ବ୍ୟାଙ୍କ କର୍ମଚାରୀ କହି ୫୦ ହଜାର ଟଙ୍କା ଠକି ନେବା ଘଟଣା,ଫଳ ଶୁନ

ଖଡିଆଳ/ନୂଆପଡା-୨୨.୧୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନିଜକୁ ଭାରତୀୟ ଷ୍ଟେଟବ୍ୟାଙ୍କର କର୍ମଚାରୀ ବୋଲି ଫୋନରେ ପରିଚୟ ଦେଇ ଏକାଉଣ୍ଟରୁ ଟଙ୍କା କଟି ଯାଇଥିବାରୁ ତାହା ଫେରସ୍ତ କରାଯିବାର ମିଛ ପ୍ରତିଶୃତୀ ଦେଇ ଏଟିଏମର ସମସ୍ତ ତଥ୍ୟ ନେଇ ୫୦ ହଜାର ଟଙ୍କା କାଟି ନେବା ଭଲି ଘଟଣା ଗତ ନଭେମ୍ବର ମାସରେ ଘଟି ଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ । ଏନେଇ ଟଙ୍କା ହରାଇଥିବା ବ୍ୟକ୍ତି ଜଣକ ଖଡିଆଳ ଥାନାରେ ଲିଖିତ ଅଭିଯୋଗ କରି ୨ ମାସ ହୋଇଯାଇଛି କିନ୍ତୁ ଟଙ୍କା ପାଇ ପାରିନାହାନ୍ତି । ସୂଚନା ମତେ ଖଡିଆଳ ବ୍ଲକ ବଙ୍କାପୁର ଗ୍ରାମର ରାଜେଶ ବେହେରା ନାମକ ଛାତ୍ରଙ୍କ ମୋବାଇଲ ନଂ କୁ ଗତ ସେପ୍ଟେମ୍ବର ମାସରେ ଏକ ଅଜଣା ନଂରୁ ଏକ ଫୋନ କଲ ଆସିଥିଲା । ଫୋନରେ ନିଜକୁ ଭାରତୀୟ ଷ୍ଟେଟବ୍ୟାଙ୍କ ମୁମ୍ବାଇର ମୁଖ୍ୟଅଫିସରୁ କହୁଛି ବୋଲି ପରିଚୟ ଦେଇ ଏକାଉଣ୍ଟରୁ ଟଙ୍କା କଟି ଯାଇଥିବା ନେଇ ସୂଚନା ଦେଇଥିଲା । ସୂଚନା ପାଇ ସେ ଏଟିଏମର ସିରିଏଲ ନଂ ଦେବା ସହ ମୋବାଇଲକୁ ଆସୁଥିବା ଓଟିପି ନଂ ଦେବାକୁ କହିଥିଲେ । ଏହାର ସୁଯୋଗରେ ସେ ୪ ଗୋଟି କିସ୍ତିରେ ୫୦ ହଜାର ଟଙ୍କା ଅନଲାଇନ ମାଧ୍ୟମରେ ସୋପିଙ୍ଗ କରି ନେଇଥିଲେ । ପରେ ଟଙ୍କା କଟିବା ନେଇ ଜାଣିବା ପରେ ଖଡିଆଳ ଥାନାରେ ଲିଖିତ ଅଭିଯୋଗ କରି ୭୨ ଘଣ୍ଟା ମଧ୍ୟରେ ବ୍ୟାଙ୍କରୁ ଷ୍ଟେଟମେଣ୍ଟ ଆଣି ଥାନାରେ ଦେଇଥିଲେ । ହେଲେ ସେହି ଟଙ୍କା ଆଜି ପର୍ଯ୍ୟନ୍ତ ଫେରସ୍ତ ହୋଇନଥିବା ଜଣାପଡିଛି । ଅନ୍ୟପକ୍ଷରେ ଅନଲାଇନ ଚୋରଙ୍କ ପ୍ରାଦୁର୍ଭାବ ବହୁତ ମାତ୍ରାରେ ବୃଦ୍ଧି ପାଇଥିବା ଜଣାପଡିଛି । ଗତ ୨/୩ ବର୍ଷ ମଧ୍ୟରେ ବିଭିନ୍ନ ଅଜଣା ମୋବାଇଲ ନଂରୁ ଫୋନ କରି ଏଟିଏମ ବ୍ଲକ କିମ୍ବା ନୁଆ ଏଟିଏମ ଦିଆଯିବାର ପ୍ରତିଶୃତୀ ଦେଇ ଖଡିଆଳ ଅଞ୍ଚଳରୁ ଲକ୍ଷାଧିକ ଟଙ୍କା ଅନଲାଇନ ଏମାଧ୍ୟମରେ ଚୋରୀ କରି ନେଇ ଯାଇଥିବା ଜଣାପଡିଛି । ଅଞ୍ଚଳର ନିରିହ ଲୋକ ଅନଲାଇନ ବିଷୟରେ ଜାଣିନଥିବାରୁ ଏହାର ସୁଯୋଗ ନେଇ ଚୋରଦଳ ସକ୍ରୀୟ ହୋଇ ଲକ୍ଷ ଲକ୍ଷ ଟଙ୍କା ନେଇଯାଇ ମାଲେମାଲ ହେଉଥିବା ବେଲେ ସାଧାରଣ ଲୋକେ କଷ୍ଟ ଉପାର୍ଜିତ ଟଙ୍କା ହରାଇ ସର୍ବସ୍ୱାନ୍ତ ହୋଇ ଯାଉଛନ୍ତି । ଏପରି ଘଟଣା ଦିନକୁ ଦିନ ଦିନ ବୃଦ୍ଧି ପାଉଥିବା ବେଲେ ଅନେକ ସରଳ ଲୋକ ଠକାମୀର ଶିକାରରେ ପଡୁଛନ୍ତି । ରାଜ୍ୟ ସରକାର ସହ ସମ୍ପୃକ୍ତ ବ୍ୟାଙ୍କ ମାନେ ଲୋକଙ୍କୁ ସଚେତନତା କରିବାର ଆବଶ୍ୟକତା ରହିଥିବା ବେଲେ ପୋଲିସ ପ୍ରଶାସନ ଏପରି ଠକ ଚୋର ଗୋଷ୍ଠିଙ୍କୁ ଗିରଫ କରି କଠୋର କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବାର ଆବଶ୍ୟକତା ରହିଛି ।

Leave a Reply

Your email address will not be published. Required fields are marked *