିଷ୍ଠିତ ହୋଇଥିଲେ। ଡାକ୍ତର ପ୍ରଭାସ କୁମାର ମହାନ୍ତି ମହାସଭାର ଆଭିମୁଖ୍ୟ ଓ ଆଗାମୀ ସମୟର କାର୍ଯ୍ୟକ୍ରମର ସବିଶେଷ ଆଲେଖ୍ୟ ଉପସ୍ଥାପନ କରିଥିଲେ ଓ ସ୍ଥିରୀକୃତ ଆଭିମୁଖ୍ୟକୁ ବାସ୍ତବ ରୂପରେଖ ଦେବାପାଇଁ ସମସ୍ତଙ୍କର ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ କାମନା କରିଥିଲେ। ସଭାପତି ସୀତାକାନ୍ତ ଦାସ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ କରଣ ମହାସଭା, ଭଦ୍ରକର ଗୁରୁଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ କରିଥିବାରୁ ସମସ୍ତଙ୍କ ନିକଟରେ ନିଜର କୃତଜ୍ଞତା ପ୍ରକାଶ କରିଥିଲେ। ଏହି ଉପଲକ୍ଷେ ଏକ ସ୍ମରଣିକା ‘ଲେଖନୀ’ ଉନ୍ମୋଚନ କରାଯାଇଥିଲା। ଡ. ମନୀନ୍ଦ୍ର କୁମାର ମହାନ୍ତିଙ୍କ ସଂପାଦନାରେ ପ୍ରସ୍ତୁତ ‘କରଣ ମହାସଭା, ଭଦ୍ରକ’ର ଏହି ମୁଖପତ୍ରରେ ଅନେକ ଉପାଦେୟ ଗବେଷଣାତ୍ମକ ନିବନ୍ଧ ପ୍ରକାଶିତ ହୋଇଛି। ଶେଷରେ ବଡ଼ ସାଆନ୍ତ ସନାତନ ମହାନ୍ତି ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ ଓ ଏହାକୁ ସର୍ବଜନ ଗ୍ରହଣୀୟତା ପର୍ଯ୍ୟାୟକୁ ନେବାପାଇଁ ଗୁରୁତ୍ୱ ଦେଇଥିଲେ। ଶ୍ରୀ ଅଜିତ୍ କୁମାର ଦାସ ଧନ୍ୟବାଦ ଦେବାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ଅପରାହ୍ନରେ ଶତାୟୁ ପୁରୁଷ ସ୍ୱାଧିନତା ସଂଗ୍ରାମୀ ଗୌରଚନ୍ଦ୍ର ମହାପାତ୍ରଙ୍କୁ ମହାସଭା ତାଙ୍କ ବାସଭବନରେ ‘ମହାସାଆନ୍ତ’ ରୂପେ ଭୂଷିତ କରିଥିଲେ। ଶ୍ରୀଯୁକ୍ତ ରୂପକ ବିହାରୀ ରାୟ ଓ ଶ୍ରୀଯୁକ୍ତ ତୁଷାରକାନ୍ତି ମହାନ୍ତିଙ୍କ ମଂଚ ପରିଚାଳନାରେ ଅନୁଷ୍ଠିତ ଏହି ଉତ୍ସବରେ ସର୍ବଶ୍ରୀ ଗିରିଜା ପ୍ରସାଦ ଦାସ, ନିର୍ମଳ ଚନ୍ଦ୍ର ମହାନ୍ତି, ଗୁରୁକଲ୍ୟାଣ ମହାପାତ୍ର, ଡା. ଝସକେତନ ମହାନ୍ତି, ସୁଶିଲ କୁମାର ପଟ୍ଟନାୟକ, ଅଶୋକ କୁମାର ମହାନ୍ତି, ବିଜୟ କୁମାର ମହାନ୍ତି, ବିଚିତ୍ରାନନ୍ଦ ମହାନ୍ତି, ଅଶି୍ୱନୀ କୁମାର ଦାସ, ସପନ କୁମାର ମହାନ୍ତି, ଶରତ କୁମାର ମହାନ୍ତି, ନେପାଳ ଚନ୍ଦ୍ର ଦାସ, ସଂଜୟ କୁମାର ମହାନ୍ତି, ରାମନାରାୟଣ ମହାନ୍ତି, ଭବତୋଷ ଦାସ, କିଶୋର କୁମାର ପଟ୍ଟନାୟକ, ସତ୍ୟବ୍ରତ ଦାସ, ଜଗବଂଧୁମହାନ୍ତି, ମନୋଜ କୁମାର ମହାନ୍ତି ସହଯୋଗ କରିଥିଲେ। ଏହି ଉତ୍ସବରେ ଗେଲଟୁଆ, ଜଗନ୍ନାଥପୁର, ସାହାପୁର, ଚରମ୍ପା, ବଂକସାହି, କୁଅାଁସ, ଆଗରପଡ଼ା ଆଦି ଅଂଚଳରୁ ବହୁବ୍ୟକ୍ତି ସପରିବାରେ ଯୋଗ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top