ଜିଲ୍ଲା ପରିକ୍ରମା

ଭଙ୍ଗା ଚାଳ ଘରେ ବିତୁଛି ବୃଦ୍ଧ ଦମ୍ପତିଙ୍କ ଜୀବନ, ଦୁଃଖ ବୁଝିବାକୁ ଅମଙ୍ଗ ସରକାରୀ କର୍ମଚାରୀ

ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ)- ଏହି ଜିଲାର ଧାମରା ଅର୍ନ୍ତଗତ ଜାଗୁଳା ଗାଁର ଏକ ଭଙ୍ଗା ଚାଳ ଘରେ ଏକ ବୃଦ୍ଧ ଦମ୍ପତିଙ୍କ ଜୀବନ ବିତୁଛି। ଘର ଭିତରେ ଖରା, ତରା ଦେଖିବା ଭଳି ପରିସ୍ଥିତି ଉପୁଜିଛି। ଗତ ବର୍ଷାରେ ଏହି ଝାଟିମାଟି ଘର ଉପରେ ଏକ ଗଛ ପଡି ତାହା ସଂପୂଣ୍ଣ ର୍ ଭାଙ୍ଗି ଯାଇଛି। ଘର ମାଲିକ ଦୀନବନ୍ଧୁ ଲେଙ୍କା(୮୦) ନିଜ ରୋଗିଣା ସ୍ତ୍ରୀକୁ ଛାଡି ଧାମରା ଆରଆଇଙ୍କ ନିକଟକୁ ଅଭିଯୋଗ କରିବା ଲାଗି ଯାଇପାରି ନଥିଲେ। ସ୍ଥାନୀୟ ସମାଜସେବୀ ଉମେଶ ମହାକୁଡ ଏ ସଂପର୍କରେ ଆରଆଇଙ୍କୁ ଜଣାଇ ସହାୟତା ପାଇଁ ଅନୁରୋଧ କରିବା ପରେ ସେ ତଦନ୍ତରେ ଯାଇଥିଲେ। ଭଙ୍ଗା ଘରକୁ ଦେଖି ମଧ୍ୟ ରାଜସ୍ୱ ନିରୀକ୍ଷକ ଦୀନବନ୍ଧୁଙ୍କୁ ସରକାରୀ ସହାୟତା ମିଳି ପାରିବ ନାହିଁ ବୋଲି ରୋକଠୋକ ମନା କରିଦେଇଥିଲେ। ଫଳରେ ବର୍ଷାରେ ଦୀନବନ୍ଧୁ ଓ ତାଙ୍କ ରୋଗିଣା ସ୍ତ୍ରୀ ରମ୍ଭା(୭୫) କେବଳ ଭଗବାନଙ୍କ ଭରସାରେ ବର୍ଷାରେ ତିନ୍ତି ଭାଗ୍ୟକୁ ଆଦରି ପଡିଛନ୍ତି। ଘର ଉପରେ ପଡିଥିବା ଗଛକୁ ଧାମରା ଅଗ୍ନିଶମ ବିଭାଗ କାଟି ଦେବା ଫଳରେ ଘର ଭିତରକୁ ଯାତାୟତ ସମ୍ଭବ ହୋଇଛି। ଅନ୍ୟପକ୍ଷରେ ଏହି ଦମ୍ପତି ସେମାନଙ୍କର ଏକମାତ୍ର ପୁଅକୁ ହରାଇ ଏହି ଭଙ୍ଗା କୁଡିଆରେ କେବଳ ମୃତ୍ୟୁକୁ ଅପେକ୍ଷା କରି ରହିଛନ୍ତି। ନିଜର ଜମିବାଡି ନଥିବାରୁ ତାଙ୍କୁ ଅନ୍ତ୍ୟୋଦୟ କାର୍ଡ ମିଳିଛି। ହେଲେ ଚାଉଳ ଗଣ୍ଡାକ ପାଇବା ମଧ୍ୟ ସେମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡିଛି। କାର୍ଡ ଥିଲେ ହେଁ ସରକାରଙ୍କ ତାଲିକାରେ ତାଙ୍କ ନାମ ନଥିବାରୁ ତାଙ୍କୁ ଚାଉଳ ମିଳୁ ନଥିବା ଗ୍ରାମବାସୀ କହିଛନ୍ତି। ଫଳରେ ସେମାନେ ପଡୋଶୀଙ୍କ ଦୟାରେ ଚଳିଆସୁଛନ୍ତି। ଏପଟେ ମୁଣ୍ଡ ଗୁଞ୍ଜିବା ପାଇଁ ସେମାନେ ବାରଦୁଆର ତେର ପିଣ୍ଡା ହେଉଛନ୍ତି। ବହୁ ଅନୁନୟ ପରେ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଙ୍କ ପାଇଁ ସାତ ସପନ ପାଲଟିଛି। ଏ ବିଷୟରେ ଧାମରାର ଅତିରିକ୍ତ ତହସିଲଦାର ଶାନ୍ତିରାମ ହେମ୍ବ୍ରମଙ୍କ ସହ ଯୋଗାଯୋଗ କରିବାରୁ ସେ କଣ ହୋଇଛି ଦେଖିବା ବୋଲି କହିଛନ୍ତି। ଅନ୍ୟପକ୍ଷରେ ଅନ୍ତ୍ୟୋଦୟ କାର୍ଡ ପାଇ ମଧ୍ୟ କାହିଁକି ଚାଉଳ ପାଉ ନାହାନ୍ତି ବୋଲି ଚାନ୍ଦବାଲି ଏମଆଇଙ୍କୁ ପଚାରିବାରୁ ସେ ଅଭିଯୋଗ ଆସିଲେ ଦେଖାଯିବ କହି ନିଜ ଦାୟିତ୍ୱ ସାରି ଦେଇଛନ୍ତି। ମାତ୍ର ଏହି ବୃଦ୍ଧ ଦମ୍ପତିଙ୍କ ପାଇଁ କେବଳ ଗ୍ରାମବାସୀ ସାହା ପାଲଟିଛନ୍ତି। ଏମାନେ ସରକାରୀ ଯୋଜନାରେ କେବେ ସାମିଲ ହେବେ, ତାହା କେବଳ ସମୟ କହିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top