ଭଦ୍ରକ ଓକିଲ ସଂଘ ପକ୍ଷରୁ ଜିଲାଜଜ୍ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

ଭଦ୍ରକ,୩୧ା୮ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଜଣେ ନିଷ୍ଠାପର ଓ କର୍ତ୍ତବ୍ୟନିଷ୍ଠ ବିଚାରପତି ଭାବେ ଭଦ୍ରକ ବିଚାର ବିଭାଗୀୟ ଇତିହାସରେ ଭଦ୍ରକର ଜିଲା ଜଜ୍ ରତିକାନ୍ତ ମହାପାତ୍ରଙ୍କ ନାମ ଅବିସ୍ମରଣୀୟ ହୋଇ ରହିବ । ବିଶେଷକରି ଭଦ୍ରକ ହିଂସାକାଣ୍ଡ ଜନିତ ମାମଲାରେ ମୁଦାଲାମାନଙ୍କୁ ସ୍ୱଳ୍ପସମୟ ମଧ୍ୟରେ ଯେଭଳି ଜାମିନ୍ ପ୍ରଦାନ କରି ସେମାନଙ୍କ ବ୍ୟକ୍ତିଗତ ସ୍ୱାଧୀନତାକୁ ରକ୍ଷା କରିଛନ୍ତି, ତାହା  ଭଦ୍ରକବାସୀ ଭୁଲିପାରିବେ ନାହିଁ ବୋଲି ଆଜି ତାଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ଓକିଲ ସଂଘ ସଭାପତି ବିଷ୍ଣୁମୋହନ ମହାପାତ୍ର ପ୍ରକାଶ କରିଛନ୍ତି । ସଂଘର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସଭାରେ ସଭାପତି ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତା କରିଥିଲେ ।  ଉପସ୍ଥିତ ଅତିଥିମାନେ ସଭା ପ୍ରାରମ୍ଭରେ ବିଚାରପତି ଶ୍ରୀ ମହାପାତ୍ରଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିବା ପରେ ତା’ର ଉତ୍ତରରେ ସେ ଅତ୍ୟନ୍ତ ଭାବବିହ୍ୱଳ ହୋଇ ସଂଘର ଏତାଦୃଶ କାର୍ଯ୍ୟକୁ ସାଧୁବାଦ ଜଣାଇବା ସହ ଆଗାମୀ ଦିନରେ ଭଦ୍ରକବାସୀଙ୍କ ପ୍ରତି ତାଙ୍କର ଅତୁଟ ସ୍ନେହ ଓ ଶ୍ରଦ୍ଧା ପୂର୍ବଭଳି ଅବ୍ୟାହତ ରହିବ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ ।  ଏହି ସଭାରେ ପରିବାର ଅଦାଲତ ବିଚାରପତି ପ୍ରତାପ କୁମାର ପାତ୍ର, ଓକିଲ ସଂଘ ସାଧାରଣ ସଂପାଦକ ବିଜନ କୁମାର ଜେନା, ଉପସଭାପତି ଅମର ବାରିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲା ଜଜ୍ ଶ୍ରୀ ମହାପାତ୍ର ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସମସ୍ତଙ୍କ ପ୍ରତି ଯେଉଁ ସୌହାର୍ଦ୍ଦପୂର୍ଣ୍ଣ ବ୍ୟବହାର ପ୍ରଦର୍ଶନ କରିଛନ୍ତି, ତାହାକୁ ଭୁଲିହେବନାହିଁ ବୋଲି କହିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ମହଲତ ସ’, ଅତିରିକ୍ତ ଦେୱାନୀ ଅଦାଲତ ବିଚାରପତି ହିମାଂଶୁ ସିଂ, ଏସ୍ଡିଜେଏମ୍ ଚିନ୍ମୟ ଦାସ, ଜେଏମ୍ଏଫ୍ସି ସୁଜାତା ରାଉତ, ବରିଷ୍ଠ ଆଇନ୍ଜୀବୀ ନିରାକାର ଜେନା, ଦିବ୍ୟସିଂହ ନାୟକ, ଗିରିଧାରୀ ନାଥ, ପିପି ବଟକୃଷ୍ଣ ଦାସ, ରଂଜନ ନାୟକ, ଦେବେନ୍ଦ୍ର ପଣ୍ଡା, ପର୍ଶୁରାମ ଦ୍ୱିବେଦୀ, ଦୁର୍ଗା ରାୟ ମହାପାତ୍ର, ଦିଲ୍ଲୀପ ମହାପାତ୍ର, ସନ୍ତୋଷ ଆଚାର୍ଯ୍ୟ, ବିନୟ ସ୍ୱାଇଁ, ଆବୁ ସୁଫିୟାନ, ତାହେର ମହମ୍ମଦ, ଅନଙ୍ଗ ମଂଜରୀ ନାୟକ, ଉପେନ୍ଦ୍ର ପାଢୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଆଇନ୍ଜୀବୀ ନିକୁଂଜ ପୁହାଣ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *