ଭୁବନେଶ୍ୱର, ତା ୨୬ା୮ା୨୦୧୮ରିଖ (ଓଡ଼ିଆ ପୁଅ) : ପ୍ରତିବର୍ଷ ଭଳି ପ୍ରଜାପିତା ବ୍ରହ୍ମକାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟ ସେବା କେନ୍ଦ୍ର, ଓଁ ନିବାସ, ୟୁନିଟ୍-୯ (ବାୟାବାବା ମଠ ରୋଡ୍) ତରଫରୁ ୨୧ଦିନ ବ୍ୟାପି ପବିତ୍ର ରକ୍ଷାବନ୍ଧନ ଉତ୍ସବ ମହାଆଡମ୍ବରରେ ପାଳନ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ରାଜଯୋଗିନୀ ବ୍ରହ୍ମାକୁମାରୀ ରବି କଳା, ମାଉଣ୍ଟଆବୁ, (ରାଜସ୍ଥାନ) ରାକ୍ଷୀର ପ୍ରକୃତ ମହତ୍ୱକୁ ସମସ୍ତଙ୍କ ଆଗରେ ପ୍ରତିପାଦିତ କରିଥିଲେ। ଆଜି ସ୍ଥାନୀୟ ମୁଖ୍ୟ ସେବାକେନ୍ଦ୍ରଠାରେ ରକ୍ଷାବନ୍ଧନ ପର୍ବରେ ପ୍ରାୟ ୫୦୦ ରୁ ଅଧିକ ବ୍ରହ୍ମାକୁମାରୀ ଭଉଣୀ ଓ ବ୍ରହ୍ମାକୁମାର ଭାଇ ଉପସ୍ଥିତ ରହି ରକ୍ଷାବନ୍ଧନ ଉତ୍ସବକୁ ବଡ଼ ଧୁମ୍ଧାମ୍ ରେ ପାଳନ କରିଥିଲେ। ଆଜି ଗୀତା ଭଉଣୀ ଓଡ଼ିଶାର ମହାମହୀମ ରାଜ୍ୟପାଳ, ସମ୍ମାନସ୍ପଦ ମୁଖ୍ୟମନ୍ତ୍ରୀ, ବାଚସ୍ପତି ମହୋଦୟ ତଥା ମନ୍ତ୍ରୀ ମହୋଦୟମାନଙ୍କୁ ପବିତ୍ର ରାକ୍ଷୀ ବାନ୍ଧି ଶୁଭକାମନା ଜଣାଇଥିଲେ। ଅଗଷ୍ଟ ୫ ତାରିଖରୁ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା। ଏହି ଅବସରରେ ବ୍ରହ୍ମାକୁମାରୀ ଭଉଣୀମାନେ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ, ସରକାରୀ କାର୍ଯ୍ୟାଳୟ, ବେସରକାରୀ କାର୍ଯ୍ୟାଳୟ, କର୍ପୋରେଟ ଅଫିସ୍, ବିଭିନ୍ନ ବ୍ରହ୍ମାକୁମାରୀ ସେବାକେନ୍ଦ୍ର ଆଦି ସ୍ଥାନକୁ ଯାଇ ଦୁଇ ହଜାର ଭାଇ ଓ ଭଉଣୀମାନଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ। ଏହାଦ୍ୱାରା ସମସ୍ତଙ୍କ ମନରେ ଏକ ପବିତ୍ରତା ଓ ଭାତୃତ୍ୱ ଭାବନା ସୃଷ୍ଟି କରିପାରିଥିଲେ। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସଂଚାଳିକା ବ୍ରହ୍ମାକୁମାରୀ ଗୀତା ଭଉଣୀ ସୁଚାରୁ ରୂପେ ପରିଚାଳନା କରିଥିଲେ।
