ଭଦ୍ରକ : ଏକ ଲକ୍ଷ ଲୋକଙ୍କୁ ତିନି ପୁଲିସ କର୍ମଚାରୀ

ଭଦ୍ରକ, ୫ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଏହି ଜିଲାର ତିହିଡି ଥାନା ଅଧୀନ ପୀରହାଟ ଫାଣ୍ଡିରେ ମାତ୍ର ୩ ଜଣ ପୁଲିସ କର୍ମଚାରୀଙ୍କୁ ନେଇ କାର୍ଯ୍ୟ ଚାଲିଛି। ପୁଲିସ ବ୍ୟବସ୍ଥାରେ ଆଧୁନିକୀକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି; ହେଲେ ଭିତ୍ତିଭୂମିର ବିକାଶ ହୋଇପାରୁନାହିଁ। ଆବଶ୍ୟକ ସଂଖ୍ୟକ ପୁଲିସ ଅଭାବରୁ ଲୋକଙ୍କୁ ମଧ୍ୟ ନ୍ୟାୟ ମିଳିପାରୁନାହିଁ। ନରେନ୍ଦ୍ରପୁର, ଯାମଜୋଡି, ରାଜନଗର, ବାମନବିନ୍ଧା, ସାହାପୁର, ଦୌଲତପୁର, ବାର୍ସର, ଗୋବିନ୍ଦପୁର ଓ ଶ୍ୟାମସୁନ୍ଦରପୁର ଆଦି ୧୦ଟି ପଞ୍ଚାୟତକୁ ନେଇ ଏହି ପୀରହାଟ ଫାଣ୍ଡି ଗଠିତ। ଏକ ହଜାର ଜନସଂଖ୍ୟା ପାଇଁ ଜଣେ ପୁଲିସର ଆବଶ୍ୟକତା ରହିଥିବା ବେଳେ ପୀରହାଟ ଫାଣ୍ଡିରେ କିନ୍ତୁ ୧ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ପାଇଁ ଜଣେ ସବ୍- ଇନ୍ସପେକ୍ଟର ଓ ୨ ଜଣ କନଷ୍ଟେବଳ ରହିଛନ୍ତି। ଏହି ଫାଣ୍ଡିରେ ୫ ଜଣ କନଷ୍ଟେବଳ ରହିବାର ନିୟମ ଥିଲେ ହେଁ ଏହା କିନ୍ତୁ ହେଉନାହିଁ। ସବୁଠାରୁ ଗୁରୁତ୍ୱପୂଣ୍ଣ ର୍ ବିଷୟ ହେଉଛି ପୀରହାଟ ଫାଣ୍ଡି ଅଧୀନରେ ଯେଉଁ ଅଞ୍ଚଳଗୁଡିକ ରହିଛି ତାହା ନଦୀନାଳ ଘେରା ଅଞ୍ଚଳ ଓ ବହୁ ଅଞ୍ଚଳ ମଧ୍ୟ ଅଗମ୍ୟ। ଏପରି ସ୍ଥଳେ ଫାଣ୍ଡିର ଏକ ୪ ଚକିଆ ଗାଡି ମଧ୍ୟ ନାହିଁ। କର୍ମଚାରୀଙ୍କ ପାଇଁ ବାସଗୃହ ମଧ୍ୟ ନାହିଁ। ଫଳରେ ଏଠାକୁ ଆସିବାକୁ ସ୍ୱାଭାବିକ ଭାବେ ପୁଲିସ କର୍ମଚାରୀ ଅମଙ୍ଗ ହେବା କଥା। ବାସଗୃହ ନିର୍ମାଣ ପାଇଁ ୫୦ ଡିସିମିଲ ଜାଗାର ଫାଇଲ ତହସିଲରୁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଉଛି ଆସୁଛି। ତାହାକୁ ଦେଖାଶୁଣା କରିବା ପାଇଁ କାହାର ନଜର ନାହିଁ। ଏଠାରେ ଜଣେ କେହି ମହିଳା ପୁଲିସ ନାହାନ୍ତି। ଫଳରେ ଏହି ଫାଣ୍ଡି ଅଞ୍ଚଳରେ ବସବାସ କରୁଥିବା ମହିଳାମାନେ ପୀରହାଟ ଫାଣ୍ଡିରୁ ନ୍ୟାୟ ପାଇପାରୁନାହାନ୍ତି। ମହିଳା ପୁଲିସ ଦ୍ୱାରା ମହିଳାଙ୍କ ସମସ୍ୟା ଯେପରି ବୁଝା ଯାଇପାରିବ ତାହା ଜଣେ ପୁରୁଷ ପୁଲିସ ଦ୍ୱାରା ସମ୍ଭବ ହେବ ନାହିଁ। ସୂଚନାଯୋଗ୍ୟ, ଏଠାରେ ଥିବା ସବ୍ଇନ୍ସପେକ୍ଟର ସ୍ୱାସ୍ଥ୍ୟଗତ କାରଣରୁ ଦୀର୍ଘ ସମୟ ଛୁଟିରେ ରହିଲେ। ବହୁ ଦାବି ପରେ ଏହି ଫାଣ୍ଡିକୁ ଜଣେ ସବ୍ଇନ୍ସପେକ୍ଟରଙ୍କୁ ଦିଆଯାଇଛି। ହେଲେ ତାଙ୍କୁ ମଧ୍ୟ ଅଧିକାଂଶ ସମୟରେ ତିହିଡି ଥାନାର ଦାୟିତ୍ୱ ଦିଆଯାଉଥିବାର ଫାଣ୍ଡିଟି ସଂପୂର୍ଣ୍ଣର୍ ଉପେକ୍ଷିତ ହୋଇପଡୁଛି। ତିହିଡି ଥାନାରେ ମଧ୍ୟ ମାସେ ହେଲା କେହି ଥାନା ଅଧିକାରୀ ନାହାନ୍ତି।

Leave a Reply

Your email address will not be published. Required fields are marked *