ଭଦ୍ରକ :ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତମଞ୍ଚ ତରଫରୁ ଐତିହାସିକ ଅଗଷ୍ଟ ୯ କ୍ରାନ୍ତି ଦିବସରେ ଭଦ୍ରକ ଜିଲ୍ଲାର ବ୍ଲକ ଶିକ୍ଷାଧିକାରୀଙ୍କ ଅଫିସ ସାମନାରେ ଧାରଣା

ଭଦ୍ରକ, ୯ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଂଚ ତରଫରୁ ଆଜି ୫ଦଫା ଦାବି ନେଇ ଯଥା ଯୋଗ୍ୟ ବିବେଚିତ ଦିନଠାରୁ ସମସ୍ତ ସ୍କୁଲ ଓ କଲେଜକୁ ଅନୁଦାନ ପରିସରଭୁକ୍ତ କରାଯାଇ ଚାକିରି ସର୍ତ୍ତାବଳୀ ଓ ଅବସରକାଳୀନ ସୁବିଧା ସୁଯୋଗ ପ୍ରଦାନ କରାଯିବା, ସରକାର ଦେଇଥିବା ପ୍ରତିଶୃତି ଅନୁଯାୟୀ ସପ୍ତମ ବେତନ କମିଶନ ପ୍ରଦାନ କରାଯିବା, ଅନୁଦାନ ଯୋଗ୍ୟ ସମସ୍ତ ସ୍କୁଲ ଓ କଲେଜକୁ ଅନୁଦାନ ପ୍ରଦାନ କରାଯିବା, ଅନୁଦାନ ଦେବା ଆଳରେ ସତ୍ୟପାଠ କିମ୍ବା ଲିଖିତ ସୂଚନା ଦେବାପାଇଁ ହୋଇଥିବା ନିର୍ଦ୍ଦେଶନାମା ପ୍ରତ୍ୟାହାର କରାଯିବା, ସମସ୍ତ ସ୍କୁଲ କଲେଜରେ କାର୍ଯ୍ୟରତ ଶିକ୍ଷକ ଅଧ୍ୟାପକ ଓ ଶିକ୍ଷା କର୍ମଚାରୀଙ୍କର ବକେୟା ଦରମା ପ୍ରଦାନ କରିବା ଦାବିରେ ଭଦ୍ରକ ବ୍ଲକ ଶିକ୍ଷାଧିକାରୀଙ୍କ ଅଫିସ ଆଗରେ ଧାରଣା ଦିଆଯାଇଥିଲା। ଆଜି ଖାଲି ଭଦ୍ରକ ଜିଲ୍ଲାର ନୁହେଁ, ସାରା ଓଡ଼ିଶାର ୩୧୪ଟି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ମିଳିତ ମଂଚ ତରଫରୁ ଧାରଣା ଦିଆଯାଇଛି। ସରକାର ବାରମ୍ବାର ପ୍ରତିଶୃତି ଦେଇ ସାରା ଓଡ଼ିଶାର ଶିକ୍ଷକ ଅଧ୍ୟାପକ ସମାଜକୁ ପ୍ରତାରଣା କରୁଛନ୍ତି। ଶିକ୍ଷକର ବୃତ୍ତି ହେଉଛି ଶିକ୍ଷାଦାନ କରିବା, ଶିକ୍ଷକଟିଏ ଚାହେଁ ନାହିଁ ଶ୍ରେଣୀ କକ୍ଷ ଛାଡି ଆସି ରାଜ ରାସ୍ତାରେ ଲଢ଼େଇ କରିବାପାଇଁ। ସରକାରଙ୍କର ତୃଟିପୂର୍ଣ୍ଣ ଶିକ୍ଷା ନୀତି ପାଇଁ, ବୈମାତୃତିକ ମନୋଭାବ ପାଇଁ ଶିକ୍ଷକ ଓ ଅଧ୍ୟାପକଟିଏ ନିଜର ହକ୍ ଦାବି ହାସଲ ପାଇଁ ଲଢ଼େଇ କରିବାକୁ ବାଧ୍ୟ ହେଉଛି ସରକାରଙ୍କର ଉଦାସିନତା ଓ ଚଞ୍ଚକତା ମନୋଭାବ ପାଇଁ ଶିକ୍ଷକ ଓ ଅଧ୍ୟାପକଟିଏ ସମାନ କାମକୁ ସମାନ ପାଆନ୍ତି ନାହିଁ। ସେଥିପାଇଁ ଆଜି ଐତିହାସିକ କ୍ରାନ୍ତି ଦିବସ, ଅଗଷ୍ଟ ୯ରେ ପୁଣି ଥରେ ମିଳିତ ମଂଚ ତରଫରୁ ସାରା ଓଡ଼ିଶାରେ ପ୍ରତିବାଦ ସଭାକରିଛି। ଆଗାମି ୧୬ତାରିଖରେ ଶିକ୍ଷକ ସମାଜର ଦାବି ଦିବସ। ଏହି ଦାବି ଦିବସରେ ଲକ୍ଷାଧିକ ଶିକ୍ଷକ ଓ ଅଧ୍ୟାପକ ମିଳିତ ମଞ୍ଚର ଆହ୍ୱାନରେ ମହାସମାବେଶରେ ଯୋଗଦେବେ ଯେପର୍ଯ୍ୟନ୍ତ ନିଜର ହକ୍ ଦାବି ହାସଲ ନହୋଇଛି ସେ ପର୍ଯ୍ୟନ୍ତ ରାଜଧାନୀରୁ ଫେରିବାର ନାହିଁ ବୋଲି ବଜ୍ରଶପଥ ନେଇଛନ୍ତି ଶିକ୍ଷକ ଓ ଅଧ୍ୟାପକମାନେ। ବ୍ଲକ ସଭାପତି କଳ୍ପତରୁ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଧାରଣାରେ ରାଜ୍ୟସଂପାଦିକ ସୁରଜିତା ନାୟକ, ରାଜ୍ୟସଂପାଦକ ଅକ୍ଷୟ ହୋତା, ଜିଲ୍ଲା ସଂପାଦକ ପ୍ରଦୀପ୍ତ ଦାସ, ବ୍ଲକ ସଂପାଦକ ବୈକୁଣ୍ଠ ବିଶ୍ୱାଳ, କାର୍ଯ୍ୟକାରୀ ସଭାପତି ବିଜୟ କୁମାର ମିଶ୍ର, ସୁରେନ୍ଦ୍ର ମହାପାତ୍ର, ପ୍ରହ୍ଲାଦ ସାହୁ, ସୁବାଶ ମହାନ୍ତି, ପ୍ରଭଞ୍ଜନ ଆଚାର୍ଯ୍ୟ, ଜୟନୁଲ ଆବେଦିନ, କମରୁଲ ଖାଁ, ପ୍ରମୁଖ ଯୋଗଦେଇ ଶିକ୍ଷାନୀତିକୁ ତୀବ୍ର ସମାଲୋଚନା କରିବାସହିତ ବ୍ଲକ ଶିକ୍ଷାଧିକାରୀ ଶମ୍ଭୁନାଥ ପାଣିଗ୍ରାହୀଙ୍କ ଜରିଆରେ ରାଜ୍ୟସରକାରଙ୍କୁ ଉକ୍ତ ୫ଦଫା ଦାବି ପତ୍ର ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *