ଭଦ୍ରକ : ଏସଡିଏମଆଇଏସ ତଥ୍ୟ ଦାଖଲ ନ କରିଲେ ଶିକ୍ଷକଙ୍କ ଦରମା ବନ୍ଦ

ଭଦ୍ରକ,୧୪ା୧୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଦେଶରେ ଥିବା ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ପିଲାଙ୍କ ଟ୍ରାକ୍ ରଖିବା ପାଇଁ ସ୍କୁଲ ଡାଟା ବେସ ମ୍ୟାନେଜମେଣ୍ଟ ସିଷ୍ଟମ(ଏସଡିଏମଆଇଏସ) ଆରମ୍ଭ କରାଯାଇଛି । ଏଥିରେ ଛାତ୍ରଛାତ୍ରୀଙ୍କର ୬୬ ପ୍ରକାର ତଥ୍ୟ ରହିବ । ମୁଖ୍ୟତଃ ଆଧାର କାର୍ଡ ନମ୍ବର ରହିବ । ଏହି ତଥ୍ୟ ଗୁଡିକ ନିର୍ଦ୍ଧାରିତ ପୋର୍ଟାଲରେ ଅପଲୋଡ୍ କରାଯିବା ପରେ ଜଣେ ପିଲାର ଏକାଧିକ ବିଦ୍ୟାଳୟରେ ନାମ ରହିବା ଅସମ୍ଭବ ହୋଇପଡିବ । ଏହି ଜିଲାର ତିହିଡି ବ୍ଲକରେ ଅଧିକାଂଶ ବିଦ୍ୟାଳୟ ଆବଶ୍ୟକୀୟ ତଥ୍ୟ ତିହିଡି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଦାଖଲ କରିଥିବା ବେଳେ କେତେକ ବିଦ୍ୟାଳୟ ଅଦ୍ୟାବଧି ତାହା ଦାଖଲ କରି ନ ଥିବା ନେଇ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଉଦ୍ବେଗ ପ୍ରକାଶ ପାଇଛି । ତଥ୍ୟ ଦାଖଲ କରି ନ ଥିବା ବିଦ୍ୟାଳୟଗୁଡିକର ପ୍ରଧାନ ଶିକ୍ଷକଙ୍କୁ ବ୍ଲକ ଶିକ୍ଷାଧିକାରୀ ଗତ ୧୦ ତାରିଖରେ ଲେଖିଥିବା ଚିଠି ଅନୁଯାୟୀ; ଆସନ୍ତା ୧୪ ତାରିଖ ସୁଦ୍ଧା ତଥ୍ୟ ଦାଖଲ କରିଲେ ସେମାନଙ୍କର ଦରମା ବନ୍ଦ କରାଯିବ । ତଥ୍ୟ ଦାଖଲ କରାଯାଉ ନ ଥିବାରୁ ବ୍ଲକ ଶିକ୍ଷାଧିକାରୀ ଅତ୍ୟନ୍ତ ଜଟିଳ ପରିସ୍ଥିତିରେ ସମ୍ମୁଖୀନ ହୋଇଛନ୍ତି ବୋଲି ଚିଠିରେ ଦର୍ଶାଇଛନ୍ତି । ସରକାରୀ ପ୍ରାଥମିକ ବିଦ୍ୟାଳୟ ଭିତରୁ ଆଗିରିଆ, ବାଇପୁର, ବାଲିଚତୁରୀ ୟୁଜିଏମଇଏସ, ବଙ୍ଗାଳିଦପା, ଗୋପାଳଦୋହରା, ନୂଆସାହି ପିପିଏସ, ନୂଆସାହି ପିୟୁପିଏସ, ସିନେ୍ଦାଳ ପିଏସ ଓ ତାଳପଦା ପିଏସ ଚିଠି ଲେଖା ହେବା ବେଳକୁ ଦାଖଲ କରି ନ ଥିବା ଜଣାଯାଇଛି । ତେବେ ସେଗୁଡିକ ମଧ୍ୟରୁ ଆଗରିଆ ଓ ନୂଆସାହି ପିୟୁପିଏସ ବିଦ୍ୟାଳୟ ଦାଖଲ କରିଥିବା ଜଣାଯାଇଛି । ସେହିପରି ଜିଲା ଶିକ୍ଷାଧିକାରୀଙ୍କ ନିର୍ଦେଶ କ୍ରମେ ତିହିଡି ବ୍ଲକ ଶିକ୍ଷାଧିକାରୀ ଗତ ୯ ତାରିଖରେ ପ୍ରଦାନ କରିଥିବା ତଥ୍ୟାନୁଯାୟୀ ଉପରୋକ୍ତ ବିଦ୍ୟାଳୟ ବ୍ୟତିତ ନଭେମ୍ବର ୬ ତାରିଖ ସୁଦ୍ଧା ତିହିଡି ବ୍ଲକର ଦହପାଣିଆ ସରକାରୀ ହାଇସ୍କୁଲ, ମିନାମୁନୀ ହାଇସ୍କୁଲ, ସିନେ୍ଦାଳ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠ ଓ ପାଳିଆବିନ୍ଧା ଜିପି ଗାର୍ଲସ ହାଇସ୍କୁଲ ମଧ୍ୟ ଦାଖଲ କରିନାହାନ୍ତି । ସେହିପରି ଘରୋଇ ବିଦ୍ୟାଳୟଗୁଡିକ ମଧ୍ୟରେ ଜଗନ୍ନାଥ ୟୁପି ସ୍କୁଲ, ଜେମାମଣି ୟୁପିଏମଇ, ନାଇସ ହାଇଟେକ, ଏସଏସଏସଏମଇ, ଦୋଳସାହିହାଟ ସରସ୍ୱତୀ ବିଦ୍ୟା ବିହାର, ନନ୍ଦପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ସିନେ୍ଦାଳ ସିଦ୍ଧାର୍ଥ ପବ୍ଲିକ ସ୍କୁଲ, ଶ୍ରୀଅରବିନ୍ଦ ଇଣ୍ଟିଗ୍ରାଲ ଏଜୁକେଶନ, ୟୁଏସ ଇଣ୍ଟରନେସନାଲ ସ୍କୁଲ, ଦୋଳସାହି ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଓ ସାହାପୁର ବିବେକାନନ୍ଦ ଶିକ୍ଷା କେନ୍ଦ୍ର ନଭେମ୍ବର ୬ ତାରିଖ ସୁଦ୍ଧା ଆବଶ୍ୟକୀୟ ତଥ୍ୟ ଦାଖଲ କରି ନ ଥିଲେ । ସୂଚନାଯୋଗ୍ୟ; ଏସଡିଏମଆଇଏସ ପୋର୍ଟାଲରୁ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିଗତ, ବିଦ୍ୟାଳୟ, ଛାତ୍ରବୃତି, ଉପସ୍ଥାନ, ସ୍ୱାସ୍ଥ୍ୟ, ପରିବାର, ପରୀକ୍ଷା, ମଧ୍ୟାହ୍ନ ଭୋଜନ ଆଦି ସମସ୍ତ ତଥ୍ୟ ମିଳି ପାରିବ ।

Leave a Reply

Your email address will not be published. Required fields are marked *