ବ୍ରାହ୍ମଣୀ ଦ୍ୱିତୀୟ ପୋଲ ନିର୍ମାଣ ମାମଲାରେ ମୁଖ୍ୟମନ୍ତ୍ରୀ ଜାଣି ସିଆଣିଆ ବ୍ୟବହାର କରୁଛନ୍ତି – ବିଜେପି

–    ଟେଣ୍ଡର ପ୍ରକ୍ରିୟା ଜୁନ ୫ ତାରିଖରେ ଶେଷ ହେବା ଜାଣି ଗଡକରୀଙ୍କୁ ଚିଠି ଲେଖି ମିଛ ବାହାବା ନେବାର ଡ୍ରାମା କରୁଛନ୍ତି ମୁଖ୍ୟମନ୍ତ୍ରୀ
–    ବେସରକାରୀ ପୁଂଜିନିବେଶକାରୀଙ୍କ ଦ୍ୱାରା ଦ୍ୱିତୀୟ ବ୍ରାହ୍ଣଣୀ ପୋଲ ନିର୍ମାଣର ଯୋଜନା କରିଥିଲା ୟୁପିଏ ସରକାର
–    ମୋଦି ଓ ଗଡକରୀ ଏହାକୁ ସରକାରୀ ଅର୍ଥ ବିନିଯୋଗରେ ନିର୍ମାଣ କରିବାକୁ ନେଲେ ନିଷ୍ପତି
–    ରାଜ୍ୟ ମାଗିଥିଲା ଚାରି ଲେନ, ମୋଦି କଲେ ଛଅ ଲେନ
–    ଜାନୁଆରୀ ୨୦୧୭ରୁ ଜୁନ ୨୦୧୭ ଭିତରେ ଟେଣ୍ଡର ପ୍ରକ୍ରିୟା ସମ୍ପୂର୍ଣ ହେବା ତ୍ୱରିତ କାର୍ଯ୍ୟ
–    ସେଥି ପାଇଁ ଗଡକରୀଙ୍କୁ ଧନ୍ୟବାଦ ଦେଲା ବିଜେପି

ଭୁବନେଶ୍ୱର, ୨୫/୦୫ (ଓଡ଼ିଆ ପୁଅ) : ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ପୋଲ ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଣି ସିଆଣିଆ ବ୍ୟବହାର କରୁଛନ୍ତି ବୋଲି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି ଯେ ୟୁପିଏ ସରକାର ସମୟରେ ବ୍ରାହ୍ଣଣୀ ନଦୀ ଉପରେ ବୀରମିତ୍ରପୁରରୁ ବାରକୋଟ ପର୍ଯ୍ୟନ୍ତ ଠିକା ସଂସ୍ଥା ଦ୍ୱାରା ସେମାନଙ୍କ ଅର୍ଥ ବିନିଯୋଗରେ ରାସ୍ତା ନିର୍ମାଣର ଯୋଜନା କରିଥିଲେ। ମୋଦି ସରକାର ଆସିବା ପରେ ୟୁପିଏ ସରକାରଙ୍କର ବୁଟ ଯୋଜନା ପରିବର୍ତେ ସରକାରଙ୍କର ଅର୍ଥ ନିବେଶରେ ଏହି ପୋଲ ନିର୍ମାଣ ପାଇଁ ନୀତିଗତ ନିର୍ଣୟ ହୋଇଥିଲା। ରାଜ୍ୟ ସରକାର ଚାରିଲେନ ବିଶିଷ୍ଟ ବ୍ରାହ୍ଣଣୀ ସେତୁ ପାଇଁ ପ୍ରସ୍ତାବ ଦେଇଥିବା ବେଳେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କ ସାକ୍ଷାତ ଆଧାରରେ ରାଉରକେଲା ଓ ସୁନ୍ଦରଗଡ ଭଳି ଖଣିଜ ସମ୍ପଦ ଓ ଆଦିବାସୀ ଇଲାକାର ଭବିଷ୍ୟତକୁ ଆଖି ଢ ଆଗରେ ରଖି ୪ ପରିବର୍ତେ ୬ ଲେନ ବିଶିଷ୍ଟ ରାସ୍ତା ନିର୍ମାଣ ପାଇଁ ନିର୍ଣୟ ହୋଇଥିଲା। ଡିସେମ୍ବର ୨୦୧୬ର ଏହି ନିର୍ଣୟ ପରେ ଏହି ୬ ଲେନ ବିଶିଷ୍ଟ ପୋଲ ନିର୍ମାଣ ପାଇଁ ସରକାରୀ ପ୍ରକ୍ରିୟା ଆରମ୍ଭ ହେଲା। ଏହାର ଟେଣ୍ଡର ପ୍ରକ୍ରିୟା ପ୍ରଥମେ ଏପ୍ରିଲ ୨୦୧୭ରେ ଶେଷ ହେବାକୁ ତାରିଖ ଧ୍ୟାର୍ଯ୍ୟ ହୋଇଥିବା ବେଳେ ଚାରିଲେନରୁ ଛଅ ଲେନ ହେବା, ତିନୋଟି ନୂଆ ବାଇପାସ ଯୋଡି ହେବାରୁ ଟେଣ୍ଡର ପ୍ରକ୍ରିୟା ୫-୬-୨୦୧୭ରେ ଶେଷ ହେବା ପାଇଁ ଦିନ ଧ୍ୟାର୍ଯ୍ୟ କରା ଯାଇଛି।

୨୦୧୭ ମସିହା ଆରମ୍ଭରୁ ପ୍ରକ୍ରିୟା ଆରମ୍ଭ ହୋଇଏତେ ବଡ କାମ ପାଇଁ ଟେଣ୍ଡର ପ୍ରକ୍ରିୟା ଛଅ ମାସ ସମାପ୍ତ ହେବା ରାଷ୍ଟ୍ରୀୟ ମାନରେ ଏକ ତ୍ୱରିତ ପ୍ରକ୍ରିୟା ବୋଲି ଶ୍ରୀ ମହପାତ୍ର କହିବା ସହ ଏଥି ପାଇଁ ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଧନ୍ୟବାଦ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକ୍ରିୟା ସମ୍ପର୍କରେ ସମ୍ପୂର୍ଣ ଅବଗତ। ଟେଣ୍ଡର ପ୍ରକ୍ରିୟା ସମ୍ପୂର୍ଣ ହେବାର ଅବ୍ୟବହିତ ପୂର୍ବରୁ ନୀତିନ ଗଡକରୀଙ୍କୁ ଚିଠି ଲେଖି ମିଛ ବାହାବା ନେବାର ଡ୍ରାମା କରୁଛନ୍ତି ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *