ଭଦ୍ରକରେ କଂଗ୍ରେସର ଗୋପନ ସର୍ଭେ

ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ କଂଗ୍ରେସର ସାଂଗଠନିକ ସ୍ଥିତି ସଂପର୍କରେ ଗୋପନ ସର୍ଭେ ହୋଇଥିବା ସୂଚନା ମିଳିଛି। ଜଣେ ଅବସରପ୍ରାପ୍ତ ପୁଲିସ୍ ଅଧିକାରୀ ହରମୋହନ ଦାସ ଭଦ୍ରକ ଗସ୍ତରେ ଆସି କେତେକ କଂଗ୍ରେସ ନେତା ଓ ପୂର୍ବରୁ ଦଳ ଛାଡିଥିବା ନେତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ସାକ୍ଷାତ୍ ଆଲୋଚନା ଜିଲା କାର୍ଯ୍ୟାଳୟରେ ନହୋଇ ସ୍ଥାନୀୟ ଏକ ହୋଟେଲରେ ହୋଇଥିବା ଜଣାପଡିଛି। କଂଗ୍ରେସର ଜିଲା ଉପସଭାପତି ତଥା ଭଦ୍ରକ ପୌର ପରିଷଦର କାଉନ୍ସିଲର ଦିଲ୍ଲୀପ ନାୟକ ଏହି କଥାକୁ ସ୍ୱୀକାର କରିବା ସହ ତାଙ୍କ ଦଳର ସାଙ୍ଗଠନିକ ସ୍ଥିତି ବିଷୟରେ ଶ୍ରୀ ଦାସ ଆଲୋଚନା କରିଥିଲେ ବୋଲି କହିଛନ୍ତି। ପ୍ରାକ୍ତନ ସାଂସଦ ତଥା ଦଳର ବରିଷ୍ଠ ନେତା ଅନନ୍ତ ସେଠୀ ଓ ବର୍ତ୍ତମାନର ଜିଲା ସଭାପତି ନରେନ୍ ପଲେଇଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିଲେ ଦଳ ପୁଣି କ୍ଷମତାକୁ ଫେରିପାରିବ ବୋଲି ସେ ଶ୍ରୀ ଦାସଙ୍କୁ କହିଥିବା ସୂଚନା ଦେଇଛନ୍ତି। ଏହାବ୍ୟତୀତ ଦଳର ବର୍ତ୍ତମାନ ସ୍ଥିତି ଉପରେ ମଧ୍ୟ ଆଲୋଚନା ହୋଇଥିବା ଶ୍ରୀ ନାୟକ କହିଛନ୍ତି। ସେହିପରି ୨୦୧୪ ରେ କଂଗ୍ରେସ ପରିତ୍ୟାଗ କରି ସମାଜସେବାରେ ମନୋନିବେଶ କରିଥିବା ଅନ୍ୟ ଜଣେ ନେତା ସୁଧାକର ରାଉତଙ୍କ ସହ ମଧ୍ୟ ଶ୍ରୀ ଦାସଙ୍କର ସାକ୍ଷାତ୍ ଆଲୋଚନ ହୋଇଥିବା ସୂଚନା ମିଳିଛି। ଶ୍ରୀ ଦାସ ତାଙ୍କୁ କଂଗ୍ରେସକୁ ପୁଣି ଫେରିବାକୁ ପରାମର୍ଶ ଦେଇଥିବାବେଳେ ଶ୍ରୀ ରାଉତ ବିନମ୍ରତାର ସହ ଏହାକୁ ମନା କରିଥିବା କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଚାନ୍ଦବାଲିର ଅମୀୟ ମହାପାହତ୍ର ଶ୍ରୀ ଦାସଙ୍କୁ ଭେଟିଥିଲେ ବୋଲି ଶ୍ରୀ ରାଉତ ସୂଚନା ଦେଇଥିଲେ ମଧ୍ୟ ଶ୍ରୀ ମହାପାତ୍ର ସେପରି କୌଣସି ସାକ୍ଷାତ୍ କିମ୍ବା ଆଲୋଚନା ହୋଇ ନଥିବା ଏହି ପ୍ରତିନିଧିଙ୍କୁ କହିଛନ୍ତି। ଅପରପକ୍ଷେ ଚାନ୍ଦବାଲି ବ୍ଲକ୍ର ଅନ୍ୟ ଦୁଇଜଣ ନେତାଙ୍କୁ ମଧ୍ୟ ଶ୍ରୀ ଦାସ ଭେଟି ସେଠାକାର ସ୍ଥିତି ସଂପର୍କରେ ଅବଗତ ହୋଇଛନ୍ତି। ଗତ ପଂଚାୟତ ନିର୍ବାଚନ ପରେ ଚାନ୍ଦବାଲିର ଦୁଇଜଣ ନେତା କେମିତି ବିଜେଡି ବିଧାୟକ ବ୍ୟୋମକେଶ୍ ରାୟଙ୍କ ସହ ସନ୍ଧି କରି କଂଗ୍ରେସକୁ ବିଜେଡି ପାଖରେ ବନ୍ଧା ପକାଇଲେ ସେହି ବାବଦରେ ଶ୍ରୀ ଦାସଙ୍କୁ ସୂଚନା ଦିଆଯାଇଥିଲା। କେବଳ ସେତିକି ନୁହେଁ, ବିଧାୟକ ଚାନ୍ଦବାଲି କଂଗ୍ରେସକୁ ପକେଟରେ ପୁରାଇଲେ ଓ କଂଗ୍ରେସ ନେତାମାନେ ଧାମରା ବନ୍ଦରରେ ନିଜ ପତିଆରା ରଖିବା ଲାଗି ବିଜେଡି ସହ ସନ୍ଧି କରି କଂଗ୍ରେସକୁ ଏ ପ୍ରକାର ବନ୍ଧା ପକାଇବା ସହ ନିଜ ସ୍ୱାର୍ଥ ହାସଲ କଲେ। ଏହି କାରଣରୁ ଧାମରା ଅଂଚଳର ଜଣେ ଟାଣୁଆ ନେତା ତଥା ବର୍ତ୍ତମାନର ସମିତି ସଭ୍ୟ ପ୍ରମୋଦ ନାୟକ ଓରଫ ବିଜୁ କଂଗ୍ରେସ ଛାଡି ବିଜେପିକୁ ଗଲେ ବୋଲି ଶ୍ରୀ ଦାସଙ୍କୁ ଏକରକମ୍ ଧାରଣା ଦିଆଯାଇଥିଲା। ଚାନ୍ଦବାଲିରୁ ଦୁଇଥର ପ୍ରାର୍ଥୀ ହୋଇଥିବା ନେତା ବ୍ଲକ୍ ଅଫିସ୍ ଓ କିମ୍ବା ତହସିଲ କାର୍ଯ୍ୟାଳୟରେ କେବେ ପହଞ୍ଚି ଲୋକଙ୍କ ପାଇଁ କାମ କରିବାର କେହି ଦେଖୁନାହାଁନ୍ତି ବୋଲି ଶ୍ରୀ ଦାସଙ୍କୁ କୁହାଯାଇଥିଲା। ସେହିଭଳି ବାସୁଦେବପୁର ନିର୍ବାଚନ ମଣ୍ଡଳୀରୁ ଜଣେ ନେତାଙ୍କୁ ଶ୍ରୀ ଦାସ ଭେଟିଥିଲେ। ବାରମ୍ବାର ପରାଜିତ ହେଉଥିବା।ପ୍ରାର୍ଥୀଙ୍କ ବଦଳରେ ଜଣେ ନବାଗତ ଦକ୍ଷ ଯୁବପ୍ରାର୍ଥୀଙ୍କୁ ସେଠାରେ ସୁଯୋଗ ଦେବାକୁ ଶ୍ରୀ ଦାସଙ୍କ ଆଗରେ ମତ ରଖାଯାଇଛି। ଜିଲା ସଭାପତି ପଦବୀ ବାବଦରେ ମଧ୍ୟ କିଛି ନେତା ଗୋପନ ଭାବରେ ସେମାନଙ୍କ ମତ ରଖିଥିବା ସୂଚନା ମିଳିଛି। ଯାହା ଜଣାପଡିଛି ଅବସରପ୍ରାପ୍ତ ଡିଏସ୍ପି ଶ୍ରୀ ଦାସ ଦଳର କୌଣସି ପଦ ପଦବୀରେ ନାହାଁନ୍ତି। କିନ୍ତୁ ଶ୍ରୀ ଦାସଙ୍କୁ ନିରପେକ୍ଷ ସର୍ଭେ ପାଇଁ ଦଳ ପକ୍ଷରୁ ଦାୟିତ୍ୱ ଦିଆଯାଇଥିବା ଆଲୋଚନା ହେଉଛି। ତେବେ ଦଳ ପକ୍ଷରୁ ବିଧିବଦ୍ଧ ଭାବେ ଏନେଇ କିଛି ସୂଚନା ଦିଆଯାଇନାହିଁ।

Leave a Reply

Your email address will not be published. Required fields are marked *