ବ୍ୟବଚ୍ଛେଦ ବେଳେ ତାଡ଼ିନେଲେ ଆଖି

ମୟୁରଭଞ୍ଜ ୮-୮ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ବିଷପିଇ ମହିଳାଙ୍କ ଆତ୍ମହତ୍ୟା। ସ୍ୱାମୀ ଓ ଶାଶୁଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ବାପଘର ଲୋକ। ଚାନ୍ଦୁଆ ଥାନାରେ କରିଛନ୍ତି ଅଭିଯୋଗ।

ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲାର ଚାନ୍ଦୁଆଥାନା କେଉଟୁଣୀମାରି ପଞ୍ଚାୟତ ଦରଦରା ଗାଁରେ। ଗ୍ରାମର ଜଗନ୍ନାଥ ସେଠୀ ବୈଦିକ ରୀତିରେ ବଡ଼ସାହିଥାନା କୁଚିଲାଖୁଣ୍ଟା ଗ୍ରାମର ସୁଚିତ୍ରା ସେଠୀଙ୍କୁ ବିବାହ କରିଥିଲେ। ତେବେ ବିବାହ ପରେ ଉତ୍ତମ ବୁଝାମଣା ସାଙ୍ଗକୁ ହସଖୁସିରେ ଆଗକୁ ବଢ଼ିଥିଲା ସଂସାର। ଆଉ ଏହା ମଧ୍ୟରେ ୨ଟି ସନ୍ତାନର ଜନକ ହୋଇଥିଲେ। ହେଲେ ସ୍ବାମୀ ଜଗନ୍ନାଥ ଅନ୍ୟ ଜଣେ ମହିଳା ସହ ଗଢ଼ିଉଠିଥିବା ଅନୈତିକ ସମ୍ପର୍କକୁ ସୁଚିତ୍ରା ବିରୋଧ କରିବାରୁ ହସଖୁସିର ସଂସାରକୁ ଗ୍ରାସ କରିଥିଲା ସନ୍ଦେହର କଳା ବାଦଲ। ସ୍ୱାମୀ-ସ୍ତ୍ରୀ ର ସମ୍ପର୍କରେ ସୃଷ୍ଟି ହୋଇଥିଲା ତିକ୍ତତା। ଯାହାକୁ ନେଇ ପରିବାରରେ ଆରମ୍ଭ ହୋଇଥିଲା ଦୈନିକ ଝଗଡ଼ା। ଆଉ ସୁଚିତ୍ରା ଉପରେ ଆରମ୍ଭ ହୋଇଥିଲା ଶାରୀରିକ ନିର୍ଯାତନା। ଯାହା ଫଳରେ ଜୀବନ ପ୍ରତି ବୀତସ୍ପୃହ ହୋଇ ଶେଷରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇ ଗତ ୬ ତାରିଖରେ ବିଷ ପିଇଥିଲେ ସୁଚିତ୍ରା। ବିଷ ପିଇବା ପରେ ସୁଚିତ୍ରା ତାଙ୍କର ଭାଇକୁ ଫୋନ କରି ଜଣାଇଥିଲେ। ତାଙ୍କର ଭାଇ ସଙ୍ଗେ ସଙ୍ଗେ ଭିଣୋଇ ଜଗନ୍ନାଥଙ୍କୁ ଫୋନ କରି ଖବର ଦେଇ ଡାକ୍ତରଖାନା ନେବାକୁ ଅନୁରୋଧ କରିଥିଲେ ମଧ୍ୟ ସେ ଘଟଣାକୁ ବିଶେଷ ଗୁରୁତ୍ୱ ଦେଇ ନ ଥିଲେ। ତେବେ ବିଳମ୍ବ ହେଲେ ମଧ୍ୟ ପରେ ପିଆରଏମ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏଠାରେ ଚିକିତ୍ସାଧୀନ ଥାଇ ଅବସ୍ଥା ଉଦବେଗ ଜନକ ହେବାରୁ କଟକ ବଡ ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲା। କଟକ ବଡ଼ ମେଡିକାଲରେ ଡାକ୍ତର ସୁଚିତ୍ରାକୁ ମୃତ ଘୋଷଣା କରିଥିଲେ। ପରେ ସେଠାରେ ଶବ ବ୍ୟବଚ୍ଛେଦ ପାଇଁ ପରାମର୍ଶ ଦେଇଥିଲେ। ଶବ ବ୍ୟବଚ୍ଛେଦ ପୂର୍ବରୁ ମୃତା ସୁଚିତ୍ରାର ସ୍ୱାମୀ ଜଗନ୍ନାଥ ସୁଚିତ୍ରାର ଭାଇକୁ ଭୟଭୀତ କରାଇ ଆଖିଦାନ କରିବା ନାମରେ ଏକ ଏଫିଡେଫିଟ କରାଇନେଇ ବିକ୍ରି କରିଥିବା ଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି ମୃତା ସୁଚିତ୍ରାର ଭାଇ।

ମୃତା ସୁଚିତ୍ରାର ସ୍ୱାମୀ ଜଗନ୍ନାଥଙ୍କ ଏଭଳି ଅମାନବିକ ଆଚରଣକୁ ନେଇ କ୍ଷୁବ୍ଧ ସୁଚିତ୍ରାର ବାପଘର ଲୋକ ଚାନ୍ଦୁଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ଚାନ୍ଦୁଆଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କାହାକୁ ଗିରଫ କରିନଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *