ଭକ୍ତ ଭାଗବଣ୍ଟାକୁ ନେଇ ଆଖଣ୍ଡଳମଣି ମନ୍ଦିରରେ ୨ ଗୋଷ୍ଠୀ ସେବାୟତଙ୍କ ମଧ୍ୟରେ ଏସିଡ୍ ମାଡ ୬ ଗୁରୁତର, ୨ ଗିରଫ

ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିର ଆଖଣ୍ଡଳମଣି ମନ୍ଦିରର ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଯାତ୍ରୀ ଭାଗବଣ୍ଟୁରାକୁ କେନ୍ଦ୍ର କରି ଗତକାଲି ଏସିଡ୍ ମାଡଭଳି ଅଭାବନୀୟ ପରିସ୍ଥିତି ଉପୁଜିଛି। ତେବେ ଏହି ଘଟଣାରେ ଉଭୟପକ୍ଷର ୬ ଜଣ ଗୁରୁତର ଭାବେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାବେଳେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯିବ ବୋଲି ଆଖଣ୍ଡଳମଣି ଟ୍ରଷ୍ଟର ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ସୂଚାରୁ କୁମାର ବଳ ଗଣମାଧ୍ୟମକୁ କହିଛନ୍ତି। ଏବଂ ଏହି ଘଟଣାରେ ସ୍ଥାନୀୟ ପୁଲିସ୍ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବାର ଜଣାପଡିଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଗତକାଲି ସକାଳେ ଯାଜପୁର ଜିଲାର ଛଞ୍ଚିଣା ଅଂଚଳର କେତେକ ଭକ୍ତ ଆଖଣ୍ଡଳମଣିଙ୍କ ଦର୍ଶନ ନିମନ୍ତେ ମନ୍ଦିର ପରିସରରେ ପହଞ୍ଚିବା ପରେ ସେବାୟତଙ୍କ ପକ୍ଷରୁ ଦୁଇଗୋଷ୍ଠୀ ସେମାନଙ୍କୁ ଦର୍ଶନ କରାଇବା ନିମନ୍ତେ ଟଣାଓଟରା ଲାଗିଥିଲେ। ଶେଷରେ ଏଭଳି ପରିସ୍ଥିତି ଉପୁଜିଥିଲା ଯେ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡରୁ ମାଡଗୋଳ ପର୍ଯ୍ୟନ୍ତ କଥା ପହଞ୍ଚିଥିଲା। ପରେ ସ୍ଥାନୀୟ ପୁଲିସ୍ ପହଞ୍ଚି ସନ୍ଧ୍ୟାରେ ଘଟଣାର ସମାଧାନ କରିବେ ବୋଲି କହି ଉଭୟଙ୍କୁ ଶାନ୍ତ କରାଇଥିଲା। ମାତ୍ର ରାତି ପ୍ରାୟ ୧୦ଟା ସମୟରେ ମନ୍ଦିରର ପଶ୍ଚିମ ଦ୍ୱାର (ମୁଖଚାଳି ଦ୍ୱାର) ନିକଟରେ ଗୋଟିଏ ପକ୍ଷ ଅପରପକ୍ଷ ସେବାୟତଙ୍କ ଉପରେ ଏସିଡ୍ ମାଡ କରିଥିଲେ। ଏହି ଏସିଡ୍ ମାଡରେ ଉଭୟପକ୍ଷରୁ ଆରଡିର କୃପାସିନ୍ଧୁ ପାଢୀଙ୍କ ପୁତ୍ର ମକରଧ୍ୱଜ (୪୦), ହୃଷିକେଶ ପାଢୀଙ୍କ ପୁତ୍ର ଦୈତାରୀ (୨୫), ଅଶୋକ ପାଢୀଙ୍କ ପୁତ୍ର ହୃଷିକେଶ (୨୫), ବଂଶୀଧର ପାଢୀଙ୍କ ପୁତ୍ର ଶଶିଭୂଷଣ (୩୫), ନିରଂଜନ ପାଢୀଙ୍କ ପୁତ୍ର ସଂଜୟ (୩୫) ଓ ମୃତ୍ୟୁଞ୍ଜୟ (୪୮) ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲା। ଏହି ଘଟଣାରେ ଜିଲା ଆରକ୍ଷୀ ଅଧିକ୍ଷକ ବି. ଗଂଗାଧରଙ୍କ ନିର୍ଦ୍ଦେଶ କ୍ରମେ ଏସ୍ଡିପିଓ ଓ ସ୍ଥାନୀୟ ଥାନାଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ପରେ ଦୁଇଜଣଙ୍କୁ ଗିରଫ କରିଛନ୍ତି।

Leave a Reply

Your email address will not be published. Required fields are marked *