ଭଦ୍ରକ : ଅବସରର ୨ ବର୍ଷ ପରେ ବି ଚାକିରି! ସୋସାଇଟି ସଂପାଦକଙ୍କୁ ବହିଷ୍କାର ନିର୍ଦ୍ଦେଶ

ଭଦ୍ରକ, ୧୬ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ତିହିଡି ବ୍ଲକ ଅଧୀନ ନିଶ୍ଚନ୍ତପୁର ସେବା ସମବାୟ ସମିତି ସଂପାଦକଙ୍କ ଚାକିରି କାଳ ଗତ ୨୦୧୫ ମସିହା ନଭେମ୍ବର ୧ ତାରିଖରେ ପୂରି ଯାଇଥିଲେ ହେଁ ସେ ପୂର୍ବରି ଏହି ପଦବିରେ ରହିଛନ୍ତି। ଏ ସଂପର୍କରେ ଅଭିଯୋଗ ହେବା ପରେ ତାଙ୍କୁ ତୁରନ୍ତ ତାଙ୍କ ପଦବିରୁ ରିଲିଭ କରିବା ପାଇଁ କର୍ତ୍ତୃପକ୍ଷ ନିର୍ଦେଶ ଦେଇଛନ୍ତି। ସେହିପରି ଏହି ସମୟ ଭିତରେ ସେ ବେଆଇନ ଭାବେ ଗ୍ରହଣ କରିଥିବା ଦରମା ଓ ଅନ୍ୟାନ୍ୟ ସୁବିଧା ବାବଦ ଗ୍ରହଣ କରିଥିବା ଅର୍ଥ ଜମା କରିବାକୁ ମଧ୍ୟ କୁହାଯାଇଛି। ଏହି ସୋସାଇଟିର ବୋର୍ଡ ସଭ୍ୟ ପୁରୁଷୋତ୍ତମ ମଲିକ, ବିଦ୍ୟାଧର ଦାସ ପ୍ରମୁଖ ସଂପାଦକଙ୍କ ବିରୋଧରେ ଅଭିଯୋଗ କରିଥିଲେ। ସଂପାଦକଙ୍କ ବୟସ ଜାଣିବା ପାଇଁ ଭଦ୍ରକ ସର୍କଲର ଏଆରସିଏସ ତିହିଡି ବ୍ଲକ ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଥିଲେ। ଚବିଶପଡା ୟୁଜିୟୁପି ବିଦ୍ୟାଳୟ ପ୍ରଦାନ କରିଥିବା ସାର୍ଟିଫିକେଟ ଅନୁଯାୟୀ ତାଙ୍କ ଜନ୍ମ ତାରିଖ ୨୧.୧୦.୧୯୫୫ ବୋଲି ଦେଖାଯାଇଥିଲା। ସେହି ତାରିଖ ଅନୁଯାୟୀ ସେ ୩୧.୧୦.୧୫ରେ ଅବସର ନେବା କଥା। କିନ୍ତୁ ଆଜି ପର୍ଯ୍ୟନ୍ତ ସେ କାମ କରୁଥିବା ନେଇ ଏଆରସିଏସ ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତେଣୁ ତାଙ୍କୁ ତାଙ୍କ କାର୍ଯ୍ୟରୁ ତୁରନ୍ତ ମୁକ୍ତି ଦେଇ ସେ ଏହି ସମୟ ମଧ୍ୟରେ ଗ୍ରହଣ କରିଥିବା ସମସ୍ତ ଅର୍ଥ ଜମା କରିବା ପାଇଁ ତାଙ୍କୁ କହିବା ପାଇଁ ନିଶ୍ଚନ୍ତପୁର ସଭାପତିଙ୍କୁ ଭଦ୍ରକ ଏଆରସିଏସ ଚିଠି ମାଧ୍ୟମରେ ଗତ ୨୭ ତାରିଖରେ ଜଣାଇ ଦେଇଛନ୍ତି। ୩ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚିଠିରେ ଦର୍ଶାଯାଇଛି। ଏ ସଂପର୍କରେ ପ୍ରତିକ୍ରିୟା ଜାଣିବା ପାଇଁ ପ୍ରଥମେ ତଦନ୍ତ ଅଧିକାରୀ ସିଇଓ ସଞ୍ଜୟ କୁମାର ଦାସଙ୍କ ସହ ଯୋଗାଯୋଗ କରାଯାଇଥିଲା। ଏଆରସିଏସଙ୍କ ଚିଠି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ପୁଣି ଥରେ ‘ରିମାଇଫର’ ପଠାଯାଇଛି ବୋଲି କହିଛନ୍ତି। ସେବା ସମବାୟ ସମିତିର ସଭାପତି ସୁବାସ ମଲିକଙ୍କ ସହ ଯୋଗାଯୋଗ କରିବାରୁ ସେ ଏ ସଂପର୍କରେ ଆଲୋଚନା କରିବା ପାଇଁ ଆସନ୍ତା ବୁଧବାର ଦିନ ମିଟିଂ ଡାକିଛନ୍ତି ବୋଲି କହିଛନ୍ତି। ଅପରପକ୍ଷରେ ଏଆରସିଏସଙ୍କ ଚିଠି ଉପରେ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ଅଭିଯୋଗକାରୀ ଅସନ୍ତୋଷ ବ୍ୟକ୍ତ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବା ଆବଶ୍ୟକ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *