ଭଦ୍ରକ-ଆନନ୍ଦପୁର ଜାତୀୟ ରାଜପଥର ବନ୍ତଛକରୁ ମଣିସାହି ଛକ ରାସ୍ତା ପାଲଟିଛି ମରଣଯନ୍ତା

ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ-ଆନନ୍ଦପୁର ଜାତୀୟ ରାଜପଥର ବନ୍ତଛକ ଠାରୁ ମଣିସାହି ଛକ ପର୍ଯ୍ୟନ୍ତ ରାସ୍ତା ଏବେ ପାଲଟିଛି ମରଣଯନ୍ତା। ଏହି ରାସ୍ତାର ଦୂରାବସ୍ଥା ଯୋଗୁଁ ଅଯଥାରେ କେଉଁ ମୁହୂର୍ତ୍ତରେ କାହାର ଜୀବନ ଯେ ଚାଲିଯିବ, ତାହା କେହି କହିପାରିବେ ନାହିଁ। ତେବେ ଜିଲା ପ୍ରଶାସନର ମୁଖ୍ୟମାନେ ଏହି ରାସ୍ତାଦେଇ ପ୍ରତିଦିନ ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ସଂସ୍ଥା ଓ ସର୍କିଟ୍ ହାଉସ୍କୁ ଆସୁଥିଲେ ମଧ୍ୟ ଏହାକୁ ନଦେଖିଲା ପରି ମନେହେଉଛି। ଏଠାରେ ସୂଚନାଯୋଗ୍ୟ ଭଦ୍ରକ-ଆନନ୍ଦପୁର ଜାତୀୟ ରାଜପଥର ବନ୍ତଛକ ଠାରୁ ଆରମ୍ଭ କରି ମାତ୍ର ୧.୫ କିଲୋମିଟର ଦୂରତ୍ୱ ମଣିସାହି ଛକ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ସଂକଟାପନ୍ନ ଅବସ୍ଥାରେ ରହିଛି। ଏହି ରାସ୍ତା ଦେଇ ବହୁ ଯାତ୍ରୀବାହୀ ଗାଡି ସହ ମାଇନ୍ସ, ବାଲିଘାଟ ଓ ଫେକର କଂପାନୀକୁ ୧୬ ଚକିଆ ପର୍ଯ୍ୟନ୍ତ ଭାରିଯାନ ଯାତାୟତ କରିଥାଏ। ଏହା ସଦାସର୍ବଦା ଗହଳିପୂର୍ଣ୍ଣ ହୋଇଥାଏ। କିନ୍ତୁ ଏହି ରାସ୍ତାର ଅବସ୍ଥା ଏବେ ଏତେ ବିପର୍ଯ୍ୟସ୍ତ ହୋଇପଡିଛି ଯେ ତାହା କୌଣସି ଗ୍ରାମାଞ୍ଚଳର ରାସ୍ତା ଠାରୁ ମଧ୍ୟ ହୀନ ହୋଇପଡିଛି। ଏହି ୧.୫ କିଲୋମିଟର ରାସ୍ତା ମଧ୍ୟରେ ପ୍ରାୟ ୧୦୦ଟି ଛୋଟବଡ ଖାଲଢିପ ରହିଥିବାର ଦୃଷ୍ଟିଗୋଚର ହୋଇଛି। ଯାହା ଲୋକଙ୍କ ଧନଜୀବନ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛି। ଏହି ରାସ୍ତା ଦେଇ ସ୍କୁଲ, କଲେଜ ସମେତ ବହୁ ଶିକ୍ଷାନୁଷ୍ଠାନକୁ ଛାତ୍ରଛାଛ୍ରୀ ସାଇକେଲ୍ ଓ ଗାଡିମୋଟର ଯୋଗେ ଯାତାୟତ କରିଥାନ୍ତି। ସାଧାରଣ ଲୋକଟିଏ ସାଇକେଲ୍ କିମ୍ବା ମୋଟର ସାଇକେଲ୍ ନେଇ ଯିବାବେଳେ ଦିନରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ରାତିରେ ତାହା ଦ୍ୱିଗୁଣିତ ହୋଇପଡୁଛି। ଖାଲ ଭିତରେ ଏତେ ପାଣି ଜମି ରହୁଥିବାରୁ ତାହା କେତେ ଗଭୀର ଜଣାନପଡିବାରୁ ସାଇକେଲ୍ ଓ ମୋଟର ସାଇକେଲ୍ ଆରୋହୀମାନେ ସେହି ଗର୍ତ୍ତରେ ପଡି ଖଣ୍ଡିଆ-ଖାବରା ହେଉଥିବାର ଦେଖାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏହି ରାସ୍ତା ଦେଇ ମନ୍ତ୍ରୀ, ରାଜନେତା, ଜିଲାପାଳ ଓ ବହୁ ଜିଲା ପ୍ରଶାସନିକ ଅଧିକାରୀମାନେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ସଂସ୍ଥା ଓ ସର୍କିଟ୍ ହାଉସ୍କୁ ବୈଠକ ପାଇଁ ଯାଉଥିଲେ ମଧ୍ୟ କାହାରି ନଜର ଏହା ଉପରେ ପଡୁନାହିଁ। ସୂଚନା ଥାଉକି ଗତ କିଛି ମାସ ହେବ ତୃପ୍ତି ପ୍ଲାଜା ସନ୍ନିକଟରେ କେନ୍ଦୁଝର ଜିଲା ହାଟିଡିହି ବ୍ଲକ୍ର ଜଣେ ମହିଳା ବାଇକ୍ରେ ଯାଉଥିବା ସମୟରେ ଏହି ଗର୍ତ୍ତରେ ତାଙ୍କର ବାଇକ୍ ପଡିଯିବାରୁ ସେ ବାଇକ୍ରୁ ଖସିପଡି ମୃତ୍ୟୁବରଣ କରିଥିଲେ। ଏଥିନେଇ ସ୍ଥାନୀୟ ଲୋକେ ଟାୟାର ଜାଳି ଦୀର୍ଘ ସମୟ ଆନ୍ଦୋଳନ ଓ ରାସ୍ତାରୋକ କରିବା ପରେ ପ୍ରଶାସନ ଧର୍ମକୁ ଆଖିଠାର ନାମକୁ ମାତ୍ର ଗର୍ତ୍ତଗୁଡିକରେ କିଛି ଡଷ୍ଟ ପୂର୍ଣ୍ଣ କରି ନିଜର ମରାମତି କାମ ସାରିଦେଇଥିଲା। କିନ୍ତୁ ଏବେ ତାହା ପୂର୍ବ ଅବସ୍ଥା ଠାରୁ ଅଧିକ ସଂକଟାପନ୍ନ ହୋଇପଡିଛି। ଯାହା ଲୋକମାନଙ୍କ ଜୀବନ ହାନି ଉପରେ ଆଶଙ୍କା ଦେଖାଦେଇଛି। ଏଣୁ ଜିଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀ ଏହି ରାସ୍ତାକୁ ତୁରନ୍ତ ମରାମତି କରିବା ପାଇଁ ସାଧାରଣ ଓ ବୁଦ୍ଦିଜୀବୀ ମହଲରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *