ଭଦ୍ରକ : ଓଡ଼ିଶା ବ୍ରାହ୍ମଣ ମହାସଂଘର ଜିଲା ସମ୍ମିଳନୀ

ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଓଡ଼ିଶା ବ୍ରାହ୍ମଣ ମହାସଂଘର ଜିଲା ସମ୍ମିଳନୀ ଏହି ଜିଲାର ତିହିଡି ବ୍ଲକ୍ ବ୍ଲକ ଅଧୀନ ଗୁଆମାଳ ପଞ୍ଚାୟତ ଶାଖା ଆନୁକୂଲ୍ୟରେ ଶାଖା ସଭାପତି ପଣ୍ଡିତ ଜନ୍ମେଜୟ ଉଦ୍ଗାତାଙ୍କ ସଭାପତିତ୍ୱରେ ଗୁଆମାଳ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ଜିଲାସ୍ତରୀୟ ସମ୍ମିଳନୀରେ ରାଜ୍ୟ ତଥା ଜିଲାର କର୍ମକର୍ତ୍ତାମାନେ ଉପସ୍ଥିତ ହୋଇ ଅର୍ଥନୈତିକ ସ୍ଥିତି ଆଧାରରେ ସଂରକ୍ଷଣ ଦାବି କରିବା ସହ ‘କିଟ’ ଓ ‘କିସ’ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପୁଷ୍ୟାଭିଷେକକୁ ସମାଲୋଚନା କରିଥିଲେ। ରାଷ୍ଟ୍ରପତି ସମ୍ମାନୀତ ପଣ୍ଡିତ ଭାଗିରଥି ନନ୍ଦଶର୍ମା ଏହି ସମ୍ମିଳନୀକୁ ବିଧିବଦ୍ଧ ଉଦ୍ଘାଟନ କରିବା ପରେ ଜିଲା ଉପଦେଷ୍ଟା ପଣ୍ଡିତ କୁଳମଣି ଉଦ୍ଗାତା ଅତିଥି ପରିଚୟ ପ୍ରଦାନ କରିଥିଲେ। ସହ ସଂପାଦକ ଅଧ୍ୟାପକ ମନୋଜ କୁମାର ଆଚାର୍ଯ୍ୟ ସଂପାଦକୀୟ ପାଠ କରିଥିଲେ। ପରେ ରାଜ୍ୟ କୋଷାଧ୍ୟକ୍ଷ କାଶୀନାଥ ପଣ୍ଡା, ରାଜ୍ୟ ଉପସଭାପତି ପଣ୍ଡିିତ ଜଗନ୍ନାଥ ପାଣିଗ୍ରାହୀ, ଜିଲା କାର୍ଯ୍ୟକାରୀ ସଭାପତି ପଣ୍ଡିତ ଚର୍ତୁଭୁଜ ତ୍ରିପାଠୀ, ସଂପାଦକ ପଣ୍ଡିତ ରାଜେନ୍ଦ୍ର ନାରାୟଣ ତ୍ରିପାଠୀ, ଉପଦେଷ୍ଟ ବଳରାମ ପାଣିଗ୍ରାହୀ, ଇସ୍କନ ଭକ୍ତ ବିଷ୍ଣୁ ମୋହନ ମିଶ୍ର, ରାଜ୍ୟ ଉପଦେଷ୍ଟା ଡ. ସଦାନନ୍ଦ ଦୀକ୍ଷିତ ପ୍ରମୁଖ ଉଦବୋଧନ ଦେଇ ବ୍ରାହ୍ମଣ ମହାସଂଘକୁ ସୁଦୃଢ କରିବା ପାଇଁ ମାର୍ଗ ଦର୍ଶନ ପ୍ରଦାନ କରିଥିଲେ। ଜାତି ଭିତ୍ତିରେ ନୁହେଁ, ଅର୍ଥନୀତିକ ଭିତ୍ତରେ ଦେଶରେ ସଂରକ୍ଷଣ କରାଯାଉ ବୋଲି ଦାବି କରାଯାଇଥିଲା। ସେହିପରି ଭାବେ ପୁରୀ ଗଜପତିଙ୍କ ପୁଷ୍ୟାଭିଷେକକୁ ନକଲ କରି ଅଚ୍ୟୁତ ସାମନ୍ତଙ୍କୁ ଯେପରି ପୁଷ୍ୟାଭିଷେକ କରାଗଲା ତାହାର ମଧ୍ୟ ସମାଲୋଚନା କରାଯାଇଥିଲା। ଆହୁରି ମଧ୍ୟ ଶାସକୀୟ ନବବର୍ଷରେ ଓଡିଶା ବିଭିନ୍ନ ମନ୍ଦିରରେ ଯେଉଁରି ଭାବେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଉଛି ତାହାକୁ ବନ୍ଦ କରି ଉତ୍କଳୀୟ ନବବର୍ଷ ପାଳନ କରାଯିବାକୁ ପ୍ରୋତ୍ସାହିତ କରିବାକୁ ଆଗ୍ରହ ପ୍ରକାଶ କରାଯାଇଥିଲା। ସାଂଗଠନିକ ଆଲୋଚନା ପ୍ରସଙ୍ଗରେ ବ୍ରାହ୍ମଣ ସଙ୍ଗଠନକୁ ସୁଦୃଢ କରିବା ପାଇଁ କେତେକ ପ୍ରସ୍ତାବ ଗୃହୀତ ହୋଇଥିଲା। ପ୍ରତ୍ୟେକ ରାଜନୀତିକ ଦଳରେ ଏକ ବ୍ରାହ୍ମଣ ସେଲ ରଖିବାକୁ ଆଗ୍ରହ କରିବା, ବ୍ରାହ୍ମଣ ବିରୋଧୀ ମନୋଭାବକୁ ଦୂର କରିବାକୁ ପ୍ରଚେଷ୍ଟା କରିବା, ସଂରକ୍ଷିତ ନୀତିରେ ପରିବର୍ତ୍ତନ କରି ଆର୍ଥିକ ଆଧାରରରେ ସଂରକ୍ଷଣ ବ୍ୟବସ୍ଥା କରିବା, ବ୍ରାହ୍ମଣ ଜାତିର କୌଳିକ ସଂସ୍କାର ପାଇଁ ବିବିଧ କାର୍ଯ୍ୟକ୍ରମର ଆୟୋଜନ କରିବା, ଭଦ୍ରକ ଜିଲାର ସମସ୍ତ ଭଦ୍ରକ ଜିଲାର ସମସ୍ତ ବ୍ରାହ୍ମର ପରିବାରର ଏକ ଚିଠା ପ୍ରସ୍ତୁତ କରିବା, ଧାର୍ମିକ ପରମ୍ପରା-ଯଜନ ଯାଜନ-ଅଧ୍ୟୟନ ଅଧ୍ୟାପନ- ଦାନ ପ୍ରତିଗ୍ରହ ସଂସ୍କାରକୁ ଉଜ୍ଜିବୀତ କରିବାକୁ ସର୍ବ ସମ୍ମତ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଶେଷରେ ଅକ୍ଷୟ କୁମାର ପାଢି ଧନ୍ୟବାଦ ଅର୍ପଣ କରିବା ପରେ ଶ୍ରୀ ଦଧିବାମନ ଜୀଉ ମନ୍ଦିର ପ୍ରସାଦ ସେବନ କରାଯାଇଥିଲା। ଏହି ସମ୍ମିଳନୀରେ ଜିଲା ଉପସଭାପତି ତ୍ରିଲୋଚନ ପଣ୍ଡା, ଜିଲା ଯୁବ ବାହିନୀର ସଭାପତି ପତଞ୍ଜଳି କରଶର୍ମା, ଶକ୍ତିବାହିନୀର ସଂପାଦିକା ରାଧାରାଣୀ ଆଚାର୍ଯ୍ୟ, ନମିତାରାଣୀ ଉଦ୍ଗାତା, ବିଜେପିର ବାସୁଦେବପୁର ନିର୍ବାଚନ ମଣ୍ଡଳୀର ନେତା ଦୀନବନ୍ଧୁ ପତିଙ୍କ ସମେତ ଭଦ୍ରକ ଜିଲାର ବିଭିନ୍ନ ପ୍ରାନ୍ତରରୁ ଶହଶହ ବ୍ରାହ୍ମଣ ଓ ଶାନ୍ତି ବାହିନୀର କର୍ମକର୍ତ୍ତା ଯୋଗଦେଇଥିଲେ। ଏହି ଅବସରରେ ଗୁଆମାଳ ମୋଡସାହି ଶ୍ରୀ ଗୁଣ୍ଡିଚା ମନ୍ଦିର ପରିଚାଳନା କମିଟିର ସଭାପତି ଲକ୍ଷ୍ମୀକାନ୍ତ ଖୁଣ୍ଟିଆ ଓ ସେବାକାରୀ ରମେଶ ଚନ୍ଦ୍ର ନାୟକ ବ୍ରାହ୍ମଣ ସମାଜକୁ ଶୁଭବାର୍ତ୍ତା ପ୍ରଦାନ କରିବା ସହ ଏହାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।

Leave a Reply

Your email address will not be published. Required fields are marked *