ଖୋର୍ଦ୍ଧା

ବ୍ରାହ୍ମଣ ସମାଜ ସୁରକ୍ଷିତ ରହିଲେ ଦେଶ ଅଗ୍ରସର ହେବ – ବ୍ରାହ୍ମଣ ମହାସଭା ବାର୍ଷିକୋତ୍ସବରେ ସରକାରଙ୍କୁ ଆହ୍ୱାନ

ଖୋର୍ଦ୍ଧା ୪-୨ (ଓଡ଼ିଆ ପୁଅ) : ସ୍ଥାନୀୟ ଗୀତା ଭବନ ପରିସରରେ ଖୋର୍ଦ୍ଧା ଜିଲ୍ଲା ବ୍ରାହ୍ମଣ ମହାସଭାର ବାର୍ଷିକୋତ୍ସବ ଅନୁଷ୍ଠାନର ଜିଲ୍ଲା ସଂପାଦକ ହରିଚରଣ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ପ୍ରାତଃ ସମୟରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ବ୍ରାହ୍ମଣ ମାନଙ୍କ ସହଯୋଗରେ ଏକ ବିଶ୍ୱ ଶାନ୍ତି ଯଜ୍ଞ ହେବା ପରେ ବେଦବାକ୍ୟ ଉଚ୍ଚାରଣ ସହିତ ନଗର ପରିକ୍ରମା କରିଥିଲେ। ମଧ୍ୟାହ୍ନରେ ସଭାପତି ଜ୍ଞାନ ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି ଭାବରେ ପୁରୀ ଗୋବର୍ଦ୍ଧନ ପୀଠ ପରିଷଦର ରଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଡକ୍ଟର ପ୍ରଫୁଲ୍ଲ କୁମାର ରଥ ଯୋଗଦେଇ କହିଲେ ଯୁଗେ ଯୁଗେ ବ୍ରାହ୍ମଣ ମାନେ ହିଁ ରାଜା ତଥା ପ୍ରଶାସକ ମାନଙ୍କ ମୁଖ୍ୟ ପରାମର୍ଶ ଦାତା ରହି ସେମାନଙ୍କର ଉପଯୁକ୍ତ ପରାମର୍ଶ ମାଧ୍ୟମରେ ରାଜ୍ୟ ତଥା ଦେଶର ସୁରକ୍ଷା ସହିତ ଏହାକୁ ବୈଭବଶାଳୀ କରାଇଥାନ୍ତି। କିନ୍ତୁ ବିଡମ୍ବନା, ଆଜିର ରାଜ୍ୟ ତଥା କେନ୍ଦ୍ର ସରକାର ବ୍ରାହ୍ମଣ ମାନଙ୍କୁ ସଂପୂର୍ଣ୍ଣ ଭାବରେ ଅବହେଳିତ କରି ରଖିଛନ୍ତି। ସେଥିପାଇଁ ଆଜି ସମାଜ ଏଭଳି ଦୁର୍ଦ୍ଦିନ ଦେଇ ଗତି କରୁଛି। ତେଣୁ ସରକାର ବ୍ରାହ୍ମଣ ମାନଙ୍କ ସୁରକ୍ଷା ପାଇଁ ଯଥୋଚିତ ପଦକ୍ଷେପ ନେବା ଦରକାର। ମୁଖ୍ୟ ବକ୍ତା ଭାବରେ ଅଖିଳ ଓଡିଶା ବ୍ରାହ୍ମଣ ମହାସଭାର ରାଜ୍ୟ ସାଧାରଣ ସଂପାଦକ ଶିକ୍ଷାବିତ୍ ଡକ୍ଟର ଧୀରେନ୍ଦ୍ର ନନ୍ଦ ଯୋଗ ଦେଇ କହିଲେ ଦେଶରେ ଜାତିଭିତିକ ସଂରକ୍ଷଣ ବନ୍ଦ ହେଲେ ହିଁ ମେଧାବୀ ଛାତ୍ରଛାତ୍ରୀ ମାନେ ଉପଯୁକ୍ତ ଭାବରେ ଦେଶକୁ ଅଗ୍ରାଭିମୁଖୀ କରାଇ ପାରିବେ। ସଂରକ୍ଷଣ ଆଳରେ ବ୍ରାହ୍ମଣ ମାନଙ୍କର ମେଧା ଶକ୍ତିକୁ ହତାଦର କରାନଯାଉ ଏବଂ ସମାଜରେ ଦ୍ୱେଷ ପ୍ରସାର କରାନଯାଉ। ସମାଜର କଲ୍ୟାଣ ନିମନ୍ତେ ସରକାର ବ୍ରାହ୍ମଣ ମାନଙ୍କର ସମସ୍ତ ଅସୁବିଧା ଗୁଡିକୁ ଗୁରୁତ୍ୱ ଦେଇ ତୁରନ୍ତ କାର୍ଯ୍ୟକାରୀ କରନ୍ତୁ। କର୍ମକାଣ୍ଡ କରି ବଂଚୁଥିବା ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବ୍ରାହ୍ମଣ ମାନଙ୍କୁ ମାସିକ ୫୦୦୦ ଟଂକା ଭତା ଦିଆଯାଉ, ଯୁକ୍ତ ଦୁଇ ଶ୍ରେଣୀ ପର୍ଯ୍ୟନ୍ତ ବ୍ରାହ୍ମଣ ଛାତ୍ରମାନଙ୍କ ପାଇଁ ବେଦ ଏବଂ କର୍ମକାଣ୍ଡ ପଢିବା ବାଧ୍ୟତାମୂଳକ କରାଯାଉ, ସମସ୍ତ ପୁରୋହିତ ଏବଂ ପୂଜକ ବ୍ରାହ୍ମଣ ମାନଙ୍କୁ ସ୍ୱାସ୍ଥ୍ୟ ବୀମା ଓ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଉ, ପ୍ରତି ଅବହେଳିତ ବ୍ରାହ୍ମଣ ପରିବାରକୁ ୨ଟି ଲେଖାଏଁ ଦେଶୀ ଗାଈ ପାଳନ କରିବାକୁ ପ୍ରୋତ୍ସାହନ ଦିଆଯାଉ, ସମାଜରେ ଅବହେଳିତ ପ୍ରତି ବ୍ରାହ୍ମଣ ପରିବାରକୁ ବ୍ରତଘର ପାଇଁ ୫୦, ୦୦୦ ଟଙ୍କା ଅନୁଦାନ ଦିଆଯାଉ, ଭୂମିହୀନ ବ୍ରାହ୍ମଣ ମାନଙ୍କୁ ଘରଡିହ ମାଗଣାରେ ଯୋଗାଇ ଦିଆଯାଉ, ଆର୍ଥିକ ଅନଗ୍ରସର ପ୍ରତି ବ୍ରାହ୍ମଣ ପରିବାରକୁ ଘର ତିଆରି କରିବା ପାଇଁ ସରକାରୀ ଆବାସ ଯୋଜନାରେ ସାମିଲ କରାଯାଉ, ତାମିଲନାଡୁ ଆନ୍ଧ୍ର ପ୍ରଦେଶ ଆଦି ରାଜ୍ୟ ଭଳି ବ୍ରାହ୍ମଣ କଲ୍ୟାଣ ନିଗମ ଗଠନ କରି ବ୍ରାହ୍ମଣ ମାନଙ୍କୁ ନ୍ୟାୟ ପ୍ରଦାନ କରାଯାଉ, ବ୍ରାହ୍ମଣ ପିଲାମାନେ କର୍ମକାଣ୍ଡ ଶିକ୍ଷା ଲାଭ କରିବା ପାଇଁ ପ୍ରତ୍ୟେକ ଜିଲ୍ଲା କେନ୍ଦ୍ରରେ ଗୋଟିଏ ଲେଖାଏଁ କର୍ମକାଣ୍ଡ ବିଦ୍ୟାଳୟ ସ୍ଥାପନ କରାଯାଉ ଏବଂ ୨୦୧୦ ମସିହାରୁ ସରକାରଙ୍କ ଦପ୍ତରରେ ପଡି ରହିଥିବା ଏସ୍ ଆର୍ ସିହ୍ନା କମିସନ ରିପୋର୍ଟକୁ ସରକାର ଗ୍ରହଣ କରି ଜାତି ନୁହେଁ ମାତ୍ର ଆର୍ଥିକ ସ୍ଥିତିକୁ ନେଇ ଚାକିରୀ ବ୍ୟବସ୍ଥିତ କରାଯାଉ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବୟୋଜ୍ୟେଷ୍ଠ ତଥା ଉତ୍ସର୍ଗୀକୃତ ବ୍ରାହ୍ମଣ ଭାବରେ ପଣ୍ଡିତ ଗଦାଧର ମିଶ୍ର, ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ଦାଶ, ପଣ୍ଡିତ ଭୈରବନାଥ ମିଶ୍ର, ପଣ୍ଡିତ ଶ୍ରୀବତ୍ସ ହୋତା, ସନାତନ ମିଶ୍ର ଏବଂ ମଧୁସୂଦନ ରଥଙ୍କୁ ମାନପତ୍ର ସହିତ ଉତରୀୟ ଦେଇ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୀତାକାନ୍ତ ପଣ୍ଡା, ନୃସିଂହନାଥ ମିଶ୍ର, ସୂର୍ଯ୍ୟ ନାରାୟଣ ଦାଶ, ଶକ୍ତି ଶଙ୍କର ମିଶ୍ର, ସନ୍ତୋଷ ଷଡଙ୍ଗୀ, ଡ. ବୃନ୍ଦାବନ ପଣ୍ଡା, ବ୍ରଜେଶ୍ୱର ପତି, ରାଜୀବ ଷଡଙ୍ଗୀ, ଗଦାଧର ରଥ, ଲୋହିତ ମହାପାତ୍ର, ଦୁର୍ଗାମାଧବ ମିଶ୍ର, ଦିଲ୍ଲୀପ ହୋତା, ଲଳିିତ ମୋହନ ପଣ୍ଡା, ବିମଳ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top