ବ୍ୟାସକବି ଅନନ୍ୟ ଓ ଅନତିକ୍ରମଣୀୟ

ଭଦ୍ରକ, ୧୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଓଡ଼ିଆ ଭାଷାର ତ୍ରାଣକର୍ତ୍ତା, ସଂକ୍ରାନ୍ତି ପୁରୁଷ, କଥା ସମ୍ରାଟ ଫକୀରମୋହନ ସର୍ବଦା ଅନନ୍ୟ ଓ ଅନତିକ୍ରମ୍ୟ ବୋଲି ମହେନ୍ଦ୍ରଭବନ ପରିସରରେ ଅନୁଷ୍ଠିତ ବ୍ୟାସକବି ଜୟନ୍ତୀରେ ମତ ପ୍ରକାଶ ପାଇଛି। ଉତ୍ସବର ପ୍ରାରମ୍ଭରେ ‘ବ୍ୟାସକବି’ ଜୟନ୍ତୀ କମିଟିର ଆବାହକ ଅଭିଜିତ୍ ନାୟକ ଓଡ଼ିଆଭାଷାର ଅସ୍ତିତ୍ୱ ଓ ଅସ୍ମିତାପ୍ରତି ବ୍ୟାସକବି ଅବଦାନରୁ ସ୍ମରଣ କରିବାସହ ସମସ୍ତଙ୍କୁ ସ୍ୱାଗତ କରିଥିଲେ। କଥାକାର ପବିତ୍ର ପାଣିଗ୍ରାହୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମାନୀତ ଅତିଥିଭାବେ ଯୋଗଦେଇ ପ୍ରାବନ୍ଧିକ ବାସୁଦେବ ବାରିକ ବ୍ୟାସକବିଙ୍କ ଗଳ୍ପଜଗତ ଉପରେ ଆଲୋଚନା କରିବାସହ ତାଙ୍କର ପ୍ରତିଟି ଗଳ୍ପ ତତ୍କାଳୀନ ସମୟର ସ୍ୱରକୁ ପ୍ରତିଫଳିତ କରୁଥିବାରୁ ସେ ଜଣେ ଆଧୁନିକ କଥାଶିଳ୍ପୀ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟତୀ ସମ୍ମାନୀତ ଅତିଥି ସ୍ତମ୍ଭକାର ଅଭୟ ଦ୍ୱିବେଦୀ ବ୍ୟାସକବିଙ୍କ ଅନନ୍ୟ ଆତ୍ମଜୀବନୀ ଚରିତ ଉପରେ ଆଲୋକପାତ କରିବାସହ ଚିର ରୁଗ୍ଣ ଓ ଆର୍ଥିକ ଅନାଟନ ମଧ୍ୟରେ ଥାଇ ବ୍ୟାସକବି ଯେଉଁ ଭାଷାଜୋତିପ୍ରୀତିର ପରିଚୟ ଦେଇଛନ୍ତି ତାହା ତାଙ୍କୁ ଅନତିତ୍ରମଣୀୟ କରି ରଖିଛି ବୋଲି ପ୍ରକାଶ କରିଥିଲେ। ଏହି ଉତ୍ସବରେ ଡ. ଗୋଲୋକ ବିହାରୀ ସାହୁ, ଡ. ରାମଚନ୍ଦ୍ର ନାୟକ, ରୋ. ବିଜୟ ସାହୁ, ଅରୁଣ ଖିଲାର, ଇଂ. ବିମ୍ବାଧର ବ୍ରହ୍ମ, କବି ସୁଚିତ୍ରା ପାଣିଗ୍ରାହୀ, ସୁଧାକର ରାଉତ, ଶିବଚରଣ ଖାମୁରାଇ, କବି ଅଶୋକ ମହାନ୍ତି, ବସନ୍ତ ମିଶ୍ର, ହେମନ୍ତ କୁମାର ନାୟକ, ବସୁମିତ୍ରା ସାହୁ, ବିଜୟ ମହାନ୍ତି ପ୍ରମୁଖ ଭଦ୍ରକର ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ଶେଷରେ ଅଧ୍ୟାପକ ନାସିର ବକ୍ସ ଧନ୍ୟବାଦ ଅର୍ପଣ କରିଥିଲେ।
