ଜିଲ୍ଲା ପରିକ୍ରମା

ଭଦ୍ରକରେ ମେଡିକାଲ କଲେଜ ପାଇଁ ସାମ୍ବାଦିକ ସମ୍ମିଳନୀ

ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକରେ ଏକ ମେଡିକାଲ କଲେଜ ସ୍ଥାପନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଭଦ୍ରକ ଜିଲ୍ଲା ପ୍ରତି ଅବହେଳାକୁ ଆଉ ବରଦାସ୍ତ କରାଯିବ ନାହିଁ । ଏ ନେଇ ଏକ ୧୦ ଦିନିଆ ଚରମପତ୍ର ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ । ସରକାର ବିଧିବଦ୍ଧ ଭାବେ ଭଦ୍ରକରେ ମେଡିକାଲ କଲେଜ ସ୍ଥାପନ ଲାଗି ବିଜ୍ଞପ୍ତି ଜାରି ନ କଲେ ମିଳିତ ଆନେ୍ଦାଳନକୁ ଚରମ ସୀମାରେ ପହଞ୍ଚାଇ ଦିଆଯିବ ବୋଲି ଆଜି ମେଡିକାଲ କଲେଜ ଦାବି ନେଇ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି । ଏପରିକି ଆବଶ୍ୟକ ପଡିଲେ ଭଦ୍ରକରୁ ଭୁବନେଶ୍ୱର ପର୍ଯ୍ୟନ୍ତ ପଦଯାତ୍ରା କରାଯିବ ବୋଲି ଚେତାବନୀ ଦିଆଯାଇଛି । ସମ୍ମିଳନୀର ଆବାହକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ନୂଆବଜାର ସ୍ଥିତ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ସମ୍ମିଳନୀରେ ଭାରତୀୟ ଚିକିତ୍ସକ ସଂଘ ଆଇଏମ୍ଏର ସମ୍ପାଦକ ଡାକ୍ତର ହରେକୃଷ୍ଣ ନାୟକ ଯୋଗ ଦେଇ ଭଦ୍ରକରେ ଏକ ମେଡିକାଲ କଲେଜ ସ୍ଥାପନ ନିମନ୍ତେ ସବୁ ପ୍ରକାରର ଭିତ୍ତି ଭୂମି ରହିଥିବା ବେଳେ ସରକାର କାହିଁକି ଅଣଦେଖା କରୁଛନ୍ତି ଏ ନେଇ କ୍ଷୋଭ ପ୍ରକଟ କରିଥିଲେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ହିସାବ ଅନୁଯାୟୀ ପ୍ରତି ୧୦୦୦ ଲୋକଙ୍କ ପାଇଁ ଜଣେ ଡାକ୍ତର ରହିବା ନିଧାର୍ଯ୍ୟ ଥିବା ବେଳେ ଏବେ ୯୫୦ଜଣ ଲୋକଙ୍କ ପାଇଁ ଜଣେ ଡାକ୍ତର ଅଛନ୍ତି । ମାତ୍ର ବିଡମ୍ବନାର କଥା ଯେ ଓଡିଶାରେ୨୭୪୯ ଲୋକଙ୍କ ପାଇଁ ଜଣେ ଡାକ୍ତର ଅଛନ୍ତି । ଲୋକ ସଂଖ୍ୟା ଦୃଷ୍ଟିରୁ ଅନ୍ୟ ରାଜ୍ୟ ମାନଙ୍କରେ ବହୁ ମେଡିକାଲ କଲେଜ ରହିଥିବା ବେଳେ ଓଡିଶାରେ ମାତ୍ର ୧୨ଟି ମେଡିକାଲ କଲେଜ ରହିଛି  ଯାହା ଅତି ନଗଣ୍ୟ । ଭଦ୍ରକର ଗେଲପୁର ଠାରେ ନିର୍ମାଣାଧୀନ ସରକାରୀ ହସ୍ପିଟାଲକୁ ମେଡ଼ିକାଲ କଲେଜ କରିବାରେ କୌଣସି ଅସୁବିଧା ନାହିଁ ବୋଲି ଡାକ୍ତର ଶ୍ରୀ ନାୟକ କହିଥିଲେ । ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନର ସମ୍ପାଦକ ଆଡ୍ଭୋକେଟ ତୁଷାର ମହାନ୍ତି ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ମେଡିିକାଲ କଲେଜ ପାଇଁ ସମୂହ ଆନେ୍ଦାଳନର ଆବଶ୍ୟକତା ରହିଛି । ଦାବି ଆପେ ମିଳେ ନାହିଁ । ଦାବି ହାସଲ ପାଇଁ ହକ୍ର ଲଢେଇ ଆବଶ୍ୟକ ବୋଲି କହିଥିଲେ । ଏହି ସମ୍ମିଳନୀରେ ଭଦ୍ରକ ନାଗରିକ ସମାଜ, ଉକ୍ରଳମଣି ଫାଉଣ୍ଡେସନ ଟ୍ରଷ୍ଟ, ମହାତ୍ମା ଗାନ୍ଧୀ ବିଚାର ମଞ୍ଚ, ଶହିଦ ଭଗତ ସେନା, ଭଦ୍ରକ ସୋସିଆଲ ସର୍ଭିସ, ହିନ୍ଦୁ ସୁରକ୍ଷା ମଞ୍ଚ, ରୋଟାରୀ କ୍ଳବ, ରୋଟାରୀ କ୍ଳବ ମିଡ୍ ଟାଉନ, କିନ୍ନର ସଂଘ, ଲାୟନ୍ସ କ୍ଳବ, ଜୀବନଜ୍ୟୋତି ସଂଗଠନ, ବିଜୁ ସ୍ମୃତି ପରିଷଦ, ତିହିଡି ଯୁବ ମଞ୍ଚ, ୟୁନିକ୍ ଡ୍ରପ୍ସ ପକ୍ଷରୁ ପ୍ରମୋଦ ରାୟ, ସୀତାଂଶୁ ଶେଖର ମହାପାତ୍ର, ଅତିଶ ବେହେରା, ଦେବେନ୍ଦ୍ର ମହାନ୍ତି, ସୁଧାକର ରାଉତ, ଡାକ୍ତର ରବି ମହାପାତ୍ର, ଚନ୍ଦ୍ରଶେଖର ନାୟକ, ବିଦ୍ୟାଧର ସାହୁ ପ୍ରମୁଖ ବକ୍ତବ୍ୟରେ ଏହି ଆନେ୍ଦାଳନକୁ ପୂର୍ଣ୍ଣ ସମର୍ଥନ ଯୋଗାଇଥିବା କହିଥିଲେ । ଆସନ୍ତାକାଲି ଦାବିପତ୍ର ପ୍ରଦାନରେ ଶହ ଶହ ସଂଖ୍ୟାରେ ଯୋଗ ଦେବାକୁ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଅନୁରୋଧ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top