ଜିଲ୍ଲା ପରିକ୍ରମା

ବ୍ୟାସନଗର ସହରରେ ଗରୀବଙ୍କ ଉନ୍ନତିର ବାସ୍ତବ ଚିତ୍ର ; ଛପର ବିହିନ ଭଙ୍ଗା କୁଡିଆରେ ବିତୁଛି ଶୈଶବ; ଶିଶୁ ସୁରକ୍ଷା କମିଟି ଉଦ୍ଧାର କରିବାକୁ ନିବେଦନ

 

ଯାଜପୁର-୧୩/୮(ଓଡିଆ ପୁଅ/ଏ.ରାଉତ) ଶିଳ୍ପ ସମୃଦ୍ଧ ଖଣିଜ ସଂପଦରେ ଭରପୁର ଯାଜପୁର ଜିଲା । କଳିଙ୍ଗନଗର ବିଶ୍ୱ ଇସ୍ପାତ ଶିଳ୍ପର ରାଜଧାନୀ । ଏହି ଶିଳ୍ପ ରାଜଧାନୀର ମୁଖଶାଳା ବ୍ୟାସନଗର ସହରରେ ଗରୀବଙ୍କ ଆନୁସଂଗିକ ଉନ୍ନତି ନେଇ ଆଖିବୁଜିଦେଇଛନ୍ତି ସରକାର, ପ୍ରଶାସକ ଓ ରାଜନେତା । ଏହି ସହର ଭିତରେ ରହୁଛିନ୍ତି ଶତାଧିକ ଅସହାୟ ପରିବାର ଯାହାକୁ ଆହା କହିବାକୁ କେହି ନାହାନ୍ତି । ନାଁ ସେମାନଙ୍କର ଅଛି ଘର, ନାଁ ସରାକରୀ ସହାୟତା । ଭଙ୍ଗା କୁଡିଆରେ ଭଗବାନଙ୍କୁ ଭରଷା କରି ଦିନ କାଟୁଛନ୍ତି ଏମାନେ । ଏଥିରୁ ସ୍ପଷ୍ଟ ଅନୁମାନ କରି ହେଉଛି ସହରର ଗରୀବଙ୍କ ବିକାଶ କିଭଳି ପଥଭ୍ରଷ୍ଟ । ଏଠାରେ ଭଙ୍ଗା କୁଡିଆରେ ଜୀବନ ବିତାଉଥିବା ଦୁଇ ରୋଗିଣା ଶୈଶବଙ୍କୁ ଶିଶୁ ସୁରକ୍ଷା କମିଟି ତରଫରୁ ଉଦ୍ଧାର କରିବାକୁ ନିବେଦନ କରାଯାଇଛି । ମିଳିଥିବା ସୁଚନା ଅନୁଯାଇ ବ୍ୟାସନଗର ପୌର ପରିଷଦ ଅନ୍ତର୍ଗତ ୯ ନମ୍ବର ୱାର୍ଡରେ ରହୁଥିବା କୁଲ ନାୟକ (୨୧) ନାମକ ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳା । କୁଲଙ୍କୁ ଯେତେବେଳେ ୧୨ ବର୍ଷ ବୟସ ହୋଇଥିଲା ବାପା ମାଆ ଭିକାରୀ ନାୟକ ନାମକ ଜଣେ ଯୁବକଙ୍କ ସହିତ ତାର ଇଚ୍ଛା ବିରୋଧରେ ଯୋର ଜବରଦସ୍ତ ବଳପୂର୍ବକ ବିବାହ କରାଇ ଦେଇଥିଲେ । ବାଲ୍ୟ ବିବାହର ଦୁଇ ବର୍ଷ ପରେ କୁଲ ମାତୃତ୍ୱ ଲାଭ କରିଥିଲେ । ସେତେବେଳେ ପ୍ରଥମ ଗର୍ଭରେ ଗୋଟିଏ ଝିଅକୁ ଜନ୍ମ ଦେଇଥିବାବେଳେ ଏହାର ୪ ବର୍ଷ ପରେ ପୁଣି ଏକ ଶିଶୁ ସନ୍ତାନର ମାଆ ହେଲେ କୁଲ । କୁଲଙ୍କ ଝିଅକୁ ବର୍ତ୍ତମାନ ୯ ବର୍ଷ ହୋଇଥିବାବେଳେ ପୁଅକୁ ୫ ବର୍ଷ । ତେବେ ଇତିମଧ୍ୟରେ କୁଲକୁ ବିବାହ କରିଥିବା ଭିକାରୀ ମାଆ ଛୁଆଙ୍କୁ ଛାଡି କେଉଁଆଡେ ଚାଲିଯାଇଛି । କୂଲ ଅନନ୍ୟୋପାୟ ହୋଇ ବାପଘରେ ରହୁଥିବାବେଳେ ତାର ବାପା ମାଆ ଓ ଭାଇ ଭଉଣୀ କେହି ନଥିବାରୁ ସେ ସଂପୂର୍ଣ୍ଣ ବେସାହାରା ହୋଇ ପଡିଛି । ବାଲ୍ୟ ବିବାହ ହୋଇଥିବାରୁ ପିଲା ଜନ୍ମ ପରେ ସେ ସବୁବେଳେ ରୋଗ ଯନ୍ତ୍ରଣାରେ ଛଟ ପଟ ହେଉଛି । ନିଜେ ନିଜର ଯତ୍ନ ନେବାକୁ ଅସମର୍ଥ ଥିବାବେଳେ ଦୁଇ ପିଲା ମଧ୍ୟ ରୋଗିଣା ହୋଇଥିବାରୁ ସେମାନଙ୍କ ଯତ୍ନ ନେବାକୁ ସ୍ୱାମୀ ପରିତ୍ୟକ୍ତି କୁଲ ଅସମର୍ଥ ହୋଇ ପଡିଛି । ଏଣେ ମୁଣ୍ଡ ଗୁଞ୍ଜିବାକୁ ଯେଉଁ ଘର ଖଣ୍ଡକ ଅଛି ତାହା ମଧ୍ୟ ଛପର ବିହିନ । ଅଧା ଚାଳ ଛପର ଉଡି ଯାଇଥିବାବେଳେ ମାଗି ଆଣି ଖଣ୍ଡେ ପଲିଥିନ ପକାଇ ମାଆ ଛୁଆ ତିନି ଜଣ ରହୁଛନ୍ତି ଏହି ଭଙ୍ଗା କୁଡିଆରେ । ବର୍ଷା ପାଣି ପସି ଘରେ କାଦୁଅ ଭର୍ତ୍ତୀ । ଘର ସାରା ଉଇ ହୁଙ୍କା ହୋଇଥିବାରୁ ସାପ ମାନେ ମଧ୍ୟ ଏଠାରେ ବସବାସ କରୁଥିବା ସେମାନେ ସଂଦେହ ପ୍ରକଟ କରୁଛନ୍ତି । ଏଭଳି ପରିବେଶରେ ରୋଗିଣା ମାଆ ଛୁଆ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଦିନ କାଟୁଥିବାବେଳେ ପଇସା ଟିଏ ରୋଜଗାର ନଥିବାରୁ ତିନି ପ୍ରାଣୀ ଗଣ୍ଡେ ଖାଇବାକୁ ପାଉନାହାନ୍ତି । ଏମାନଙ୍କ ପାଇଁ ସରକାରୀ ସହାୟତା ସାତ ସପନ ପାଲଟିଥିବାବେଳେ ରାସନ କାର୍ଡ ଖଣ୍ଡେ ମଧ୍ୟ ଆଜି ପର୍ଯ୍ୟନ୍ତ ପାଇବାକୁ ସମର୍ଥ ହୋଇ ନାହାନ୍ତି ଏମାନେ । କୁଲ ନିଜେ ଶାରିରୀକ ଅସୁସ୍ଥତା ପାଇଁ କୌଣସି କାମ କରିପାରୁନାହିଁ । ପଇସା ଓ ଆନୁସଂଗିକ ଅଭାବରୁ ଦୁଇ ପିଲା ବିଦ୍ୟାଳୟ ମାଟି ମାଡି ପାରୁନାହାନ୍ତି । ଏହି ଖବର ପାଇବାପରେ ଯାଜପୁର ଜିଲା କିନ୍ନର ସଂଘର ସଭାପତି କାଜଲ ନାୟକ , ମଂଟୁ ଦାସ ଏଠାରେ ପହଂଚି କିଛିଟା ସହାୟତା ପ୍ରଦାନ କରିଛନ୍ତି । ଏଥି ସହ ଭଙ୍ଗା କୁଡିଆରେ ଜୀବନ ବିତାଉଥିବା ଦୁଇ ଅସହାୟ ଶୈଶବଙ୍କୁ ଜିଲା ଶିଶୁ ସୁରକ୍ଷା କମିଟି ତରଫରୁ ଉଦ୍ଧାର କରାଯାଇ ଶିଶୁ ପରିଚର୍ଯ୍ୟା କେନ୍ଦ୍ରରେ ଥଇଥାନ କରିବାସହ ସେମାନଙ୍କୁ ପାଠ ପଢ଼ାଇବା ଓ କୁଲଙ୍କୁ ତୁରନ୍ତ ଆବାସ ଯୋଜନାରେ ସାମିଲ କରିବା ସହ ସେ ବଂଚିବାପାଇଁ ତାକୁ ସରକାରୀ ସହାୟତା ପ୍ରଦାନ କରିବାକୁ ସେ ଦାବି କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top