ଭଦ୍ରକରେ ଗଠନ ହେଲା ଯୁବ ସଂଗଠନ ବିଜେପି

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ଜିଲ୍ଲାରେ ଏକ ନୂତନ ଯୁବ ସଂଗଠନର ଗଠନ ହୋଇଛି। ଯାହାର ନାମ କରଣ କରାଯାଇଛି ଭଦ୍ରକ ଯୁବ ପ୍ରଗତି ଅର୍ଥାତ ବିଜେପି। ଏହି ସଂଗଠନର ଗଠନକୁ ନେଇ ଭଦ୍ରକରେ ଏବେ ଚର୍ଚ୍ଚା ଜୋର ଧରିଛି। ଭଦ୍ରକ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ରାଜନୈତିକ ନେତାମାନେ ସବୁ ସମୟରେ ଅବହେଳା ପ୍ରଦର୍ଶନ କରି ଆସିଛନ୍ତି। ବିଗତ ୩୦ ବର୍ଷ ମଧ୍ୟରେ ଭଦ୍ରକରେ ସେଭଳି ଆଖିଦୃଶିଆ ଉନ୍ନୟନ ହୋଇ ନାହିଁ, ଯାହା ଅନ୍ୟ ଜିଲ୍ଲାମାନଙ୍କରେ ହୋଇଛି। ବିଶେଷ କରି ଏହି ଜିଲ୍ଲା ଯୁବକମାନେ ସବୁଠାରୁ ଅଧିକ ଅବହେଳିତ ହୋଇଛନ୍ତି। ସେମାନଙ୍କ ନିଯୁକ୍ତି କ୍ଷେତ୍ରରେ ଭଦ୍ରକରେ ତଥାକଥିତ ରାଜନେତାମାନେ ସମ୍ପୂର୍ଣ୍ଣ ଉଦାସୀନ ରହିଛନ୍ତି। ନିଜର ହକ୍ ଆଦାୟ ପାଇଁ ଯୁବକମାନେ ନିଜ ଗୋଡରେ ନିଜେ ଠିଆ ହେବା ସହି ଜିଲ୍ଲା ପାଇଁ କିଛି କରିବାର ଆଶା ନେଇ ଏହି ସଂଗଠନ ଗଠନ ହୋଇଛି ବୋଲି ଏହାର ପ୍ରଥମ ବୈଠକରେ ମତ ପ୍ରକାଶ ପାଇଛି। ଭଦ୍ରକ ସହର ଉପକଣ୍ଠ ପ୍ରାଚୀନଗର ଠାରେ ସଂଗଠନର ଏକ କାର୍ଯ୍ୟାଳୟ ଉଦ୍ଘାଟିତ ହେବା ସହିତ ପ୍ରଥମ ସାଂଗଠନିକ ବୈଠକ ନୂତନ କାର୍ଯ୍ୟାଳୟରେ ସମ୍ପନ୍ନ ହୋଇଥିଲା। ବୈଠକରେ ଭଦ୍ରକ ବ୍ଲକର ଯୁବନେତା ମାନସ ମିଶ୍ର ଅଧ୍ୟକ୍ଷତା କରିଥିଲେ। ବରିଷ୍ଠ ସମାଜସେବୀ ତୁଷାରକାନ୍ତି ଜେନା ଏଥିରେ ଯୋଗ ଦେଇ ନୂତନ ଭାବେ ଗଠିତ ଯୁବ ସଂଗଠନ ବିଜେପିର ଉଜ୍ୱଳ ଭବିଷ୍ୟତ କାମନା କରିବା ସହିତ ଏହାର ଉନ୍ନତି କ୍ଷେତ୍ରରେ ସମସ୍ତ ସହଯୋଗ କରିବେ ବୋଲି କହିଥିଲେ। ଆସନ୍ତା ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ସଂଗଠନର ଏକ ଜିଲ୍ଲାସ୍ତରୀୟ ସାଧାରଣ ଅଧିବେଶନ ଭଦ୍ରକ ସହରରେ ଆୟୋଜିତ ହେବାର ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା। ଏହି ବୈଠକରେ ବିଶ୍ୱଜିତ ବେହେରା, ବିଜୟ ସେଠୀ, ଚନ୍ଦନ ନାୟକ, ଲକ୍ଷ୍ମୀଧର ରାଉତ, ରବି ପଣ୍ଡା, ସୁଶାନ୍ତ ଦାସ, ରମାକାନ୍ତ ମିଶ୍ର, ଘାଉଲୀ ଯେନା, ରାଜୀବ ଦାସ, ଏନାମୁଲ ହକ୍ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ।

Leave a Reply

Your email address will not be published. Required fields are marked *