ଭଦ୍ରକ : ଆଧାର କେନ୍ଦ୍ରରେ ହିତାଧିକାରୀଙ୍କୁ ଶୋଷଣ ସରକାରୀ ନିର୍ଦେଶକୁ ବେଖାତିର : ମନମୁଖୀ ଅର୍ଥ ଆଦାୟ

ଭଦ୍ରକ, ୨୭ା୮ (ଓଡ଼ିଆପୁଅ / ପ୍ରମୋଦ ରାୟ) : ରାଜ୍ୟ ସରକାରଙ୍କ ନିର୍ଦେଶନାମାକୁ ବେଖାତିର କରାଯାଇ ଏହି ଜିଲାର ବନ୍ତ ବ୍ଲକର ବିଭିନ୍ନ ଆଧାର କେନ୍ଦ୍ରରେ ହିତାଧିକାରୀଙ୍କ ଠାରୁ ମନ ଇଚ୍ଛା ଅର୍ଥ ଆଦାୟ କରାଯାଇ ଶୋଷଣ କରାଯାଉଥିବାର ଅଭିଯୋଗ ହେଉଛି । ପ୍ରକାଶ ଯେ, କେନ୍ଦ୍ର ସରକାର ସାଧାରଣ ଲୋକଙ୍କ ପାଇଁ ଆଧାର ବାଧ୍ୟତାମୂଳକ କରିଥିବା ବେଳେ ଏହା ଜଣେ ବ୍ୟକ୍ତିର ପରିଚୟ ପ୍ରମାଣ ପତ୍ର ସହ ସମସ୍ତ ସରକାରୀ କାର୍ଯ୍ୟରେ ବ୍ୟବହୃତ ହୋଇପାରିବ । ଏଥିସହ ଏହି ଆଧାର ବଳରେ ଜାଲ ପରିଚୟକୁ ମଧ୍ୟ ରୋକା ଯାଇ ପାରିବ । ଏହି ଆଧାର କାର୍ଡ ଜଣେ ବ୍ୟକ୍ତିର ଜୀବନ କାଳ ମଧ୍ୟରେ ଥରେ ପଞ୍ଜୀକରଣ ହେବା ଅନିବାର୍ଯ୍ୟ ଅଟେ । ଏଥିନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଆଧାର କେନ୍ଦ୍ର ମାନ ଖୋଲା ଯାଇଥିବା ବେଳେ ସାଧାରଣ ଲୋକଙ୍କ ସମେତ ଛାତ୍ରଛାତ୍ରୀ ଆଧାର କେନ୍ଦ୍ରରେ ଘଣ୍ଟା ଘଣ୍ଟା ଅପେକ୍ଷା କରି ଆଧାର କାର୍ଡ ପଞ୍ଜୀକରଣ କରୁଛନ୍ତି । ନୂତନ କରି ଆଧାର ପଞ୍ଜୀକରଣ ଓ ଆଧାର କାର୍ଡର ସଂଶୋଧନ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଧାରିତ ଶୁଳ୍କ ମଧ୍ୟ ଧାର୍ଯ୍ୟ କରାଯାଇଛି । ନୂତନ କରି ଆଧାର ପଞ୍ଜୀକରଣ ଓ ୫/୧୫ ବର୍ଷ ପରେ ଅନିବାର୍ଯ୍ୟ ବାୟୋମେଟି୍ରକ୍ସ ନବୀକରଣ ପାଇଁ ଆଦୌ ଶୁଳ୍କ ଦେବାକୁ ପଡୁ ନ ଥିବାବେଳେ ଆଧାର କାର୍ଡରେ ଯେକୌଣସି ସଂଶୋଧନ ପାଇଁ ୨୫ ଟଙ୍କା, କଳାଧଳା ପ୍ରିଣ୍ଟ ପାଇଁ ୧୦ ଟଙ୍କା ଓ ରଂଗୀନ୍ ପ୍ରିଣ୍ଟ ପାଇଁ ୨୦ ଟଙ୍କା ଦେବାକୁ ନିର୍ଦେଶ ହୋଇଛି । ଯଦି କୌଣସି ଆଧାର କେନ୍ଦ୍ରରେ ଉପରୋକ୍ତ ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକ ଅର୍ଥ ଆଦାୟ ହେଉଥାଏ ସେ ସଂପର୍କୀୟ ସ୍ଥାନୀୟ ବିଡିଓଙ୍କ ନିକଟରେ ଅଭିଯୋଗ କରାଗଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିର୍ଦେଶ ମଧ୍ୟ ହୋଇଛି । ଏପରିସ୍ଥଳେ ବନ୍ତ ବ୍ଲକରେ ଥିବା ବିଭିନ୍ନ ଆଧାର କେନ୍ଦ୍ରମାନଙ୍କରେ ସାଧାରଣ ଲୋକଙ୍କ ସମତେ ଛାତ୍ରଛାତ୍ରୀଙ୍କ ଠାରୁ ମନ ଇଚ୍ଛା ଅର୍ଥ ଆଦାୟ କରାଯାଉଥିବାର ଅଭିଯୋଗ ହେଉଛି । ଏପରିକି ନୂତନ ଅଧାର କାର୍ଡ ପାଇଁ ୫୦ ଟଙ୍କା ନିଆଯାଉଥିବା ବେଳେ ସଂଶୋଧନ ପାଇଁ ୧୦୦ ଟଙ୍କା ନିଆଯାଉଥିବାର ଅଭିଯୋଗ ହେଉଛି । ଏଥିସହ କଳାଧଳା ପ୍ରିଣ୍ଟ ପାଇଁ ୨୦ ଟଙ୍କା ନିଆଯାଉଥିବା ବେଳେ ରଂଗୀନ୍ ପ୍ରିଣ୍ଟ ପାଇଁ ୫୦ ଟଙ୍କା ମଧ୍ୟ ଆଦାୟ କରାଯାଉଛି । ତେଣୁ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦୃଢ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *