ଭଦ୍ରକରେ ୫ ହଜାର ଟଙ୍କା ଲାଞ୍ଚ ନେଇ ବାସୁଦେବପୁର ଥାନାଧିକାରୀ ଭିଜିଲାନ୍ସ ଦ୍ୱାରା ଗିରଫ

ଭଦ୍ରକ, ୧୬/୫ (ଓଡ଼ିଆ ପୁଅ/ପ୍ରମୋଦ ରାୟ) : ଆଜି ଜଣେ କାଠ ବ୍ୟବସାୟୀଙ୍କ ଠାରୁ ଭଦ୍ରକରେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବାସୁଦେବପୁର ଥାନାଧିକାରୀ ବୁଲୁ ମୁଣ୍ଡା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଏ ସଂପର୍କରେ ମିଳିଥିବା ତଥ୍ୟ ଅନୁସାରେ ବାସୁଦେବପୁର ଥାନା ଅଧୀନସ୍ଥ ସୁଙ୍ଗୁଡାନିବାସୀ ସେକ୍ ଇମାତୁଲ୍ଲା ସ୍ଥାନୀୟ ବଜାରରେ କାଠ ଡିପୋ ଖୋଲି ବ୍ୟବସାୟ କରନ୍ତି। ସ୍ଥାନୀୟ ଥାନାଧିକାରୀ ବୁଲୁ ମୁଣ୍ଡା ଅନେକ ଥର ତାଙ୍କଠାରୁ ଜୋର ଜବରଦସ୍ତ ଚାନ୍ଦା ଆଦାୟ କରୁଥିଲେ। ସେକ୍ ଇମାତୁଲ୍ଲା ଏଥିରେ ଅତିଷ୍ଠ ହୋଇ ଏ ସଂପର୍କରେ ବାଲେଶ୍ୱର ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ତେବେ ଶ୍ରୀ ମୁଣ୍ଡା ପୁନର୍ବାର ଇମାତୁଲ୍ଲାଙ୍କୁ ୫ ହଜାର ଟଙ୍କା ଚାନ୍ଦା ମାଗିଥିବାବେଳେ ସେ ଆଜି ଦେବାପାଇଁ କହି ଏ ସଂପର୍କରେ ବାଲେଶ୍ୱର ଭିଜିଲାନ୍ସ ବିଭାଗ ଏସ୍ପି ଘନଶ୍ୟାମ ଗୋଚ୍ଛାୟତଙ୍କୁ ଜଣାଇଥିଲେ। ଶ୍ରୀ ଗୋଚ୍ଛାୟତଙ୍କ ନିର୍ଦ୍ଦେଶ କ୍ରମେ ଆଜି ବାଲେଶ୍ୱର ଭିଜିଲାନ୍ସ ବିଭାଗ ଡିଏସ୍ପି ମଧୁସୂଦନ ବେହେରାଙ୍କ ନେତୃତ୍ୱରେ ଇନ୍ସିପେକ୍ଟର ଅନିରୁଦ୍ଧ ନାୟକ ଓ ମୋନାଲି ଜେନା ପ୍ରମୁଖ ଏକ ଟିମ୍ ଭଦ୍ରକରେ ପହଞ୍ଚିଥିଲେ। ପୂର୍ବ ଯୋଜନା ଅନୁସାରେ ସେକ୍ ଇମାତୁଲ୍ଲା ଭଦ୍ରକରେ ପହଞ୍ଚି ଥାନାଧିକାରୀ ଶ୍ରୀ ମୁଣ୍ଡାଙ୍କୁ କେଉଁଠାରେ ଟଙ୍କା ଦେବାପାଇଁ ପଚାରିଥିଲେ। ଆଜି ଭଦ୍ରକ ଜିଲା ପୁଲିସ୍ କାର୍ଯ୍ୟାଳୟରେ କ୍ରାଇମ୍ ମିଟିଂ ଥିବାରୁ ଶ୍ରୀ ମୁଣ୍ଡା ତାଙ୍କୁ ଭଦ୍ରକ କଲେଜ ପୋଲ ତଳକୁ ଆସିବାକୁ କହି ପୂର୍ବାହ୍ନ ପ୍ରାୟ ୧୧.୩୦ ରେ ସେଠାରେ ପହଞ୍ଚିବା ପରେ ଭିଜିଲାନ୍ସ ବିଭାଗ ଦ୍ୱାରା ପ୍ରସ୍ତୁତ ହୋଇଥିବା ରଂଗମଖା ୫ ହଜାର ଟଙ୍କା ଇମାତୁଲ୍ଲାଙ୍କ ଠାରୁ ନେଉଥିବାବେଳେ ଛକିବସିଥିବା ଭିଜିଲାନ୍ସ ଟିମ୍ ଦ୍ୱାରା ଗିରଫ ହୋଇଥିଲେ। ଅନୁରୂପ ଭଦ୍ରକ ଭିଜିଲାନ୍ସ ବିଭାଗର ଇନ୍ସିପେକ୍ଟର ତପନ ଦାସ, ସୁଲୋଚନା ନାୟକ ଓ ଭାନୁପ୍ରିୟା ମହାରଣା ପ୍ରମୁଖ ଥାନାଧିକାରୀ ବୁଲୁ ମୁଣ୍ଡାଙ୍କ ବାସୁଦେବପୁର ସ୍ଥିତ ବାସଭବନରେ ପହଞ୍ଚି ଚଢାଉ କରିଥିବାର ଜଣାପଡିଛି। ତେବେ ଆଜି ଶ୍ରୀ ମୁଣ୍ଡାଙ୍କୁ ବାଲେଶ୍ୱର ଭିଜିଲାନ୍ସ ବିଭାଗ କାର୍ଯ୍ୟାଳୟକୁ ନିଆଯାଇ ପଚରା ଉଚୁରା ଜାରି ରହିଥିବାର ଜଣାପଡିଛି। ଆସନ୍ତାକାଲି ତାଙ୍କୁ କୋର୍ଟରେ ହାଜର କରାଯିବ ବୋଲି ଡିଏସ୍ପି ଶ୍ରୀ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *