ଭଦ୍ରକରେ ଜାତୀୟସ୍ତରୀୟ ଉର୍ଦ୍ଦ୍ୱୁ ସମ୍ମିଳନୀର କବିତା ପାଠଚକ୍ର

ଭଦ୍ରକ, ୯/୭ (ଓଡ଼ିଆ ପୁଅ/ପ୍ରମୋଦ ରାୟ) ; ଦାନ ମାଝୀ ଠାରୁ ଘିନୁଆ ଦାଦନ, ଫଗୁଣର ମହମହ ବାସ୍ନା ଠାରୁ କଣ୍ଟକିତ ଗୋଲାପ ସାଉଣ୍ଟା ଆଉ ଧର୍ମ ନାମରେ ସରଳ ମଣିଷର ହିଂସ୍ର ପଶୁତ୍ୱର ଜନ୍ମ ପର୍ଯ୍ୟନ୍ତ ସବୁଠି ଭରିଯାଇଛି କବିତାର ଯାଦୁକରୀ ସ୍ପର୍ଶ। ଆଉ ସେହି ଶବ୍ଦଗୁଡିକୁ ନିଜ ନିଜର କୁହୁକ ଲେଖନୀ ମୁନରେ ଧରିରଖି ଯେଉଁମାନେ ସମାଜକୁ ଚେତାଇ ପରିବର୍ତ୍ତନର ସୁସ୍ଥ ପରଂପରା ସୃଷ୍ଟି କରନ୍ତି, ସେହିମାନଙ୍କୁ ହିଁ କବିର ଆଖ୍ୟା ଦିଆଯାଇଥାଏ ବୋଲି ଆଜି କେନ୍ଦ୍ର ସରକାରଙ୍କ ଏନ୍ସିପିୟୁଏଲ୍ର ସହାୟତା ଓ ଭଦ୍ରକର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ “ରିଜୁୱାନି ୱେଲଫେୟାର ଆସୋସିଏସନ୍” ଦ୍ୱାରା ଆୟୋଜିତ ଦୁଇଦିନିଆ ଜାତୀୟସ୍ତରୀୟ ଉଦ୍ଧ୍ୱୁର୍ ସମ୍ମିଳନୀର ୨ୟ ଅଧିବେଶନ କବିତା ପାଠଚକ୍ରରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ସ୍ଥାନୀୟ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କବିତା ପାଠଚକ୍ରରେ ଅବସରପ୍ରାପ୍ତ ଅଧ୍ୟାପକ ରବିନ୍ଦ୍ର କୁମାର ବେହୁରିଆ ଅଧ୍ୟକ୍ଷତା କରିଥିବାବେଳେ କବୟିତ୍ରୀ ଶାନ୍ତିଲତା ନାଗ ଓ କବି ପ୍ରମୋଦ ରାୟ ସଂଯୋଜନା କରିଥିଲେ। ପ୍ରାଧ୍ୟାପକ ଅଟକ ବିହାରୀ ନାୟକ ଏହି ଉତ୍ସବରେ ମୁଖ୍ୟ ଅତିଥି ଓ ନାରଣ ଚନ୍ଦ୍ର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶତାଧିକ କବିଙ୍କ କବିତାଗୁଡିକର ସମୀକ୍ଷା କରିଥିଲେ। ଏହି କବିତା ପାଠଚକ୍ରରେ ବହୁ ଉଦ୍ଧ୍ୱର୍, ଓଡ଼ିଆ ଓ ହିନ୍ଦୀ କବିତାମାନ ଆବୃତ୍ତି ହୋଇଥିଲା। ଏହାକୁ ରିଜୁୱାନି ୱେଲଫେୟାର ଆସୋସିଏସନ୍ ପକ୍ଷରୁ ପ୍ରଫେସର ଡଃ କମାଲୁନ୍ ନବି ପରିଚାଳନା କରିଥିବାବେଳେ ଅଧିବକ୍ତା ତଥା କବି ଗିରିଧାରୀ ନାଥ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *