ଜିଲ୍ଲା ପରିକ୍ରମା

ଭଦ୍ରକ ଆର୍ଯ୍ୟସମାଜରେ ଶ୍ରାବଣୀ ଉପାକର୍ମ

ଭଦ୍ରକ,୪ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ)  – ବେଦ ଓ ବୈଦିକ ବିଚାର ଶ୍ରବଣ ଦ୍ୱାରା ଜନସମାଜରୁ ଅନ୍ୟାୟ, ଅନୀତି, ଦୁର୍ଭାବନା ଲୋପ ହୋଇ ଏକ ମାନବବାଦୀ ସମାଜ ପ୍ରତିଷ୍ଠିତ ହୋଇପାରିବ ବୋଲି ଶ୍ରାବଣ ପୂର୍ଣ୍ଣମୀରୁ ଆରମ୍ଭ ହୋଇ ଜନ୍ମାଷ୍ଟମୀରେ ସମାପ୍ତ ହୋଇଥିବା ଆର୍ଯ୍ୟସମାଜର ୩୧ତମ ବାର୍ଷିକ ଉତ୍ସବରେ ବକ୍ତାମାନେ ବିଚାର ଉପସ୍ଥାପନ କରିଥିଲେ । ଶ୍ରାବଣୀ ପରମ୍ପରା ସଂପର୍କରେ ମୂଳ ଆଲୋଚନା ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ଆରମ୍ଭ କରି ଋଷିମାନଙ୍କ ବେଦ ଶୁଣାଇବାରେ ସମାଜ ରକ୍ଷା ସଂପର୍କରେ ବିସ୍ତୃତ ବ୍ୟାଖ୍ୟା କରିଥିଲେ । ଅଷ୍ଟ ଦିବସ ବ୍ୟାପୀ କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଅନୁଷ୍ଠାନର ସଂପାଦକ ଲକ୍ଷ୍ମୀଧର ପଣ୍ଡା ଶ୍ରବଣ ପରଂପରା ସଂପର୍କରେ ସୂଚନା ଦେଇଥିଲେ । ଦ୍ୱିତୀୟ ଦିବସରେ ସ୍ତମ୍ଭକାର ଅଭୟ ଦ୍ୱିବେଦୀ ବୈଦିକ ଭାରତ, ଐତିହାସିକ ଭାରତ ଏବଂ ଆଜିର ସମୃଦ୍ଧ ଭାରତର ସମନ୍ୱୟରେ ଏକ ଅଭିନବ ଭାରତ ଗଠନ ସମ୍ଭବ ବୋଲି ମତ ରଖିଥିଲେ । ତୃତୀୟ ଦିନରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଗୋଲକ ବିହାରୀ ସାହୁ ସନାତନ ପରଂପରାରେ ପୁନର୍ଜନ୍ମ ସଂପର୍କରେ ବ୍ୟାଖ୍ୟା କରିଥିଲେ । ଚତୁର୍ଥ ଦିବସରେ ବିଶିଷ୍ଟ ବାଗ୍ମୀ ପ୍ରାଧ୍ୟାପକ ବ୍ରଜମୋହନ ମିଶ୍ର ଯୁବ ସମାଜକୁ ଆଧ୍ୟାତ୍ମକତା ମାର୍ଗରେ ପ୍ରବେଶ କରିବା ପାଇଁ ଆହ୍ୱାନ କରିଥିଲେ । ପଞ୍ଚମ ଦିବସରେ ଜିଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଅପରିହାର୍ଯ୍ୟ ବୋଲି ମତ ରଖିଥିଲେ । ଷଷ୍ଠ ଦିବସରେ ସୁସାହିତ୍ୟିକ ମନୋଜ କୁମାର ମହାପାତ୍ର ପ୍ରାର୍ଥନାର ରହସ୍ୟ ସଂପର୍କରେ ସୂଚନା ଦେଇଥିଲେ ଏବଂ ସପ୍ତମ ଦିବସରେ ସଂସ୍କୃତ ବିଦ୍ୱାନ ଡଃ ପ୍ରମୋଦ କୁମାର ନାୟକ ମନୁସ୍ମୃତି ଗ୍ରନ୍ଥର ଅନୁଶୀଳନ କରିଥିଲେ । ଅନ୍ତିମ ଦିବସରେ ଜନ୍ମାଷ୍ଟମୀ ଉପଲକ୍ଷେ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ଓ ସ୍ତମ୍ଭକାର ଅଭୟ ଦ୍ୱିବେଦୀ ଭଗବାନ ଶ୍ରୀକୃଷ୍ଣଙ୍କ ଆଦର୍ଶ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ମୁରଲୀଧର ପଣ୍ଡାଙ୍କୁ ଜୀବନବ୍ୟାପୀ ସାଧନା ନିମନ୍ତେ ସଂବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର ସଭାପତି ଶ୍ରୀମତୀ ସୁଶୀଳାରାଣୀ ଗୁପ୍ତା, ପଣ୍ଡିତ ଘନଶ୍ୟାମ ଲେଙ୍କା, ରାଜକିଶୋର ସାହୁ, ନନ୍ଦକିଶୋର ସାହୁ, କାଶୀନାଥ ସାହୁ, ବୀଣାପାଣୀ ପଣ୍ଡା ଏବଂ ରବିନାରାୟଣ ଲେଙ୍କା ପ୍ରମୁଖ ଅଷ୍ଟ ଦିବସ ବ୍ୟାପୀ ଏହି ଉତ୍ସବକୁ ପରିଚାଳନା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top