ଭଦ୍ରକରେ ଡେଙ୍ଗୁ ବ୍ୟାପୁଛି : ଜଣେ ମୃତ ଓ ୧୫ ଆକ୍ରାନ୍ତ

ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ଜିଲାରେ ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ଡେଙ୍ଗୁ ତାର କାୟା ବିସ୍ତାର କରିଚାଲିଛି। ଗତ ଏକମାସ ମଧ୍ୟରେ ଭଦ୍ରକ ଜିଲାରେ ୧୫ ଜଣ ଡେଙ୍ଗୁ ଆକ୍ରାନ୍ତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଅଭିଯୋଗ ହୋଇଛି। ଭଦ୍ରକ ଜିଲାର ଚାନ୍ଦବାଲି ବ୍ଲକ୍ରେ ସର୍ବାଧିକ ୪ ଡେଙ୍ଗୁ ଆକ୍ରାନ୍ତ ହୋଇଥିବା ବେଳେ ବନ୍ତ ବ୍ଲକ୍ରେ ୩ଜଣ, ଭଦ୍ରକ ବ୍ଲକ୍ରେ ୨ ଜଣ, ଭଦ୍ରକ ପୌରପାଳିକାରେ ଜଣେ, ତିହଡି ବ୍ଲକ୍ରେ ୨ ଜଣ ଏବଂ ଠିକଣା ମିଳିନଥିବା ଅନ୍ୟ ୩ ଜଣ ଡେଙ୍ଗୁ ଆକ୍ରାନ୍ତ ହୋଇଥିବାବେଳେ ବନ୍ତ ବ୍ଲକ୍ରେ ଗତ ୫ ତାରିଖରେ ଜଣେ ବ୍ୟକ୍ତିଙ୍କର ଡେଙ୍ଗୁରେ ମୃତ୍ୟୁ ଅଭିଯୋଗ ହୋଇଛି। ମୃତ ବ୍ୟକ୍ତିଙ୍କ ନାମ ହଳଧର ରାଉ (୪୫) ହୋଇଥିବାବେଳେ ତାଙ୍କ ଘର ବନ୍ତ ବ୍ଲକ୍ ତରାଗ ଅଂଚଳର ବୋଲି କୁହାଯାଇଛି। ତେବେ ହଳଧରଙ୍କ ମୃତ୍ୟୁ ଡେଙ୍ଗୁରେ ହୋଇଥିବା କଥା ଶୁଣାଯାଇଥିଲେ ମଧ୍ୟ ଏଥିନେଇ ସରକାରଙ୍କ ପକ୍ଷରୁ ଜିଲା ସ୍ୱାସ୍ଥ୍ୟ ବିଭାଗକୁ ବାହାଲ (କନଫର୍ମ) କରାଯାଇନଥିବା କଥା ବିଭାଗୀୟ ଅଧିକାରୀ ଡା. ମୁରଲୀଧର ନାୟକ କହିଛନ୍ତି। ସେହିଭଳି ଗତ ଏକମାସ ମଧ୍ୟରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିବା ମୋଟ ୬୯ ଜଣ ରୋଗୀଙ୍କର ଏଲିସା ପରୀକ୍ଷା କରାଯାଇଥିବାବେଳେ ସେଥିରୁ ମାତ୍ର ୮ ଜଣଙ୍କ ଦେହରେ ଡେଙ୍ଗୁ ରହିଥିବା ଚିହ୍ନଟ ହୋଇଛି। ଗତ ବର୍ଷ ମଇମାସ ଠାରୁ ଅକ୍ଟୋବର ମାସ ମଧ୍ୟରେ ଜିଲାରେ ସମୁଦାୟ ୫୩୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ତେବେ ଚଳିତବର୍ଷ ଜିଲାରେ ବିଳମ୍ବିତ ଏବଂ ସ୍ୱଳ୍ପ ପରିମିତ ବୃଷ୍ଟିପାତ ଯୋଗୁଁ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଘଟିନଥିଲେ ମଧ୍ୟ ଆଗକୁ ଜଳବାୟୁ ପରିବର୍ତ୍ତନ ଜିଲାରେ ଡେଙ୍ଗୁ ଆଶଙ୍କାକୁ ଏଡେଇ ଦିଆଯାଇପାରୁନାହିଁ। ଜିଲାରେ ଡେଙ୍ଗୁର ଭୟାଭୟତାକୁ ଆଖିରେ ରଖି ଏବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡେଙ୍ଗୁ ସଚେତନତା ମାସ ପାଳନ କରାଯାଉଛି। ଏଥି ସକାଶେ ଭଦ୍ରକ ଜିଲାପାଳଙ୍କ ସଦ୍ଭାବନା ଗୃହରେ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାସବ୍ୟାପୀ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଜିଲାପାଳ ଜ୍ଞାନ ଦାସଙ୍କ ସଭାପତିତବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପିଡି ମଧୁସୂଦନ ମିଶ୍ର, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ରସିଦ୍, ବିଭାଗୀୟ ଅଧିକାରୀ ଡା. ମୁରଲୀଧର ନାୟକ, ଆଶାକର୍ମୀ, ଅଙ୍ଗନୱାଡି କର୍ମୀ ଏବଂ ସ୍ୱାସ୍ଥ୍ୟ ବିଭାଗୀୟ କର୍ମଚାରୀମାନେ ଯୋଗ ଦେଇ ଜିଲାରେ ଡେଙ୍ଗୁ ସଚେତନତା କାର୍ଯ୍ୟକମ୍ରକୁ ଅଧିକ ପ୍ରସାରିତ କରିବାକୁ ଆଲୋଚନା କରିଥିଲେ। ତେବେ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆୟୋଜନ କରାଯାଉଥିବା ଏହି ସଚେତନତା କାର୍ଯ୍ୟକ୍ରମ କେବଳ ଧର୍ମକୁ ଆଖିଠାର ବୋଲି କୁହାଯାଉଥିବାବେଳେ ଗାଁ ଗଣ୍ଡାରେ ଅସ୍ୱାସ୍ଥ୍ୟକର ପରିବେଶ ଏବଂ ସଚେତନତା ଅଭାବରୁ ବହୁ ଲୋକ ଡେଙ୍ଗୁ କବଳିତ ହେଉଥିବା ଅଭିଯୋଗ ହୋଇଛି। ସବୁଠାରୁ ବଡ କଥା ହେଲା ଡେଙ୍ଗୁରେ ପୀଡିତ ଲୋକେ ଜିଲା ସ୍ୱାସ୍ଥ୍ୟ ସେବା ଉପରେ ଆସ୍ତା ପ୍ରକଟ ନକରି ବାହାରକୁ ଚାଲିଯାଉଥିବା ବେଳେ ବାହାରେ ସେମାନେ ଡେଙ୍ଗୁ ପ୍ରଭାବିତ ବୋଲି ଚିହଟ୍ନ ହେଉଛନ୍ତି। ସେହିଭଳି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡେଙ୍ଗୁ ସଚେତନତା ନେଇ ଜିଲା ସ୍ତରରେ ଏହି ଧରଣର କର୍ମଶାଳା ଆୟୋଜନ କରୁଥିଲେ ମଧ୍ୟ ଏହାର ପ୍ରଚାର ପ୍ରସାର ପାଇଁ ମିଡିଆର ସହଯୋଗ ନେଉନଥିବା ଅଭିଯୋଗ ହେଉଛି। ଫଳରେ ବ୍ୟାପକ ପ୍ରୟାସ ସତ୍ୱେ ଜିଲାରେ ଡେଙ୍ଗୁ ଉପରେ ନିୟନ୍ତ୍ରଣ ରକ୍ଷା କରାଯାଇପାରୁନଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *