ବ୍ୟାସନଗରରେ ବି ଲେଖିଲେଣି ରଜ ବଦଳରେ ରଜୋ: ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା

ଯାଜପୁର-୧୨/୬(ଓଡିଆ ପୁଅ/ଏ.ରାଉତ) ଓଡିଆ ଅସ୍ମିତାର ପ୍ରତୀକ ରଜ ପର୍ବକୁ ଖାଂଟି ଓଡିଆଙ୍କ ଗଣପର୍ବଭାବେ ସର୍ବତ୍ର ବିବେଚନା କରାଯାଏ। ସାଢ଼େ ଚାରିକୋଟି ଓଡିଆଙ୍କ ଭାବାବେଗ ସହିତ ଜଡିତ ତିନିଦିନଧରି ପାଳିତ ହେଉଥିବା ଉକ୍ତ ଗଣପର୍ବର ନାମକୁ ଇଂରାଜୀରେ ରଜ ବଦଳରେ ରଜୋ ଲେଖିବାକୁ ନେଇ ରାଜ୍ୟର ବିଭିନ୍ନ ସହରରେ ବିବାଦର ସୂତ୍ରପାତ ସହିତ ପ୍ରତିବାଦର ସ୍ୱର ଅତ୍ୟନ୍ତ ଶାଣିତ ହୋଇଥିବାେବେଳେ ବ୍ୟାସନଗର ସହରରେ ମଧ୍ୟ ବ୍ୟବସାୟୀମାନେ ଇଂରାଜୀରେ ରଜ ବଦଳରେ ରଜୋ ଲେଖିଲେଣି ଯାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବ୍ୟବସାୟୀମାନେ ଦୋକାନର ଫଳକ ଇଂରାଜୀ ବଦଳରେ ଓଡିଆରେ ଲେଖିବାକୁ ସରକାର ଗତ ମେ ପହିଲା ଶ୍ରମିକ ଦିବସରେ ବିଧିବଧଭାବେ ଘୋଷଣା କରିବାସହ ଖିଲାପକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଘୋଷଣା କଲାପରେ ମଧ୍ୟ ଏଥିପ୍ରତି ବ୍ୟବସାୟୀମାନେ ଦୃଷ୍ଟି ଦେଉନଥିବାବେଳେ ପୁଣି ଓଡିଆଙ୍କ ପ୍ରିୟ ପର୍ବକୁ କଦାକାର କରି ଇଂରାଜୀରେ ଲେଖିବା ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଠି କରିଛି। ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କରେ ରଜ ଭଳି ପବିତ୍ର ଶବ୍ଦକୁ କାହିଁକି ଇଂରାଜୀରେ ରଜୋ ବୋଲି ଲେଖାଯାଉଛି ସେନେଇ ବୁଦ୍ଧିଜୀବୀ, ସାହିତ୍ୟିକ ଓ ଭାଷା ପ୍ରେମୀମାନେ ପ୍ରଶ୍ନ ଉଠାଇଛନ୍ତି। କେବଳ ଏବର୍ଷ ନୁହଁ ପ୍ରତିବର୍ଷ ରଜ ଆସିଲେ ବ୍ୟବସାୟୀମାନେ ବିଭିନ୍ନ ଅଫର ଦେବାକୁ ବିଜ୍ଞାପନରେ ରଜ ବଦଳରେ ରଜୋ ଲେଖିବା ନଜିର ଥାଏ। କିନ୍ତୁ ଏବର୍ଷ ଓଡିାଆ ଭାଷା ଆଇନ ପ୍ରଣୟନ ଓ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଦଣ୍ଡବିଧାନ ଘୋଷଣାପରେ ପ୍ରତିକ୍ରିୟା ଉଠାଇଛନ୍ତି ବିଭିନ୍ନ ଅନୁଷ୍ଠାନ, ବୁଦ୍ଧିଜୀବୀ ଓ ସାହିତ୍ୟିକ। ସାମାଜିକ ଗଣମାଧ୍ୟମରେ ଏନେଇ ଅନେକ କଟୁ ମତ ମନ୍ତବ୍ୟ ପ୍ରକାଶ ପାଇବାସହ ଏହି ରଜ ଶବ୍ଦକୁ କଦାକାର କରି ଲେଖୁଥିବା ବ୍ୟକ୍ତିଙ୍କ ଭତ୍ସର୍ନା କରାଯାଇଥିଲେ ମଧ୍ୟ ବ୍ୟବସାୟୀମାନେ ସୁଧୁରୁ ନାହାନ୍ତି। ବ୍ୟାସନଗର ସାହିତ୍ୟ ସଂସଦର ସଭାପତି ତଥା ବ୍ୟାସନଗର ମହାବିଦ୍ୟାୟଳର ଅବସର ପ୍ରାପ୍ତ ଅଧ୍ୟକ୍ଷ ପଦ୍ମନାଭ ମଲ୍ଲ ଏନେଇ କଡା ସମାଲୋଚନା କରିବାସହ ଓଡିଆ ଭାଷାର ଅସ୍ମିତାକୁ ଯେଉଁମାନେ କଦାକାର କରିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉବୋଲି ମତ ଦେଇଛନ୍ତି। ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟା ତଥା ଚିରନ୍ତନୀର ସଂପାଦିକା ସଂଯୁକ୍ତା ମହାପାତ୍ର ଏହି ଘଟଣାରେ ଘୋର ବିରୋଧ କରିଛନ୍ତି। ସର୍ବପ୍ରାଚୀନ ଓ ସର୍ବପୂରାତନଭାଷାଭାବେ ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ପରେ ମଧ୍ୟ କାହିଁକି ଏହି ଭାଷାକୁ ଅପଭ୍ରଂଶ କରାଯାଉଛି ସେନେଇ ଉଦବେଗ ପ୍ରକାଶ କରିଛନ୍ତି। ଏହାକୁ ନେଇ ବିଭିନ୍ନ ଅନୁଷ୍ଠାନ ସ୍ୱର ଉଠାଇବା ସହ ଜନ ସଚେତନତା ଜାଗ୍ରତ କରିବାକୁ ସେ ନିବେଦନ କରି ଭାଷା ଉଲ୍ଲଙ୍ଗନକାରୀଙ୍କ ବିରୋଧରେ ଧର୍ତବ୍ୟ ଅପରାଧ ମାମଲା ରୁଜୁ କରିବା ଦରକାରବୋଲି ମତ ଦେଇଛନ୍ତି। ଯାଜପୁରରୋଡ ଭାଷା ବିକାଶ ଅଭଯାନ ତଥା ସ୍ମୃତିଲିପି ସଂପାଦକ ମଧ୍ୟ ଏହାର ଦୃଢ଼ ପ୍ରତିବାଦ କରିବାସହ ଭାଷା ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଓଡିଆ ଭାଷା କୋଷରେ ରଜୋ ଭଳି କିଛି ଶବ୍ଦ ନଥିବାବେଳେ ଏହାକୁ ଅପଭ୍ରଂଶ କରି ଆମ ପରମ୍ପରା ପ୍ରତି ଖେଳ ଖେଳୁଥିବା ବ୍ୟବସାୟୀମାନେ ଆଗକୁ ଏଭଳି ଭୂଲ ନକରନ୍ତୁବୋଲି ସେ ଚେତାବନୀ ଦେଇଛନ୍ତି। ସେହିଭଳି ବ୍ୟାସନଗର ଭାଷା ଆନ୍ଦୋଳନର ସଂଯୋଜକ ତଥା ଶହୀଦ ଭଗତ ସିଂ ଯୁବକ ସଂଘର ସଭାପତି ରାଜେନ୍ଦ୍ର ବିଶ୍ୱାଳ ମଧ୍ୟ ଏନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଯେଉଁ ବ୍ୟବସାୟୀମାନେ ନିଜ ବ୍ୟବସାୟ ପ୍ରତିଷ୍ଠାନ ବିଜ୍ଞାପନରେ ରଜୋ ଲେଖିଛନ୍ତି ତୁରନ୍ତ ସେହି ଶବ୍ଦକୁ ସଂଶୋଧନ କରି ରଜ ନଲେଖନ୍ତି ଆଗାମି ଦିନରେ ସହରର ଶହ ଶହ ଓଡିଆ ଭାଷା ପ୍ରେମୀ ତାଙ୍କ ବ୍ୟବସାୟ ପ୍ରତିଷ୍ଠାନ ସମ୍ମୁଖରେ ପହଂଚି ସେମାନଙ୍କୁ ସଚେତନ କରାଇବେବୋଲି ମତ ଦେଇଛନ୍ତି। ଯାଜପୁର ଏକ୍ସପ୍ରେସର ସଂପାଦକ, ଶିକ୍ଷାବିତ୍ ତଥା ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଂଯୋଜକ ଇଂ. ଆଲେକଜାଣ୍ଡାର ଦାସ ମଧ୍ୟ ଏନେଇ ଉଦବେଗ ପ୍ରକାଶ କରିବାସହ ଆଗକୁ ବ୍ୟବସାୟୀ ବନ୍ଧୁମାନେ ଏଥିରୁ ନିବୃତ ରହିବାକୁ ପରାମର୍ଶ ଦେଇଛନ୍ତି। ଧୀରେ ଧୀରେ ଏହା ଏକ ଜନ ଆନ୍ଦୋଳନର ରୂପ ନେବାର ଆଶଂକା ଥିବାରୁ ଏନେଇ ସମସ୍ତେ ସଚେତନ ହେବାସହ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରାଇବାକୁ ସେ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *