Home ଜିଲ୍ଲା ପରିକ୍ରମା ଭଦ୍ରକରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପ୍ରସଙ୍ଗ, ଭଦ୍ରକ ବିଧାୟକଙ୍କ ବାସଭବନ ସମ୍ମୁଖରେ କ୍ରିୟାନୁଷ୍ଠାନ କମିଟିର...

ଭଦ୍ରକରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପ୍ରସଙ୍ଗ, ଭଦ୍ରକ ବିଧାୟକଙ୍କ ବାସଭବନ ସମ୍ମୁଖରେ କ୍ରିୟାନୁଷ୍ଠାନ କମିଟିର ଧାରଣା

28

ଭଦ୍ରକ, ୧୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଗତ କାଲି ଭଦ୍ରକ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ ବାସଭବନ ସମ୍ମୁଖରେ ଧାରଣାରେ ବସିଥିଲେ । ପୂର୍ବ ଦିନ କମିଟି ତରଫରୁ ବିରୋଧ ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ବାଭବନ ସାମନାରେ ଧାରଣା ଦିଆଯାଇଥିଲା ଏବଂ ଆସନ୍ତାକାଲି ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ବାସଗୃହ ଆଗରେ ଧାରଣାରେ ବସିବେ । ଦୀର୍ଘ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ହେବ ଭଦ୍ରକବାସୀ ଏକ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବୀ କରି ଆସୁଥିଲେ ମଧ୍ୟ, ସରକାର ଏହାକୁ ଅଣଦେଖା କରି ଆସୁଛନ୍ତି । ବିଗତ କିଛି ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲାରେ ମେଡିକାଲ ପ୍ରତିଷ୍ଠା ସଂପର୍କରେ ଘୋଷଣା ହୋଇଥିଲେ ମଧ୍ୟ ଭଦ୍ରକ ସେଥିରୁ ବାଦ ପଡିଛି । । ଭଦ୍ରକ ଆଖପାଖ ପଡୋଶୀ ଜିଲାର ବହୁ ଜନସଂଖ୍ୟା ସ୍ୱାସ୍ଥ୍ୟ ସେବା ନିମନ୍ତେ ଭଦ୍ରକ ଉପରେ ନିର୍ଭର କରୁଥିଲେ ହେଁ,ଏହା କହିବା ବାହୁଲ୍ୟ, ଭଦ୍ରକରେ ସ୍ୱାସ୍ଥ୍ୟ ସେବା ବର୍ତ୍ତମାନ ବିପର୍ଯ୍ୟସ୍ତ ସ୍ଥିତିରେ ପହଞ୍ôଚଛି । ଶିକ୍ଷା ଭଳି ସ୍ୱାସ୍ଥ୍ୟ ସେବା ଏକ ମୌଳିକ ଆବଶ୍ୟକତା । କିନ୍ତୁ ଭଦ୍ରକର ରୋଗୀମାନଙ୍କୁ ବାରମ୍ବାର କଟକ ମେଡିକାଲ ପଠାଯାଉଥିବାରୁ , ଦାରିଦ୍ର‌୍ୟ ସୀମାରେଖା ତଳେ ବାସ କରୁଥିବା ଅଧାରୁ ଅଧିକ ଜନସଂଖ୍ୟା ଏଥି ନିମନ୍ତେ ହନ୍ତସନ୍ତ ହେଉଛନ୍ତି । ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଭଦ୍ରକରେ ଭିତ୍ତିଭୂମି ତଥା ଜମିର ଅଭାବ ନାହିଁ । କେନ୍ଦ୍ର ସରକାର ମଧ୍ୟ ୨୦୨୦ ମସିହା ଫେବୃୟାରୀ ପତ୍ରରେ କେନ୍ଦ୍ର ସରକାରଙ୍କ ତରଫରୁ ସମୁଦାୟ ଅଂଶଧନର ୬୦% ବହନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ, ରାଜ୍ୟ ସରକାର ଭଦ୍ରକରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ କାହିଁକି ପ୍ରସ୍ତାବ ଦେଉନାହାନ୍ତି, ଏହା ଭଦ୍ରକବାସୀଙ୍କ ପାଇଁ ରହସ୍ୟର କାରଣ ହୋଇ ରହିଛି । କ୍ରିୟାନୁଷ୍ଠାନ କମିଟି ତରଫରୁ ଏହି ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ବିଧିବଦ୍ଧ ଯୋଜନା ପ୍ରସ୍ତୁତ କରାଯାଇଛି ।

ଆଗାମୀ ଦିନରେ ଭଦ୍ରକର ସାଂସଦ ଏବଂ ଚାନ୍ଦବାଲି ବିଧାୟକ ଓ ବାସୁଦେବପୁର ବିଧାୟକଙ୍କ ବାସଭବନ ସମ୍ମୁଖରେ ଧାରଣା ଦେବାର ଯୋଜନା ରହିଛି । ଆବଶ୍ୟକ ହେଲେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନ ଚାଲିଥିବା ସମୟରେ ଭୁବନେଶ୍ୱରରେ ଧାରଣା ଦେବା ପାଇଁ ଯୋଜନା ରହିଛି । ସରକାର ଜାଣିବା ଉଚିତ, ଏହି ଆନ୍ଦୋଳନ ସହିତ ଭଦ୍ରକବାସୀଙ୍କର ସ୍ୱାଭିମାନ ଓ ଭାବାବେଗ ଜଡିତ ରହିଛି । ଏ ଦାବୀ ପୂରଣ ନ ହେଲା ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀ ରହିବ ବୋଲି କ୍ରିୟାନୁଷ୍ଠାନ କମିଟି ତରଫରୁ ସ୍ପଷ୍ଟ ଶବ୍ଦରେ ଘୋଷଣା କରାଯାଇଛି । କ୍ରିୟାନୁଷ୍ଠାନ କମିଟି ତରଫରୁ ଅନ୍ୟମାନଙ୍କ ମଧ୍ୟରେ ଅଭୟ ଦ୍ୱବେଦୀ, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ,ଡାକ୍ତର ହରେକୃଷ୍ଣ ନାୟକ,ସୁଧାକର ରାଉତ, ଶାନ୍ତନୁ ରାଉତ, ଶ୍ରୀହର୍ଷ ସ୍ୱାଇଁ, ବଳରାମ ମିଶ୍ର, ସାମ୍ବାଦିକ ପ୍ରମୋଦ ରାୟ, ରାଧାରାଣୀ ମହାପାତ୍ର, ଗୀତାରାଣୀ ଆଇଚ, ଭାନୁମତି ମାଟିଆ,ବିପ୍ଳବ ହୋତା, ରାମଚନ୍ଦ୍ର ବେହେରା, ଅମ୍ବିକା ଦାସ,ମହେଶ ଦାସ,ସେକ୍ ନୁରୁ,କୟୁମ ଅଲି ସାହା,ମହମ୍ମଦ, ଅଲି ଅକତର,ଜ୍ୟୋତିମୟ ପାଣ୍ଡବ, ବାବୁଲାଲ ଦାସ, ଅବନୀ ପ୍ରମଧାନ,ଦୟାନିଧି ରାଉଳ,ଧୀରେନ୍ଦ୍ର ସାହୁ,ବୈଲୋଚନ ବେହୁରିଆ,ସୀତାକାନ୍ତ ଦାସ, ବସନ୍ତ ପାଣିଗ୍ରାହୀ ପ୍ରମୁଖ ଧାରଣାରେ ବସିଥିଲେ । ଭଦ୍ରକ ବିଧାୟକ ଧାରଣା ସମୟରେ ଅନୁପସ୍ଥିତ ରହିଥିଲେ ମଧ୍ୟ ଫୋନ୍ ଯୋଗେ ସଦସ୍ୟମାନଙ୍କ ସହିତ ବାର୍ତ୍ତଳାପ କରିଥିଲେ ଏବଂ ଆନ୍ଦୋଳନ ପ୍ରତି ତାଙ୍କର ସମସ୍ତ ସମର୍ଥନ ରହିଛି ବୋଲି ମତ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.