ଭଦ୍ରକରେ ୧୩ତମ ଉତ୍ତର ଓଡିଶା ବାଣିଜ୍ୟ ମେଳା ଉଦ୍ଘାଟିତ

ଭଦ୍ରକ, ୬ା୧ (ଓଡିଆପୁଅ / ପ୍ରମୋଦ ରାୟ) : ଆଜି ସ୍ଥାନୀୟ ନେହେରୁ ଷ୍ଟାଡିୟମ୍ରେ ‘ସେଣ୍ଟର ଫର ନେଚୁରାଲ ଏଣ୍ଡ ହୁ୍ୟମାନ ରିସୋର୍ସେସ’ ପକ୍ଷରୁ ୧୩ତମ ଉତ୍ତର ଓଡିଶା ବାଣିଜ୍ୟ ମେଳା-୨୦୧୮ ଉଦ୍ଘାଟିତ ହୋଇଛି। ଏହି ଉତ୍ସବରେ ବାଣିଜ୍ୟମେଳାର ଉପସଭାପତି ଶୁଭେନ୍ଦୁ ରାୟମହାପାତ୍ର ଅଧ୍ୟକ୍ଷତା କରିଥିବାବେଳେ ପୂର୍ବତନ ମନ୍ତ୍ରୀ ତଥା ପିସିସି ସଭାପତି ନିରଂଜନ ପଟ୍ଟନାୟକ ମୁଖ୍ୟଅତିଥି ଓ ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ମେଳାର ଶୁଭ ଉଦ୍ଘାଟନ କରିଥିଲେ। ନିଜର ଅଭିଭାଷଣରେ ଶ୍ରୀ ପଟ୍ଟନାୟକ ଆମ ରାଜ୍ୟ ଆଜି ଅର୍ଥନୈତିକ ଓ କୃଷି କ୍ଷେତ୍ରରେ ପଛୁଆ ରହିଥିବାର ସୂଚାଇ ଏବେ ଜଂଗଲ ଧ୍ୱଂସ ପରେ ଭୂତଳ ସଂପତ୍ତି ଲୁଟ୍ର ଯେଉଁ ମସୁଧା ଚାଲିଛି, ତାହାକୁ ରୋକିବା ଦିଗରେ ଯୁବ ସମାଜକୁ ଆହ୍ୱାନ ଦେଇଥିଲେ। ଏବଂ ଗାନ୍ଧିଜୀ କ୍ଷୁଦ୍ର କୁଟୀଳ ଶିଳ୍ପକୁ ଯେଉଁ ଅଗ୍ରାଧିକାର ଦେଇଥିଲେ, ସେହି ସତ୍ୟକୁ ଜାଣିପାରିଲେ ଆମ ରାଜ୍ୟ ବାଣିଜ୍ୟ କ୍ଷେତ୍ରରେ ଶୀର୍ଷରେ ରହିପାରିବ ବୋଲି କହିଥିଲେ। ବିଶେଷକରି ଓଡ଼ିଶାର ଜନସାଧାରଣ ସାମାଜିକ ନ୍ୟାୟ ନପାଇବା ପର୍ଯ୍ୟନ୍ତ ରାଜ୍ୟର ବିକାଶ ଅସମ୍ଭବ ବୋଲି ସୂଚାଇ ଓଡ଼ିଶାରେ ୪୮୦ କିମି ସମୁଦ୍ର ଉପକୂଳ ଅଂଚଳ ଥିବାବେଳେ ଆମେ ଆବଶ୍ୟକ ଲୁଣ ଏପର୍ଯ୍ୟନ୍ତ ଉତ୍ପାଦନ କରିପାରୁନଥିବାରୁ ଗଭୀର କ୍ଷୋଭ ପ୍ରକାଶ ପୂର୍ବକ ଓଡ଼ିଶା ଗରିବ ନୁହେଁ, ଓଡ଼ିଆ ଗରିବ ବୋଲି ଯେଉଁ ଅପବାଦ ରହିଛି, ସେଥିରୁ ମୁକୁଳିବାକୁ ହେଲେ ଓଡ଼ିଶାର ଯୁବଗୋଷ୍ଠୀଙ୍କ ମଧ୍ୟରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ପ୍ରସାରର ଉଦ୍ୟମ ହେବା ଆବଶ୍ୟକ ବୋଲି ଆହ୍ୱାନ ଦେଇଥିଲେ। ସେହିଭଳି ଶ୍ରୀ ସେଠୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ “ହଜାର ଦିନରେ ହଜାର ଶିଳ୍ପ” ଗଢିବାର ଯେଉଁ ସ୍ୱପ୍ନ ଦେଖିଥିଲେ, ତାହା ଆଜି ଅସଂପୂର୍ଣ୍ଣ ରହିଥିବାବେଳେ ଭଦ୍ରକ ଭଳି ଜିଲାରେ ଧାମରା ଓ ଫେକରକୁ ଛାଡିଦେଲେ ସେଭଳି କିଛି ଶିଳ୍ପର ବିକାଶ ହୋଇନଥିବା ମୂଳରେ ସ୍ଥାନୀୟ ବିଧାୟକ ଓ ମନ୍ତ୍ରୀମାନଙ୍କୁ ଦାୟୀ କରିଥିଲେ। ଅଧ୍ୟାପକ ତଥା ବିଶିଷ୍ଟ ସାହିତ୍ୟିକ ପବିତ୍ର ପାଣିଗ୍ରାହୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଏହି ଭଦ୍ରକ ମାଟିର ଚାନ୍ଦବାଲି ଠାରୁ ଆରମ୍ଭ କରି ମନ୍ତେଇ ପର୍ଯ୍ୟନ୍ତ ଯେଉଁ ସାଧବପୁଅଙ୍କ ବାଣିଜ୍ୟ ବ୍ୟବସାୟ ସମଗ୍ର ଓଡ଼ିଶାକୁ ରୁଦ୍ଧିମନ୍ତ କରିଥିଲା, ତାହାର ଉପମା ଦେଇ ଏହି ବାଣିଜ୍ୟମେଳା କେବଳ ଏହି ଅଂଚଳ ନୁହେଁ ପଡୋଶୀ ୩ଟି ଜିଲାର ଶିକ୍ଷା, ସଂସ୍କୃତି ଓ ଗାରିମାକୁ ଶୋଭାବର୍ଦ୍ଧନ କରିବ ବୋଲି କହିଥିଲେ। ଉତ୍ସବ ପ୍ରାରମ୍ଭରେ ସଂଗୀତ ନିର୍ଦ୍ଦେଶକ ରାମନାରାୟଣ ମହାନ୍ତିଙ୍କ ଟ୍ରୁପ୍ ଦ୍ୱାରା “ବନ୍ଦେ ଉତ୍କଳ ଜନନୀ” ସଂଗୀତ ଗାନ ପରେ ଉପଦେଷ୍ଟା ଅତିଶ ବେହେରା ଅତିଥି ପରିଚୟ, ବାଣିଜ୍ୟମେଳାର ସଭାପତି ସତ୍ୟେନ୍ଦୁ ରାୟ ମହାପାତ୍ର ସ୍ୱାଗତ ଭାଷଣ ଓ ସଂଯୋଜକ ସଂଜୀବ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ମୁଖ୍ୟଅତିଥି ସମାଜସେବା କ୍ଷେତ୍ରରେ ଭଦ୍ରକ ସୋସିଆଲ ସର୍ଭିସ୍ ଓ କ୍ରୀଡା କ୍ଷେତ୍ରରେ ଜସ୍ମିନ୍ ସାହୁ ଓ ଶାରୀରିକ ପ୍ରଶିକ୍ଷକ ଜନ୍ମେଜୟ ବାରିକ, ସାପଧରାଳି ମିର୍ଜା ଆରିଫ୍ ବେଗ୍ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହାପରେ ବିଶିଷ୍ଟ ସଂଗୀତକାର ଶକ୍ତି ମିଶ୍ରଙ୍କ ଗ୍ରୁପ୍ ଦ୍ୱାରା ସଂଗୀତ ପରିବେଷଣ ସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତି କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହି ଉତ୍ସବକୁ ମିଡିଆ ସେଲ୍ ଅଧ୍ୟକ୍ଷ ପ୍ରମୋଦ ରାୟ, ବିଜୟ କୁମାର ପାଣି, ପ୍ରଭାତ ମହାନ୍ତି, ରଣଜିତ୍ ଦାସ, ସଂଗ୍ରାମ ନାୟକ ପ୍ରମୁଖ ପରିଚାଳନା କରିଥିଲେ। ଚଳିତ ବର୍ଷ ଏହି ମେଳାରେ ରାଜ୍ୟ ଓ ରାଜ୍ୟ ବାହାରୁ ଶତାଧିକ ଷ୍ଟଲ ପଡିଥିବାବେଳେ ବିଦ୍ୟୁତ ରାମଦୋଳି, ବ୍ରେକ୍ ଡ୍ୟାନ୍ସ ଓ ନୌକା ବିହାର ଭଳି ଛୋଟ ପିଲାମାନଙ୍କ ମନୋରଂଜନ ନିମନ୍ତେ ବିଭିନ୍ନ ଖେଳ ପ୍ରଦର୍ଶିତ ହେଉଛି। ଏଥିରେ ବିଭିନ୍ନ ରାଜ୍ୟର କୁଟୀର ଶିଳ୍ପ, ହସ୍ତତନ୍ତ, ବେତ, କଂସା, ପିତ୍ତଳ ଓ କାଇଁଚ ନିର୍ମିତ ସାମଗ୍ରୀ, ଘରୋଇ ଉପକରଣ ସହ ଆମ ରାଜ୍ୟର ୩୦ଟି ଜିଲାରେ ଥିବା ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀଙ୍କର ହାତ ତିଆରି ସାମଗ୍ରୀ, ପିପିଲି ଚାନ୍ଦୁଆ, କାଗଜ ନିର୍ମିିତ ଫୁଲ, ବରହମପୁର ଆଚାର, ବଡି, ଜିଲାର ସ୍ୱୟଂ ସହାୟକ ଗୋଷ୍ଠୀ, ଜିଲା ଶିଳ୍ପ କେନ୍ଦ୍ର ଓ ନାବାର୍ଡ ଦ୍ୱାରା ଉତ୍ପାଦିତ ବିଭିନ୍ନ ଦ୍ରବ୍ୟ ପ୍ରଦର୍ଶିତ ହେଉଛି। ଏହା ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ।

Leave a Reply

Your email address will not be published. Required fields are marked *