ଭଦ୍ରକରେ ଦଙ୍ଗା ନିରୋଧକ ରାପିଡ ଆକ୍ସ ଫୋର୍ସର ଫ୍ଲାଗମାର୍ଚ

ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକରେ ଏବେ ଅବସ୍ଥାନ କରୁଛନ୍ତି ୨ ପ୍ଲାଟୁନ ବି/୧୦୬ ବାଟାଲିଅନର ରାପିଡ ଆକ୍ସନ ଫୋର୍ସ। ଖାସ କରି ଏହି ଫୋର୍ସ ଦଙ୍ଗା ନିୟନ୍ତ୍ରଣ ପାଇଁ ନିୟୋଜିତ ହୋଇଥା’ନ୍ତି। ଏହି ଫୋର୍ସ ଗତ ଦୁଇଦିନ ହେବ ଭଦ୍ରକ ସହରର ବିଭିନ୍ନ ଅଂଚଳରେ ଫ୍ଲାଗମାର୍ଚ କରୁଥିବା ବେଳେ ଏବେ ଗ୍ରାମାଂଚଳକୁ ପଶିଛନ୍ତି। ବିନା କାରଣରେ ରାପିଡ ଆକ୍ସନ ଫୋର୍ସର ଫ୍ଲାଗମାର୍ଚ ସ୍ୱାଭାବିକ ଭାବେ କେତେକ ସହରବାସୀଙ୍କ ମଧ୍ୟରେ ଛନକା ସୃଷ୍ଟି କରିଛନ୍ତି। ପୁରୁଣାବଜାର ଅଂଚଳରେ ଗତ ସଂଧ୍ୟାରେ ‘ବଜ୍ର ଗାଡି’ ସହ ରାପିଡ ଆକ୍ସନ ଫୋର୍ସର ବିଚରଣ ପରେ କେତେକ ଅଂଚଳବାସୀ ଛାନିଆଁ ହୋଇଛନ୍ତି। ପ୍ରକୃତପକ୍ଷେ ସହରରେ କୌଣସି ଅସ୍ୱାଭାବିକ ପରିସ୍ଥିତି ନାହିଁ। କେବଳ ଦଙ୍ଗା ପାଇଁ କୁଖ୍ୟାତି ଅର୍ଜିଥିବା ‘ଭଦ୍ରକ ସହର’ ସହିତ ଚିହ୍ନା ପରିଚୟ (ଫେମିଲାରାଇଜେସନ) ଓ ସମୁଦାୟ ଅଂଚଳ ବାବଦରେ ଧ୍ୟାନଧାରଣା ଆହରଣ କରିବା ଲାଗି ୨ପ୍ଲାଟୁନ ରାପିଡ ଆକ୍ସନ ଫୋର୍ସ ଗତ ୨୫ ତାରିଖରୁ ଆସି ଭଦ୍ରକରେ ପହଂଚିଛନ୍ତି। ଝାଡଖଣ୍ଡରେ ଥିବା ବି/୧୦୬ ବାଟାଲିୟନ ଅଧୀନରେ ଓଡିଶା, ଝାଡଖଣ୍ଡ ଓ ମିଜୋରାମ ପ୍ରଦେଶ ଆସୁଛି। ମିଳିଥିବା ସୂଚନାନୁଯାୟୀ; ଏହି ୩ଟି ରାଜ୍ୟରେ ଯେକୌଣସି ସ୍ଥାନରେ ଦଙ୍ଗା ହେଲେ ତାହାକୁ ନିୟନ୍ତ୍ରଣ କରିବା ଲାଗି ବି/୧୦୬ ବାଟାଲିୟନର ଉକ୍ତ ରାପିଡ ଆକ୍ସନ ଫୋର୍ସକୁ ଖୋଜା ପଡିବ। ସେଦୃଷ୍ଟିରୁ ଓଡିଶାର ଦଙ୍ଗା ପ୍ରବଣ ଅଂଚଳ ଭାବେ ଭଦ୍ରକ ସହରକୁ ଚିହ୍ନଟ କରାଯାଇଛି। କାଲି ଯଦି କିଛି ଭଦ୍ରକରେ ସେଭଳି ଅଘଟଣ ଘଟେ ତେବେ ଆକ୍ସନ ଫୋର୍ସ ତୁରନ୍ତ କ’ଣ ସବୁ ପଦକ୍ଷେପ ନେଇପାରିବ, କେତେଶୀଘ୍ର କେଉଁ ରୁଟ ଦେଇ ଭଦ୍ରକରେ ପହଂଚିପାରିବ, ଭଦ୍ରକରୁ ଗ୍ରାମାଂଚଳକୁ କେମିତି ଯାଇହେବ ସେବାବଦରେ ଧ୍ୟାନ ଧାରଣା ପାଇଁ ଏକ ପ୍ରକାର ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ ହେଉଛି। ଗତ ୨୫ ତାରିଖରୁ ଆସନ୍ତା ୩୧ ତାରିଖ ଯାଏ ଏହି ଫୋର୍ସ ଭଦ୍ରକରେ ରହିବାର କାର୍ଯ୍ୟକ୍ରମ ରହିଛି। ଦୁଇଦିନ ହେବ ଭଦ୍ରକ ସହରର ଗଳିକନ୍ଦି/ଖାସ କରି ପୁରୁଣାବଜାର ଅଂଚଳ, ଗୁଚିଦରଡା ଆଦି ଅଂଚଳ ବୁଲିବା ପରେ ଆଜି ଗ୍ରାମାଂଚଳ ଥାନା ଇଲାକାକୁ ମଧ୍ୟ ଭ୍ରମଣ କରିଥିଲେ ଆକ୍ସନ ଫୋର୍ସ। ତା’ସହିତ ଭଦ୍ରକରୁ ଏହି ଫୋର୍ସ ଆଜି ଦଙ୍ଗା ପ୍ରବଣ ଭାବେ ଚିହ୍ନିତ ଧାମନଗର ଅଂଚଳକୁ ମଧ୍ୟ ଗସ୍ତ କରିଛନ୍ତି। ଆସିଷ୍ଟାଂଟ କମାଣ୍ଡାଂଟ ଜି.ସି.କାଳନ୍ଦିଆଙ୍କ ନେତୃତ୍ୱରେ ଆସିଥିବା ଏହି ଟିମରେ ଇନିସପେକ୍ଟର ସୁରେଶ ରାମ, ଇନିସପେକ୍ଟର ମୁକେଶ କୁମାର ଓ ସବ ଇନିସପେକ୍ଟର ସନ୍ଦିପ କୁମାର ଧଳ ଅଛନ୍ତି। ଗ୍ରାମଂଚଳ ଥାନା, ଟାଉନଥାନା, ପୁରୁଣାବଜାର ଥାନା ପକ୍ଷରୁ ଆବଶ୍ୟକ ସହାୟତା ପ୍ରଦାନ କରାଯାଉଛି। ରାପିଡ ଆକ୍ସନ ଫୋର୍ସର ଅଧିକାରୀ ତଥା ଯବାନମାନେ ସାଧାରଣ ଲୋକଙ୍କ ସହିତ ମଧ୍ୟ ବାର୍ତ୍ତାଳାପ କରି ସମୁଦାୟ ଭୌଗଳିକ ସ୍ଥିତି, ସାମାଜିକ ସଂହତି, ସାଂପ୍ରଦାୟିକ ସଂପ୍ରୀତି ବାବଦରେ ତଥ୍ୟ ସଂଗ୍ରହ କରୁଛନ୍ତି। ମୋଟାମୋଟି ଭାବେ ଅଂଚଳ ବାବଦରେ ଅବଗତ ହେବା, ଲୋକଙ୍କ ହାବାଭାବକୁ ବୁଝିବା ଓ ଜରୁରି ପରିସ୍ଥିତି ସମୟରେ ଉପଲବ୍ଧ ବିକଳ୍ପ ବାବଦରେ ଧ୍ୟାନଧାରଣା ନେବା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ଜଣେ ଅଫିସର ଆଲୋଚନା ବେଳେ କହିଛନ୍ତି। ତେବେ ରାପିଡ ଆକ୍ସନ ଫୋର୍ସ ପକ୍ଷରୁ ସହରରେ ଏକ ‘ଡେମୋ’ ପ୍ରଦର୍ଶନର କାର୍ଯ୍ୟକ୍ରମ ଥିଲେ ହେଁ ଏଥିଲାଗି ନିର୍ଦ୍ଦିଷ୍ଟ ସ୍ଥାନ ନିରୂପଣ ହୋଇନାହିଁ। ଯଦି ସ୍ଥାନ ନିରୂପଣ ହେଲା ତେବେ ସହରବାସୀଙ୍କୁ ‘ଦଙ୍ଗା ଓ ଦଙ୍ଗା ନିୟନ୍ତ୍ରଣ ବାବଦରେ ଏକ ନମୂନା ପ୍ରଦର୍ଶନ’ (ମକ୍ଡ୍ରିଲ) କରାଯିବ ବୋଲି ଖବର ମିଳିଛି।

Leave a Reply

Your email address will not be published. Required fields are marked *