ଭଦ୍ରକରେ ପାଣି ପଞ୍ଚାୟତ ପକ୍ଷ ପାଳନ ଏକ ପ୍ରହସନ ଡ୍ରେନେଜ୍ ଓ ଜଳସେଚନ ବିଭାଗର ମେରି ରାୟ ନୀତି ଓ ଦାୟିତ୍ୱହୀନ କାର୍ଯ୍ୟ ଏହି ଯୋଜନାକୁ ଭଣ୍ଡୁର କରୁଛି

ଭଦ୍ରକ, ୧୯ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଚାଷୀମାନଙ୍କର ଉନ୍ନତି ପାଇଁ ସରକାର ଯେଉଁ ପାଣି ପଞ୍ଚାୟତ ଗଠନ କରି ଏ ଦିଗରେ ସଚେତନତା ଆଳରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି, ତାହା ଭଦ୍ରକ ଜିଲାରେ କେତେକ ବିଭାଗୀୟ ଅଧିକାରୀଙ୍କ ମେରି ରାୟ ନୀତି ଓ ଦାୟିତ୍ୱହୀନ କାର୍ଯ୍ୟ ଯୋଗୁଁ ଫସର ଫାଟୁଛୁ। ଯାହାର ସଦ୍ୟତମ ନମୁନା ଦେଖିବାକୁ ମିଳିଥିଲା ଭଦ୍ରକ ସଦର ମହକୁମାର ବାଇପାସ୍ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ସାଳନ୍ଦୀ କେନାଲ ବିଭାଜନ ପକ୍ଷରୁ ଆୟୋଜିତ ହୋଇଥିବା ପାଣି ପଞ୍ଚାୟତ ପକ୍ଷ ଉଦ୍ଘାଟନ କ୍ଷେତ୍ରରେ। ଏହି ପକ୍ଷ ପାଳନ ଉତ୍ସବରେ ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀ ଏହାକୁ ଉଦ୍ଘାଟନ କରି ଜଳସେଚନ, କୃଷି ଓ ଡ୍ରେନେଜ୍ ବିଭାଗ ମଧ୍ୟରେ ସମନ୍ୱୟ ରହିଲେ ଚାଷୀଙ୍କର ଉନ୍ନତି ହେବ ବୋଲି ଯେଉଁ ବକ୍ତବ୍ୟ ରଖିଥିଲେ, ସେଥିରୁ ବିଭାଗୀୟ ଅଧିକାରୀମାନଙ୍କ ଦୋଷ ତ୍ରୁଟି ସ୍ପଷ୍ଟ ବାରି ହୋଇପଡୁଥିବାବେଳେ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଖୋଲାଖୋଲି ଭାବେ ପାଣି ପଞ୍ଚାୟତ ପରିଚାଳନା ରାଜନୀତିକରଣ ଅର୍ଗଳିରେ ଚାଷୀଙ୍କ ସ୍ୱାର୍ଥ ବଳି ପଡୁଥିବାର କହି ଭବିଷ୍ୟତରେ ଏଭଳି ନକରିବା ପାଇଁ ପରାମର୍ଶ ଦେଇଥିଲେ। ଖୋଦ୍ ନବୀନ ସରକାରଙ୍କ ଅଧୀନରେ ଥିବା ଜଣେ ସାଂସଦ ଓ ଜଣେ ବିଧାୟକଙ୍କ ଏଭଳି ନକରାତ୍ମକ ମନ୍ତବ୍ୟ ଯେ ପାଣି ପଞ୍ଚାୟତର କାର୍ଯ୍ୟକାରିତା ସଠିକ୍ ଭାବେ ହେଉନାହିଁ, ତାହାକୁ ପ୍ରମାଣିତ କରିଛି। ସାଳନ୍ଦୀ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ ବାମାପଦ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲାପାଳ ଜ୍ଞାନ ଦାସ, ଭଦ୍ରକ ବିଧାୟକ ଯୁଗଳ କିଶୋର ପଟ୍ଟନାୟକଙ୍କ ପ୍ରତିନିଧି ରାଧାକାନ୍ତ ସାମଲ ଯଦିଓ ଯୋଗ ଦେଇଥିଲେ, ତେବେ ସେମାନେ ପାଣି ପଞ୍ଚାୟତର ସଦୁପଯୋଗ ନେଇ ଉପସ୍ଥିତ ଥିବା କର୍ମକର୍ତ୍ତାଙ୍କ ନିକଟରେ ଯେଉଁ ଭାଷଣ ରଖିଥିଲେ, ତାହା ଶ୍ରୀ ମଣ୍ଡଳଙ୍କ ଅପ୍ରିୟ ସତ୍ୟକଥା ନିକଟରେ ମଳିନ ପଡିଥିଲା। ନିର୍ବାହୀ ଯନ୍ତ୍ରୀ ଇଂ ବିଶ୍ୱାଳ କେବଳ ଯାହା ନିଜ ଗାଲୁପଣରେ ଜିଲାର ୧୦୮ ପାଣି ପଞ୍ଚାୟତ ଠିକ୍ ଠିକ୍ କାର୍ଯ୍ୟ କରୁଥିବାର ସୂଚାଇ ସ୍ୱଳ୍ପ ବୃଷ୍ଟିପାତ ସତ୍ୱେ ଉତ୍ତମ ପରିଚାଳନା ପାଇଁ ଚାଷୀମାନେ ଉପକୃତ ହେଉଥିବାର ଗାଲୁ ଗପ ଶୁଣାଇଥିବାବେଳେ ଜିଲାର ଅଧିକାଂଶ ପାଣି ପଞ୍ଚାୟତ ଠିକ୍ ଭାବେ କାର୍ଯ୍ୟ କରୁନଥିବା ଅଭିଯୋଗ ପଛରେ ପାଣି ପଞ୍ଚାୟତ ସଦସ୍ୟମାନଙ୍କ ଏକତରଫା ଦୋଷ ରହିଥିବା ନେଇ ଟିପ୍ପଣୀ ଦେଇଥିଲେ। ଏବଂ ସେମାନେ ନିୟମିତ ବୈଠକ ନକରି ୟୁଜର୍ସ ଫିସ୍ (ୟୁସି) ଦେଉନଥିବା ନେଇ ସୂଚନା ଦେଇଥିଲେ। ଇଂ ଶ୍ରୀ ବିଶ୍ୱାଳଙ୍କ ଏହି ଟିପ୍ପଣୀ ଉପରେ ପାଣି ପଞ୍ଚାୟତର କେତେକ ସଭ୍ୟ ଡ୍ରେନେଜ୍ ଓ ଜଳସେଚନ ବିଭାଗର କେତେକ ଅଧିକାରୀଙ୍କ ରାଜରାଜୁଡା ଶାସନ ଓ ତୋଗଲକି ନୀତି ଏଭଳି ଏକ ଚାଷୀ ହିତ ଯୋଜନାକୁ ଭଣ୍ଡୁର କରୁଥିବା ନେଇ ଯେଉଁ ତଥ୍ୟ ଉପସ୍ଥାପନ କରିଥିଲେ, ତାହା ଯେ ପାଣିପଞ୍ଚାୟତ ପକ୍ଷ ଉଦ୍ଘାଟନ ଏକ ପ୍ରହସନ ସ୍ପଷ୍ଟ ବୁଝାପଡିଥିଲା। ପାଣି ପଞ୍ଚାୟତ ପକ୍ଷ ପାଳନର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅନ୍ତର୍ଯ୍ୟାମୀ ଉପାଧ୍ୟାୟ, ଭରତ ଚନ୍ଦ୍ର ତ୍ରିପାଠୀ, ସମସ୍ତ ପାଣି ପଞ୍ଚାୟତର ସଭାପତି, ସଂପାଦକ ଓ ସଦସ୍ୟମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ଏସ୍ଡିଓ ଇଂ କମଳାକାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *