ଭଦ୍ରକରେ ଝାଡଖଣ୍ଡର ମୋବାଇଲ୍ ଲୁଟେରା ସକି୍ରୟ ବାଂଲାଦେଶ ଚୋରା ଚାଲାଣ କରୁଥିବା ମୁଖ୍ୟ ଅଭିଯୁକ୍ତ ସମେତ ୩ ଯାଜପୁରରୁ ଗିରଫ

ଭଦ୍ରକ,୬ା୧୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଏଣିକି ନାମୀଦାମୀ କଂପାନୀର ମୋବାଇଲ୍ ବ୍ୟବହାର କରୁଥିବା ବ୍ୟକ୍ତିବିଶେଷଙ୍କୁ ଭଦ୍ରକ ଜିଲା ପୁଲିସ୍ ପ୍ରଶାସନ ପକ୍ଷରୁ ସାବଧାନ କରିଦିଆଯାଇଛି । ବିଶେଷକରି ଏହି ମୋବାଇଲ୍ ବ୍ୟବହାରକାରୀମାନେ ମାର୍କେଟ୍ରୁ  ପରିବା କିଣିବାବେଳେ ସୁଦୂର ଝାଡଖଣ୍ଡରୁ ଆସିଥିବା ମୋବାଇଲ୍ ଲୁଟେରା ଦଳ ସେମାନଙ୍କ ଠାରୁ ଯେଭଳି ଅଭିନବ ଉପାୟରେ ଆଗ ସାର୍ଟ ପକେଟ୍ରେ ରଖିଥିବା ମୋବାଇଲ୍ ଗୁଡିକ ଲୁଟିବାରେ ସକ୍ଷମ ହେଉଛନ୍ତି, ତାହା ଆଜି ଏହି ରାକେଟ୍ର ମୁଖ୍ୟ ସମେତ ୩ ଜଣଙ୍କୁ ସହରାଞ୍ଚଳ ଥାନା ପୁଲିସ୍ ଗିରଫ କରିବା ପରେ ସମସ୍ତ ତଥ୍ୟ ପଦାକୁ ଆସିଛି । ଏଥିସହ ଏହି ଦଳ କେବଳ ଭଦ୍ରକ ସହରରୁ ଗତ ଦୁଇଦିନ ମଧ୍ୟରେ ଲୁଟିନେଇଥିବା ୨୦ ଟି ଦାମୀ ମୋବାଇଲ୍କୁ ସୁଦୂର ବାଲାଂଦେଶ ପଠାଇବା ପୂର୍ବରୁ ତାହା ପୁଲିସ୍ ଯାଜପୁର ରୋଡ୍ର ଏକ ହୋଟେଲରୁ ଜବତ କରିଛି । ଏହି ରାକେଟ୍ର ଉପରୋକ୍ତ ଅଭିନବ ଚୋରି  ଓ ଡକାୟତି ସଂପର୍କରେ ସହରାଞ୍ଚଳ ଥାନାଧିକାରୀ ମନୋଜ ରାଉତ ଅଟକ ଥିବା ତିନିଜଣ ଅଭିଯୁକ୍ତଙ୍କ ନିକଟରୁ ଅଧିକ ତଥ୍ୟ ହାସଲ କରୁଥିବାରୁ ସବିଶେଷ ଖବର ଗଣମାଧ୍ୟମ ନିକଟରେ ଗୋପନ ରଖାଯାଇଛି । ତେବେ ଆଜି ଗିରଫ ହୋଇଥିବା ଏହି ରାକେଟ ସଂପର୍କରେ ଥାନାଧିକାରୀ ଶ୍ରୀ ରାଉତ ଜିଲା ଆରକ୍ଷୀ ଅଧିକ୍ଷକ ଅନୁପ ସାହୁଙ୍କ ନିଦେ୍ର୍ଦଶ କ୍ରମେ ଯେଉଁ ତଥ୍ୟ ଗଣମାଧ୍ୟମକୁ ଦେଇଛନ୍ତି, ତାହା ଏହିଭଳି । ଝାଡଖଣ୍ଡ ରାଜ୍ୟର ସାହେବଗଂଜ ଜିଲା ରାଜମହଲ ଥାନା ଅଧୀନସ୍ଥ ବାଉପୁର-ତିନ୍ପାହାଡ ନିବାସୀ ଲାଲ୍ସୀ ମାହାତୋଙ୍କ ପୁତ୍ର ମିଥୁନ୍ (୨୨) ସେହି ଜିଲାର ତେଲଝାଡି ଥାନା ନୟାଟଲା-ମହାରାଜାପୁର ନିବାସୀ ଛୋଟୁ ମାହାତୋଙ୍କ ଦୁଇପୁତ୍ର ରାହୁଲ କୁମାର (୧୫) ଓ ଧ୍ରୁବ କୁମାର (୧୧) କୁ ନେଇ ଏହି ଅଭିନବ ମୋବାଇଲ୍ ଲୁଟ୍ ଯୋଜନା କରି ଗତ କିଛିମାସ ହେବ ଯାଜପୁର ରୋଡ୍ର ହୋଟେଲ ଭବାନୀଶଙ୍କରରେ ୨୦୫ ନଂ ରୁମ୍ ନେଇ ଆଡ୍ଡା ଜମାନ୍ତି । ଏମାନେ ପ୍ରତିଦିନ ଏକ ଅଟୋ ରିଜର୍ଭ କରି ଭଦ୍ରକ ଆସନ୍ତି । ଖାସ କରି ସହରର ନୂତନ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପରିବା ମାର୍କେଟ୍ ଓ ଲୋକନାଥ ମନ୍ଦିର ନିକଟ ପରିବା ମାର୍କେଟ୍କୁ ସେମାନଙ୍କର ଟାର୍ଗେଟ୍ କରନ୍ତି । ଯେଉଁମାନେ ନିଜ ସାର୍ଟ ପକେଟ୍ରେ ନାମୀଦାମୀ କଂପାନୀର ମୋବାଇଲ୍ ରଖି ନଇଁପଡି ପରିବା କିଣନ୍ତି, ସେମାନଙ୍କ ସହ ପରିବା କିଣିବାର ଅଭିନୟ କରି ଏକ ପଲିଥିନ୍ ଜରି ପକେଟ ସମ୍ମୁଖରେ ଓହଳାଇ କୌଶଳରେ ମୋବାଇଲ୍ଟିକୁ ହାତେଇ ନିଅନ୍ତି । ଏହିଭଳି ଭାବେ ପ୍ରତିଦିନ ସେମାନେ କିଛି କିଛି ମୋବାଇଲ୍ ଲୁଟ୍ କରି ଅନ୍ୟ ଯାନବାହନ ଛାଡି ରିଜର୍ଭ ଅଟୋରେ ପୁଣି ହୋଟେଲକୁ ଫେରିଯାଆନ୍ତି । ସପ୍ତାହକ ମଧ୍ୟରେ ଏମାନେ ୫୦ ରୁ ୧୦୦ ମୋବାଇଲ୍ ଲୁଟ କରି ଯାଜପୁର ରୋଡ୍ରୁ ଟ୍ରେନ୍ ଯୋଗେ ପଶ୍ଚିମବଙ୍ଗର ମାଳଦା ଜିଲା ନିକଟ ବାଂଲାଦେଶ ବୋର୍ଡର କାଲିଆଚୋକ୍କୁ ଯାଇ ସେଗୁଡିକ ବାଲାଂଦେଶକୁ ପଠାଇ ଦେଇଥାନ୍ତି । ଏହି ମୋବାଇଲ୍ ଗୁଡିକୁ ସେମାନେ ଏକ ହଜାରରୁ ଦୁଇ ହଜାର ମଧ୍ୟରେ ବିକ୍ରୟ କରିଥାନ୍ତି । ବାଂଲାଦେଶରେ ଭାରତର ମୋବାଇଲ୍ ଟ୍ରାକିଂ ନେଟ୍ୱାର୍କ କାମ କରୁନଥିବାରୁ କଙ୍କଡାକୁ ଗୋଳିପାଣି ସୁହାଇଲା ଭଳି ଏମାନେ ପୁଲିସ୍ ହାତରୁ ଖସିଯିବାରେ ସକ୍ଷମ ହୋଇଥାନ୍ତି । ଏହିଭଳି ଭାବେ ଏମାନେ ବିଗତ ଦିନରେ ବଡ ବଡ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ଉଚ୍ଚ ପଦସ୍ଥ ଅଫିସର ଓ ବ୍ୟାଙ୍କ ପଦାଧିକାରୀଙ୍କ ନିକଟରୁ ମୋବାଇଲ୍ ଗୁଡିକ ଲୁଟ୍ କରି ବାଂଲାଦେଶ ଚାଲାଣ କରୁଥିବା ଅବସ୍ଥାରେ ଆଜି ପୂର୍ବଭଳି ଏକ ଅଟୋରେ ଆସି ଭଦ୍ରକରେ ପହଞ୍ଚô ନୂତନ ଜିଲାପାଳଙ୍କ ସମ୍ମୁଖ  ମାର୍କେଟ୍ରେ ପରିବା କିଣୁଥିବା ସାମ୍ବାଦିକ ପ୍ରମୋଦ ରାୟଙ୍କ ସାର୍ଟ ପକେଟ୍ରୁ ଲାଇଫ୍ କଂପାନୀର ଆଣ୍ଡ୍ରୋୱେଡ୍ ମୋବାଇଲ୍ ଲୁଟ୍ କରିଥିଲେ । ସାମ୍ବାଦିକ ଶ୍ରୀ ରାୟ ସଂଗେ ସଂଗେ ଏ ସଂପର୍କରେ ଥାନାଧିକାରୀ ଶ୍ରୀ ରାଉତଙ୍କୁ ଜଣାଇଥିଲେ । ଇତିମଧ୍ୟରେ ଶ୍ରୀ ରାଉତ ମୋବାଇଲ୍ ଟ୍ରାକିଂ ଜରିଆରେ ତାହା ଠାବ କରି ଧରିବାର ଯୋଜନା ଆରମ୍ଭ କରିଥିଲେ । ଏହି ଘଟଣାର ପରେ ପରେ ଟେଲିଫୋନ୍ ବିଭାଗର ଅବସରପ୍ରାପ୍ତ ଅଧିକାରୀ ରମେଶ ମଲ୍ଲିକ ବାଲଗୋପାଳ ମନ୍ଦିର ନିକଟ ପରିବା ମାର୍କେଟ୍ରୁ ଟମାଟୋ କିଣୁଥିବାବେଳେ ଉକ୍ତ ରାକେଟ୍ର ୧୧ ବର୍ଷର ନାବାଳକ ଧ୍ରୁବ ତାଙ୍କ ମୋବାଇଲ୍ଟିକୁ ନେବାର ଉଦ୍ୟମ କରି ଲୋକଙ୍କ ଦ୍ୱାରା ଧରାପଡିଥିଲା । ଏହି ଖବର ପାଇ ଶ୍ରୀ ରାଉତ ପିଲାଟିକୁ ଜେରା କରି ଏଏସ୍ଆଇ ଅରବିନ୍ଦ ପାଣିଗ୍ରାହୀ ଓ ତିନିଜଣ ଏପିଆର ଫୋର୍ସଙ୍କ ସହ ଯାଜପୁର ରୋଡ୍ସ୍ଥିତ ହୋଟେଲ ଭବାନୀଶଙ୍କରରେ ପହଞ୍ଚô କୌଶଳକ୍ରମେ ମିଥୁନ୍ ଓ ରାହୁଲ ୍କୁମାରଙ୍କୁ ଗିରଫ କରିଥିଲେ । ଏହି ଘଟଣାରେ ସାମ୍ବାଦିକ ଶ୍ରୀ ରାୟଙ୍କ ଅଭିଯୋଗ ମୂଳେ ସହରାଞ୍ଚଳ ଥାନାରେ ଏକ ମାମଲା ରୁଜୁ ହୋଇ ଅଭିଯୁକ୍ତମାନଙ୍କ ଠାରୁ ଅଧିକ ତଥ୍ୟ ହାସଲ ପାଇଁ ଜେରା କରାଯାଉଥିବାର ଜଣାପଡିଛି । ତେବେ ଅଭିଯୁକ୍ତମାନଙ୍କ ଠାରୁ ହୋଟେଲ ଭବାନୀଶଙ୍କରରୁ ୯ଟି ସାମ୍ସଙ୍ଗ, ୫ଟି ଏମ୍ଆଇ, ୨ଟି ଅପୋ, ଗୋଟିଏ ଲିନୋଭୋ, ଗୋଟିଏ ଟେକ୍ନୋ ସମେତ ସାମ୍ବାଦିକ ଶ୍ରୀ ରାୟଙ୍କର ଲାଇଫ୍ ମୋବାଇଲ୍ଟି ଜବତ କରାଯାଇଛି ।

Leave a Reply

Your email address will not be published. Required fields are marked *