ଭଦ୍ରକରେ ଶବେକଦର ପର୍ବ ପାଳିତ

ଭଦ୍ରକ, ୧୪ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ସହରର ମସଜିଦଗୁଡିକରେ ଶବେକଦର ପର୍ବ ବେଶ ଉତ୍ସାହ ସହକାରେ ପାଳିତ ହୋଇଯାଇଛି। ଏଥିଲାଗି ମସଜିଦଗୁଡିକରେ ଭିଡ ଦେଖିବାକୁ ମିଳିଥିଲା। ବିଭିନ୍ନ ରଙ୍ଗବେରଙ୍ଗ ଆଲୋକମାଳାରେ ମସଜିଦଗୁଡିକ ଝଲସୁ ଥିଲା। ପୁରୁଣା ବଜାରସ୍ଥିତ ଜାମା ମସଜିଦରେ ବେଶ ଭିଡ ପରିଲକ୍ଷିତ ହୋଇଥିଲା। ରମଜାନ ମାସର ୨୬ ରୋଜା ଓ ୨୭ ତରାୱିରେ ଶବେକଦର ପାଳନ କରାଯାଇଥାଏ। ରମଜାନର ପ୍ରଥମରୁ ୨୭ ତରାୱି ପର୍ଯ୍ୟନ୍ତ କୋରାନକୁ ମୁଖସ୍ତ କରିଥିବା ହାଫିଜମାନେ ତରାୱି ନମାଜ ପଢନ୍ତି ଓ ଲୋକମାନେ ନିଜ ନିଜର ଦେୟ(ନଜରାନା) ମସଜିଦର ହାଫିଜମାନଙ୍କୁ ଦେଇଥାନ୍ତି। ଜାମା ମସଜିଦରେ ଅନୁଷ୍ଠିତ ଶବେକଦରରେ ମୁଖ୍ୟ ଅତିଥି ଭାବେ ମୁସଲିମ ଜମାତର ସଭାପତି ହାଜି ମହମ୍ମଦ ଅବଦୁଲ ବାରି ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ମସଜିଦର ସଂପାଦକ ଏନାମ ମହମ୍ମଦ ଯୋଗ ଦେଇଥିଲେ। ମସଜିଦର ସରପରସ୍ତି ହାଜି ଫରିଦଙ୍କ ଉପସ୍ଥିତିରେ ମସଜିଦର ସଂପାଦକ କାଉନସିଲର ଗୋଲାମ ମୋହିଦ୍ଦିନ(କଲାମ) ମସଜିଦର ଆୟବ୍ୟୟର ହିସାବ ସର୍ବସାଧାରଣରେ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ମସଜିଦର ସମସ୍ତ ସଭ୍ୟ ଓ ସାଧାରଣ ଲୋକ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *