ବ୍ରାହ୍ଣଣୀ ଦ୍ୱିତୀୟ ସେତୁ ମାମଲାରେ ମୁଖ୍ୟମନ୍ତ୍ରୀ କାନ୍ଦୁଛନ୍ତି କୁମ୍ଭୀର କାନ୍ଦଣା – ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ରର ଉଦାସୀନତା ଯୋଗୁ ନୁହେଁ ରାଜ୍ୟର ଜଙ୍ଗଲ ବିଭାଗର ବୈଧାନିକ ଅନୁମତି ପ୍ରଦାନ କରା ଯାଇ ନ ଥିବାରୁ ଏହି କାର୍ଯ୍ୟ ବିଳମ୍ବିତ ହୋଇଛି
– ଟ୍ୱିଟ କରିବା ସହ ଏ ସମ୍ବନ୍ଧିତ ତଥ୍ୟ କଲେ ସାର୍ବଜନୀନ
– ଦେବଗଡ ଓ ବଣାଇ ଡିଏଫଓ ଏପର୍ଯ୍ୟନ୍ତ ଦେଇ ନାହାନ୍ତି ବୈଧାନିକ ଅନୁମତି
ନୂଆଦିଲ୍ଲୀ /ଭୁବନେଶ୍ୱର, ୦୪ ଡିସେମ୍ବର (ଓଡ଼ିଆ ପୁଅ)– ମୁଖ୍ୟମନ୍ତ୍ରୀ ଦ୍ୱିତୀୟ ବ୍ରାହ୍ଣଣୀ ସେତୁ ପାଇଁ କୁମ୍ଭୀର କାନ୍ଦଣା ବଦଳରେ ରାଜ୍ୟ ସରକାରଙ୍କର ଦାୟିତ୍ୱକୁ ପ୍ରଥମେ ନିର୍ବାହ କରନ୍ତୁ ବୋଲି ଟ୍ୱିଟ କରି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। କେନ୍ଦ୍ରର ଉଦାସୀନତା ଯୋଗୁ ନୁହେଁ ରାଜ୍ୟର ଜଙ୍ଗଲ ବିଭାଗର ବୈଧାନିକ ଅନୁମତି ପ୍ରଦାନ କରା ଯାଇ ନ ଥିବାରୁ ଏହି କାର୍ଯ୍ୟ ବିଳମ୍ବିତ ହୋଇଛି ବୋଲି ଶ୍ରୀ ପ୍ରଧାନ ଟ୍ୱିଟ କରିବା ସହ ଏ ସମ୍ବନ୍ଧିତ ତଥ୍ୟ ସାର୍ବଜନୀନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ କେନ୍ଦ୍ରକୁ ଏହି ସେତୁ ସମ୍ବନ୍ଧରେ ଚରମବାଣୀ ଶୁଣାଇଥିବା ବେଳେ ଶ୍ରୀ ପ୍ରଧାନ ଟ୍ୱିଟ କରି ବୀରମିତ୍ରପୁର ଠାରୁ ବାରକୋଟ ନୂଆ ଏନଏଚ -୧୪୩ ଓ ବ୍ରାହ୍ମଣୀ ଦ୍ୱିତୀୟ ସେତୁ ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସତ କହୁ ନାହାନ୍ତି ବୋଲି ସିଧା ସିଧା ଓ କଡା ଅଭିଯୋଗ ଆଣିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ସେତୁ ନିର୍ମାଣ କ୍ଷେତ୍ରରେ ଯେଉଁ ବୈଧାନିକ ଅନୁମତି ରାଜ୍ୟ ସରକାରଙ୍କ ଠାରୁ ମିଳିବାର ଅଛି ତାହା ତୁରନ୍ତ ପ୍ରଦାନ କଲେ ଏହି ସେତୁ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇ ପାରିବ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତ ୨୫ ଅକ୍ଟୋବର, ୨୦୧୭ରେ ଦେବଗଡ ଡିଏଫଓଙ୍କ ଦ୍ୱାରା ଉଠା ଯାଇଥିବା ପ୍ରସଙ୍ଗର ଉତର ଦିଆଯାଇଥିଲେ ମଧ୍ୟ ଆବଶ୍ୟକୀୟ ଅନୁମତି ଏ ପର୍ଯ୍ୟନ୍ତ ମିଳି ନାହିଁ। ବଣାଇ ଡିଏଫଓଙ୍କ ଦ୍ୱାରା ବାରମ୍ବାର ବିଭିନ୍ନ ପ୍ରସଙ୍ଗରେ ଉତର ମଗା ଯାଇଥିବା ପ୍ରଶ୍ନର ଉତର ଦିଆ ଯିବା ପରେ ମଧ୍ୟ ଆହୁରି ଆପତି ୧୮.୦୯.୨୦୧୭ରେ ସଂପୃକ୍ତ ଡିଏଫଓଙ୍କ ଦ୍ୱାରା ଆହୁରି ଆପତି ଉଠା ଯାଇଛି। ଏଠାରେ ଉଲ୍ଲେଖ କରା ଯାଇ ପାରେ ଯେ ଦେବଗଡ ଓ ବଣେଇର ଡିଏଫଓ ମାନେ ଏକା ଥରରେ ନୁହେଁ ବାରମ୍ବାର ଭିନ୍ନ ଭିନ୍ନ ପ୍ରସଙ୍ଗରେ ଅଲଗା ଅଲଗା ପ୍ରଶ୍ନ ଓ ଆପତି ଉଠାଇଛନ୍ତି। ଏହି ପ୍ରଶ୍ନର ଉତର ଦିଆ ଯିବା ପରେ ପୁଣି ଆହୁରି ପ୍ରଶ୍ନ ପଚାରି ପ୍ରକ୍ରିୟାକୁ ବିଳମ୍ବିତ କରାଯାଉଛି।

ଏଠାରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇ ପାରେ ଯେ ରାଜ୍ୟର ମୁଖ୍ୟ ସଚିବଙ୍କ ପାଖକୁ ଏନଏଚଏଆଇର ଚେୟାରମ୍ୟାନ ୨୦୧୬ ଓ ୨୦୧୭ରେ ରାଜ୍ୟର ରାଜ ପଥ ନିର୍ମାଣ ପାଇଁ ଭୂମି ଓ ବୈଧାନିକ ଅନୁମତି ପ୍ରସଙ୍ଗରେ ଚିଠି ଲେଖିଛନ୍ତି। ଏହା ସତ୍ୱେ ଏହି କାମରେ କୌଣସି ସନ୍ତୋଷ ଜନକ ଅଗ୍ରଗତି ରାଜ୍ୟ ସରକାରଙ୍କ ତରଫରୁ କରା ଯାଇ ନାହିଁ। ଏହା ସହ ବିଭିନ୍ନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଉଦ୍ଦେଶ୍ୟରେ ଏନଏଚଏଆଇ ତରଫରୁ ପର୍ଯ୍ୟାପ୍ତ ଅର୍ଥ ରାଜ୍ୟ ସରକାରଙ୍କ ପାଖରେ ଜମା କରା ଯାଇଥିଲେ ମଧ୍ୟ ଏହି ଅର୍ଥ ପ୍ରଦାନରେ ରାଜ୍ୟ ସରକାର ଅହେତୁକ ବିଳମ୍ବ କରୁଛନ୍ତି। ଏଥି ପାଇଁ ଏନଏଚଏଆଇର ଅଧ୍ୟକ୍ଷ ରାଜ୍ୟ ମୁଖ୍ୟ ସଚିବଙ୍କ ପାଖକୁ ଜୁଲାଇ, ୨୦୧୭ରେ ଚିଠି ଲେଖି କାମକୁ ତ୍ୱରାନ୍ୱିତ କରିବା ପାଇଁ ଅନୁରୋଧ କରିଛନ୍ତି। ରାଜ୍ୟ ସରକାର ନିଜର ଦାୟିତ୍ୱକୁ ସୂଚାରୁ ଭାବେ ତୁଲାଇବା ପରିବର୍ତେ ନିଜର ଅପାରଗତାକୁ ଲୁଚାଇବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଅଯଥା ଦୋଷାରୋପ କରି ନିଜ ଦାୟିତ୍ୱରୁ ମୁହଁ ବୁଲାଉଛନ୍ତିା

Leave a Reply

Your email address will not be published. Required fields are marked *