ଭଦ୍ରକରେ ଶାସ୍ତ୍ରୀୟ ସଙ୍ଗୀତ ଆସର

ଭଦ୍ରକ,୨୭ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ସଙ୍ଗୀତ ହେଉଛି ପ୍ରକୃତି ଓ ପରମେଶ୍ୱରଙ୍କ ସହିତ ସମନ୍ୱୟର ସଂକ୍ଷିପ୍ତ ମାର୍ଗ ।  ସଙ୍ଗୀତର ମୂର୍ଚ୍ଛନାରୁ ସଂସାରର ସୃଷ୍ଟି । ତେଣୁ ପ୍ରକୃତିର ପ୍ରତିଟି ତନ୍ତ୍ରୀରେ ସଙ୍ଗୀତ ହିଁ ଝଙ୍କୃତ ହେଉଥାଏ । ହିମାଳୟର ପାଦ ଦେଶରେ ଦଣ୍ଡାୟମାନ ହେଇ ଉତ୍ତୁଙ୍ଗ ଶିଖରକୁ ଅବଲୋକନ କଲେ, ଅନନ୍ତ ସାଗରର ବେଳାଭୂମିରେ ଠିଆ ହୋଇ ଉତ୍ତାଳ ତରଙ୍ଗକୁ ନିରୀକ୍ଷଣ କଲେ ଏବଂ ନିବୁଜ ଅନ୍ଧାରରେ ନକ୍ଷତ୍ର-ସ୍ନିଗ୍ଧ ଆକାଶ ଯେଉଁ  ଭାଷାରେ ଆମକୁ ଅଭିଭୂତ କରନ୍ତି ତାହା ହିଁ ହେଉଛି ସଙ୍ଗୀତର ସ୍ୱରୂପ ।  ଜାଗତିକ ଶବ୍ଦରେ ସଙ୍ଗୀତ ହେଉଛି ଈଶ୍ୱରଙ୍କ ନିମନ୍ତେ ପ୍ରାର୍ଥନା । ବିଶିଷ୍ଟ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ୍ ଯେତେବେଳେ ବିଜ୍ଞାନ ପରୀକ୍ଷାଗାରରେ କୌଣସି ଜଟିଳ ସମସ୍ୟାର ସମ୍ମୁଖୀନ ହେଉଥିଲେ, ସେତେବେଳେ ସେ କିଛି ସମୟ ପାଇଁ ଭାଓଲିନ୍ ବାଦନ କରି ତାହାର ସମାଧାନର ମାର୍ଗ ପାଇ ପାରୁଥିଲେ । ଏହା ହେଉଛି ସଙ୍ଗୀତର ଶକ୍ତି ଓ ପ୍ରଭାବ ବୋଲି ମତବ୍ୟକ୍ତ କରି ବିଶିଷ୍ଟ ସ୍ତମ୍ଭକାର ତଥା ସାହିତି୍ୟକ ଅଭୟ ଦ୍ୱିବେଦୀ ସ୍ଥାନୀୟ ଗୀତା ଭବନରେ ଆୟୋଜିତ ଭଦ୍ରକ ଶାସ୍ତ୍ରୀୟ ସଙ୍ଗୀତ ଆସରକୁ ଉଦ୍ଘାଟନ୍ କରିଥିଲେ । ଉସôବର ଆରମ୍ଭରେ ପ୍ରଭୁ ଜଗନ୍ନାଥଙ୍କ ପାଦ ପଦ୍ମରେ ଦୀପ ପ୍ରଜ୍ଜଳନ ପରେ ଭଦ୍ରକର ଦୁଇ ଶାସ୍ତ୍ରୀୟ ସଙ୍ଗୀତର ବିଶାରଦ ଗୁରୁ ରାମହରି ମହାନ୍ତି ଏବଂ ଗୁରୁ ଧନେଶ୍ୱର ଦାସଙ୍କ ଅମର ଆତ୍ମା ଉଦେ୍ଦଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା ଏବଂ ମନମୋହନ ସଙ୍ଗୀତ ପରିଷଦର ଅଧ୍ୟକ୍ଷ ଗୁରୁ କେଶବ କୁମାର ଜେନା ଛାତ୍ର/ଛାତ୍ରୀମାନଙ୍କୁ ଶୃଙ୍ଗଳିତ ଅଭ୍ୟାସ ଓ ଅଧ୍ୟୟନ ନିମନ୍ତେ ପରାମର୍ଶ ଦେଇଥିଲେ ।  ଏହି ଆସରରେ ଡାକ୍ତର ଅବିନାଶ କୁମାର ଓ ସୁନୀଲ ପଣ୍ଡା ଶାସ୍ତ୍ରୀୟ ରାଗରେ ଜଗନ୍ନାଥ ବନ୍ଦନା ପରିବେଷଣ କରିଥିବାବେଳେ ତାଙ୍କୁ   ସହଯୋଗ କରିଥିଲେ କେଶବ ଚନ୍ଦ୍ର ଜେନା ଏବଂ ତବଲା ବାଦକ ଗୟାଧର ଗୋଚ୍ଛାୟତ । ଏକକ ତବଲା ଲହରାରେ ଦର୍ଶକକଙ୍କୁ ମୁଗ୍ଧ କରିଥିଲେ ସୁମନ ସାହୁ ଏବଂ ହାରମୋନିୟମରେ ଥିଲେ ଶଶିକାନ୍ତ ସାହୁ । ଯୁଗଳବନ୍ଦୀରେ ଖୟାଲ ପରିବେଷଣ କରିଥିଲେ ଜାଫର ଡାନିଶ ଓ ଶଶିକାନ୍ତ ସାହୁ, ତବଲାରେ ସହଯୋଗ କରିଥିଲେ ବିନୋଦ ବିହାରୀ । ଏକକ ସୀତାର ସଙ୍ଗୀତରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ସତ୍ୟବାନ ସେଠୀ ଏବଂ ତବଲାରେ ସୁଶାନ୍ତ ଜେନା । କେଶବ ଚନ୍ଦ୍ର ଜେନା ଏବଂ ଡାକ୍ତର ଅବିନାଶ କୁମାର ଖୟାଲ ପରିବେଷଣ କରିଥିବାବେଳେ ତାଙ୍କୁ ତବଲାରେ ସହଯୋଗ କରିଥିଲେ ଗୟାଧର ଗୋଚ୍ଛାୟତ ଏବଂ ଗଣେଶ ଚନ୍ଦ୍ର ଦାସ । ଆସରକୁ ସଞ୍ଚାଳନ କରିଥିଲେ ବିଶିଷ୍ଟ କଣ୍ଠ ଶିଳ୍ପୀ ଦେବେନ୍ଦ୍ର ସେଠୀ ଏବଂ ପରିଚାଳନା କରିଥିଲେ ଜାଫର ଦାନିଶ, ଡାକ୍ତର ଅବିନାଶ କୁମାର ଓ ସୁନୀଲ ପଣ୍ଡା । ଏହି ଆସରରେ ଭଦ୍ରକର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରଫେସର ଏମ.ଏ.ନବୀ, ପ୍ରଫେସର ଡଃ ପଦ୍ମକାନ୍ତ ଧଳ, ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର ଗଦାଧର ପଣ୍ଡା, ନାଟ୍ୟଶ୍ରୀ ନିର୍ମଳ ରାଉତ, ବ୍ରଜ କିଶୋର ନାୟକ, ଅଭିଜିତ ନାୟକ, ତୁଷାର ମହାନ୍ତି, ବସନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସଙ୍ଗୀତ ଶିଳ୍ପୀମାନଙ୍କୁ ଉସôାହିତ କରିଥିଲେ । ପରିଶେଷରେ ଭଦ୍ରକରେ ଶାସ୍ତ୍ରୀୟ ସଙ୍ଗୀତର ଧାରା ଅବ୍ୟାହତ ରଖିବା ନିମନ୍ତେ ଏହିଭଳି ଆସର ବର୍ଷରେ ଅନ୍ୟୁନ ଚାରୋଟି ଆୟୋଜନ କରିବା ପାଇଁ ସ୍ଥିରୀକୃତ ହୋଇଥିଲା ।

Leave a Reply

Your email address will not be published. Required fields are marked *