ଭଦ୍ରକରେ ଜିଲ୍ଲା ଶିଶୁସୁରକ୍ଷା କମିଟିର ଷଷ୍ଠ ବୈଠକ

ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଜିଲ୍ଲା ଶିଶୁସୁରକ୍ଷା ୟୁନିଟ୍ ଭଦ୍ରକ ତରଫରୁ ଜିଲ୍ଲା ଶିଶୁସୁରକ୍ଷା କମିଟିର ଷଷ୍ଟ ବୈଠକ କମିଟିର ଅଧ୍ୟକ୍ଷ ତଥା ଜିଲ୍ଲାପରିଷଦ ସଭାପତି ଦ୍ୱିଜବର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସହଅଧ୍ୟକ୍ଷରୂପେ ଜିଲ୍ଲାପାଳ ଜ୍ଞାନ ଦାସ ଯୋଗଦାନ କରିଥିଲେ। ସମନ୍ୱିତ ଶିଶୁସୁରକ୍ଷା ଯୋଜନାର ସଫଳ କାର୍ଯ୍ୟାନ୍ୱୟ, ସମୀକ୍ଷା ଓ ଯୋଜନାର ସଫଳ ରୂପାୟନ ନିମନ୍ତେ ବୈଠକରେ ଆଲୋଚନା ହୋଇଥିଲା। ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁ ଓ ଆଇନ୍ ସହ ଜଡ଼ିତ ଥିବା ଶିଶୁମାନଙ୍କର ସୁରକ୍ଷା ଓ ଥଇଥାନ ଦିଗରେ ଅଧିକ ଯତ୍ନଶୀଳ ହେବା ପାଇଁ ବୈଠକରେ ଆଲୋଚନା ହୋଇଥିଲା। ବ୍ଲକସ୍ତରୀୟ ଓ ପଂଚାୟତ ସ୍ତରୀୟ କମିଟିର ଗଠନ, ନିୟମିତ ସଭା ଓ ସମ୍ବେଦନଶୀଳ ଶିଶୁମାନଙ୍କୁ ଚିହ୍ନଟ କରି ଥଇଥାନ ଦିଗରେ ଶିଶୁ ଓ ପରିବାର ବର୍ଗଙ୍କୁ ଥଇଥାନ କରିପାରିଲେ ଶିଶୁସୁରକ୍ଷା ମଜବୁତ୍ ହୋଇପାରିବ ବୋଲି ବକ୍ତାମାନେ ମତପୋଷଣ କରିଥିଲେ। ଏତଦ୍ଭିନ୍ନ ଜିଲ୍ଲାସ୍ତରରେ ଶିଶୁଶ୍ରମିକ, ଶିଶୁଯୌନ ନିର୍ଯ୍ୟାତନା ରୋକିବା ଉପରେ ଗୁରୁତ୍ୱ ଦେବାପାଇଁ ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ। ତୁରନ୍ତ ଶିଶୁଶ୍ରମିକ ବିଲୋପ ପାଇଁ ଏକ କର୍ମଶାଳା ଆୟୋଜନ କରିବା ପାଇଁ ଶ୍ରମଅଧିକାରୀଙ୍କୁ ଦାୟିତ୍ୱ ନ୍ୟସ୍ତ କରିଥିଲେ। ଜିଲ୍ଲା ଶିଶୁସୁରକ୍ଷା ୟୁନିଟ୍ ପକ୍ଷରୁୁ ଶିଶୁସୁରକ୍ଷା ପ୍ରତି ନେଇଥିବା ପଦକ୍ଷେପ କାର୍ଯ୍ୟନ୍ୱୟ,  ବିଜୁଶିଶୁସୁରକ୍ଷା ଯୋଜନା, ପୋଷ୍ୟତା, ଶିଶୁଯତ୍ନ ଅନୁଷ୍ଠାନ ମାନଙ୍କରେ ରହୁଥିବା ଶିଶୁମାନଙ୍କର ବ୍ୟବସ୍ଥା ଓ ଅନ୍ୟାନ୍ୟ ଯୋଜନାର ସଫଳ ଫଳପଦ ସମ୍ବନ୍ଧରେ ଚିତ୍ର ପ୍ରଦର୍ଶନ ମାଧ୍ୟମରେ ଶିଶୁସୁରକ୍ଷା ୟୁନିଟ୍ ପ୍ରୋବେସନ ଅଧିକାରୀ ସୁବ୍ରତ ଦାସ ପ୍ରଦର୍ଶିର୍ତ କରିଥିଲେ। ଏହି ବୈଠକରେ ଧାମନଗର ପଂଚାୟତ ସମିତିର ଅଧ୍ୟକ୍ଷ ଅଶୋକ ନାୟକ ଜିଲ୍ଲା ଶିଶୁମଙ୍ଗଳ କମିଟିର ଅଧ୍ୟକ୍ଷ ଡ଼. ସୁଦର୍ଶନ ବାରିକ, ଡି.ଏସ.ପି.(ଏଚ୍ଆରପିସି) ସୁରେଶ ଜେନା, ଅତିରିକ୍ତ ଚିକିତ୍ସାଧିକାରୀ ଡ଼. ଏମ୍ ଡି ନାୟକ, ଶିଶୁ ସୁରକ୍ଷା ଅଧିକାରୀ ପଦ୍ମନ କୁମାର ରାୟ, ଚାଇଲ୍ଡ ଲାଇନର ସୋଫିଆ ସେକ୍,  ଶିଶୁମଙ୍ଗଳ ଅଧିକାରିଣୀ ଆଶାଲତା ମହାନ୍ତି, ଫେଲୋସଫିର ଲଲାଟେନ୍ଦୁ ମହାନ୍ତି ସମେତ ବିଭାଗୀୟ ଅଧିକାରୀମାନେ ଯୋଗଦାନ କରିଥିଲେ। ଶେଷରେ ୟୁନିଟ୍ର ଆନୁଷ୍ଠାନିକ ଅଧିକାରୀ ବିଶ୍ୱ ନାରାୟଣ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *